ୟୁକ୍ରେନ୍ର ଦ୍ୱିତୀୟ ବଡ଼ ସହର ଖାରକିଭ୍ରେ ପଶିଲା ରୁଷ ସେନା, ଭୀଷଣ ବିସ୍ଫୋରଣ ଜାରି

ରୁଷ ଓ ୟୁକ୍ରେନ୍ ମଧ୍ୟରେ ଜାରି ରହିଛି ଘମାଘୋଟ ଲଢ଼େଇ। ଗତ ୪ ଦିନ ହେଲାଣି ଅବିରତ ଯୁଦ୍ଧ ଚାଲିଛି। ରୁଷ ସେନା ଧୀରେ ଧୀରେ ୟୁକ୍ରେନ୍ର ସବୁ ସହରକୁ ନିଜ କବ୍ଜାକୁ ନେଇ ଚାଲିଛି। ଇତି ମଧ୍ୟରେ ରୁଷ ସୈନ୍ୟ ବାହିନୀ ୟୁକ୍ରେନ୍ର ଦ୍ୱିତୀୟ ବଡ଼ ସହର ଖାରକିଭ୍କୁ ବି ନିଜ ଅକ୍ତିଆରକୁ ନେଇଛି। ଅନ୍ୟପଟେ ସୁମିରେ ଆକାଶ ମାର୍ଗରୁ ଆକ୍ରମଣର ଆଲର୍ଟ ଜାରି କରାଯାଇଛି। ଲୋକଙ୍କୁ ନିକଟସ୍ଥ ଆଶ୍ରୟସ୍ଥଳକୁ ଚାଲିଯିବାକୁ କୁହାଯାଇଛି।
ୟୁକ୍ରେନ୍ ମିଡିଆ ଓ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ଭିଡିଓରେ ରୁଷୀୟ ବାହନ ଖାରକିଭ୍ରେ ପଶୁ ଥିବାର ଦେଖିବାକୁ ମିଳିଛି। ଖାରକିଭ୍ରେ ରୁଷ ସେନାର ପ୍ରବେଶ ବେଳେ ପ୍ରବଳ ଗୁଳିମାଡ଼ ଓ ବିସ୍ଫୋରଣ ହେଉଥିବା ଦେଖାଯାଇଛି।
BREAKING: Ukrainian official: Street fighting in Kharkiv as Russian troops enter country’s second-largest city. https://t.co/6S100wJYso
— The Associated Press (@AP) February 27, 2022
ରିପୋର୍ଟ ମୁତାବକ, ରୁଷର ଯୁଦ୍ଧ ବାହନ ସୁମି ସହର ଆଡ଼କୁ ଅଗ୍ରସର ହେଉଛନ୍ତି। ଏ ଅବସରରେ ୟୁକ୍ରେନ୍ର ସେନା ନିଜ ନାଗରିକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦେଇଛନ୍ତି। ଏଥିସହ ଦରକାର ନ ପଡ଼ିଲେ ଘରୁ ପଦାକୁ ଆସିବାକୁ ମନାକରାଯାଇଛି। କବାଟ ଓ ଝରକା ପାଖକୁ ଆସିବାକୁ ମଧ୍ୟ ୟୁକ୍ରେନ୍ ନାଗରିକଙ୍କୁ ମନା କରାଯାଇଛି।
ଅନ୍ୟପଟେ ଖାରକିଭ୍ର ଗଭର୍ଣ୍ଣର କହିଛନ୍ତି, ସହର ଭିତରେ ରୁଷ ଓ ୟୁକ୍ରେନ୍ ସୈନ୍ୟଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ଜାରି ରହିଛି। ଖାରକିଭ୍ର ରାଜ୍ୟ ପ୍ରଶାସନ ଅଧ୍ୟକ୍ଷ ଓଲେଗ ସିନେଗୁବୋବ ସ୍ଥାନୀୟ ଲୋକଙ୍କୁ ଆଶ୍ରୟସ୍ଥଳରେ ରହିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, କିଭ୍ ୟୁକ୍ରେନ୍ ସେନାଙ୍କ ନିୟନ୍ତ୍ରଣରେ ଅଛି। ତେବେ ସ୍ଥିତି ଆଗକୁ ଗମ୍ଭୀର ହେବ ବୋଲି ସେ କହିଛନ୍ତି।