ହୁତୁ ହୁତୁ ହୋଇ ଜଳୁଛି ରୁଷ୍ ରାଷ୍ଟ୍ରପତି ପୁଟିନ୍ଙ୍କ ଘର…ୟୁକ୍ରେନ୍ ନିଆଁ ଲଗାଇଥିବା ଅଭିଯୋଗ

ଜଳିଗଲା ପୁଟିନ୍ଙ୍କ ଘର । ସାଇବେରିଆର ଅଲ୍ତାଇ ପର୍ବତରେ ଥିବା ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କର ଏକ ଘର ନିଆଁରେ ଜଳିଯାଇଛି । ତେବେ ଏହି ଘରେ ନିଆଁ କିପରି ଲାଗିଲା, ତାହା ଏକ ରହସ୍ୟ ହୋଇଛି । କିନ୍ତୁ ଏ ନେଇ ୟୁକ୍ରେନ ଉପରେ ଦୋଷ ଲଗାଯାଉଛି । ଏହା ହେଉଛି ସେହି ଘର, ଯେଉଁଠାରେ ପୁଟିନ ଇଟାଲିର ପୂର୍ବତନ ପ୍ରଧାନମନ୍ତ୍ରୀ ସିଲ୍ଭିଓ ବର୍ଲୁସ୍କୋନିଙ୍କୁ ଅତିଥି ସେବା ପ୍ରଦାନ କରିଥିଲେ ।
କୁହାଯାଏ ଯେ ଏହି ଘରେ ଲୁଚିବାର ଗୁପ୍ତ ଜାଗା ରହିଛି । ଏଠାରେ ପୁଟିନ ଔଷଧୀୟ ସ୍ନାନ କରୁଥିଲେ । Gazpromର ମାଲିକାନାରେ ଏହି ସମଗ୍ର କ୍ୟାମ୍ପସ୍ ପରିଚାଳିତ । Gazprom ରୁଷ୍ର ଅନେକ ବିଳାସପୂର୍ଣ୍ଣ ପ୍ରାସାଦର ରକ୍ଷଣାବେକ୍ଷଣା କରିଥାଏ । ଘର ଭିତରେ ନିଆଁ ଲାଗି କେତେ କ୍ଷୟକ୍ଷତି ହୋଇଛି, ତାହା ଜଣାପଡିନାହିଁ । କିନ୍ତୁ ନିଆଁ ବହୁତ ଭୟଙ୍କର ଲାଗିଛି ।
ଅଗ୍ନିକାଣ୍ଡର କାରଣ ମଧ୍ୟ ଜଣାପଡ଼ିନାହିଁ । କିନ୍ତୁ କିଛି ଲୋକଙ୍କ କହିବା ହେଲା, ୟୁକ୍ରେନ ଏହି କାମ କରିପାରିବ । କାରଣ, ରୁଷ୍ ୟୁକ୍ରେନରେ ବହୁ ବିନାଶ ଘଟାଇଛି । ପୁଟିନ୍ଙ୍କ ଘର ପୋଡିଯିବା ନେଇ ପ୍ରଥମେ ବ୍ଲଗର୍ ଅମିର ଅୟତାଶେଭ ଖବର ଦେଇଥିଲେ । ତେବେ ଏହି ଘଟଣା ସମ୍ପର୍କରେ ପୁଟିନଙ୍କ ଦଳ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।
ଏହି ସ୍ଥାନଟି ବହୁତ ସୁରକ୍ଷିତ । ଏଠାକୁ କୌଣସି ସାଧାରଣ ରୁଷ୍ ନାଗରିକ ଯାଇପାରିବେ ନାହିଁ । ଏହାର ଚାରିପାଖରେ ଭାରି ସୁରକ୍ଷା ବ୍ୟବସ୍ଥା ରହିଛି । ଏହା ସତ୍ତ୍ୱେ ପୁଟିନଙ୍କ ଘରେ ନିଆଁ କିପରି ଲାଗିଲା, ତାହା କେହି ବୁଝିପାରୁ ନାହାନ୍ତି । ଏହି ସ୍ଥାନରେ ପୁଟିନ ଏବଂ ତାଙ୍କ ପରିବାରକୁ ସୁରକ୍ଷିତ ରଖିବା ପାଇଁ ହାଇ-ଟେକ୍ ବଙ୍କର୍ ମଧ୍ୟ ନିର୍ମାଣ କରାଯାଇଛି, ଯାହା ଦ୍ୱାରା ପରମାଣୁ ଯୁଦ୍ଧ ସମୟରେ ସେମାନେ ସୁରକ୍ଷିତ ରହିପାରିବେ ।
ପୁଟିନଙ୍କର ଏହି ପ୍ରାସାଦ ଅଲ୍ତାଇ ରିପବ୍ଲିକର ଓଙ୍ଗୁଡେସ୍କି ଜିଲ୍ଲାରେ ଅବସ୍ଥିତ । ଏହାର ନିକଟରେ ରହିଛି ମଙ୍ଗୋଲିଆ, ଚୀନ୍ ଏବଂ କାଜାକିସ୍ତାନ । ଏହି ଜାଗା ଏବଂ ଏହାର ଆଖପାଖରେ ଅନେକ ଭେଣ୍ଟିଲେସନ୍ ପଏଣ୍ଟ ଅଛି । ଏହା ବ୍ୟତୀତ ୧୧୦ କିଲୋଭୋଲ୍ଟର ଏକ ଅତ୍ୟାଧୁନିକ ସବଷ୍ଟେସନ୍ ରହିଛି, ଯାହା କେବଳ ଏଠାରେ ବିଦ୍ୟୁତ୍ ଯୋଗାଣ କରି ନ ଥାଏ, ବରଂ ସମଗ୍ର ସହରକୁ ଆଲୋକିତ କରିଥାଏ । ଏଠାରେ ହରିଣମାନଙ୍କର ଫାର୍ମ ରହିଛି ।