ମସ୍କୋରେ ଧମାକା, ରୁଷର ପରମାଣୁ ଡିଫେନ୍ସ ମୁଖ୍ୟ ଇଗୋର କିରିଲୋଭଙ୍କ ମୃତ୍ୟୁ

ରୁଷର ପରମାଣୁ ପ୍ରୋଗ୍ରାମର ମୁଖ୍ୟ ଇଗୋର କିରିଲୋଭଙ୍କ ମସ୍କୋରେ ଏକ ବିସ୍ଫୋରଣରେ ମୃତ୍ୟୁ ଘଟିଛି । ରାଷ୍ଟ୍ରପତି ପୁଟିନଙ୍କର ସେ ଅତି ନିକଟତର ବୋଲି ବିବେଚନା କରାଯାଉଥିଲା । ଏହି ବିସ୍ଫୋରଣ ରାଷ୍ଟ୍ରପତି ଭବନଠାରୁ ମାତ୍ର ୭ କିଲୋମିଟର ଦୂରରେ ଘଟିଛି । ୟୁକ୍ରେନର ସିକ୍ୟୁରିଟି ସର୍ଭିସ୍ ଦାବି କରିଛି ଯେ ସେମାନେ ଏହି ଘଟଣା ଘଟାଇଛନ୍ତି ।

ରିପୋର୍ଟ ମୁତାବକ, ଇଗୋର କିରିଲୋଭ ନିଜ ଆପାର୍ଟମେଣ୍ଟରୁ ବାହାରକୁ ଆସୁଥିବା ବେଳେ ନିକଟରେ ପାର୍କିଂ ହୋଇଥିବା ଏକ ସ୍କୁଟରରେ ଜୋରଦାର୍ ଧମାକା ହୋଇଥିଲା । ଏହି ଘଟଣାରେ ଇଗୋର କିରିଲୋଭଙ୍କ ସହ ତାଙ୍କ ଆସିଷ୍ଟାଣ୍ଟଙ୍କର ମଧ୍ୟ ମୃତ୍ୟୁ ହୋଇଛି ।

କୁହାଯାଉଛି ଯେ ଏହି ବିସ୍ଫୋରଣ ପାଇଁ ୩୦୦ ଗ୍ରାମ ଟିଏନଟି (TNT) ବ୍ୟବହାର କରାଯାଇଥିଲା । ଏ ସମ୍ବନ୍ଧରେ ଅପରାଧିକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରାଯାଇଛି ।

ଚଳିତ ବର୍ଷ ଅକ୍ଟୋବରରେ ବ୍ରିଟେନ ଇଗୋରଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲା । ୟୁକ୍ରେନରେ ରାସାୟନିକ ଅସ୍ତ୍ରଶସ୍ତ୍ର ବ୍ୟବହାର ଉପରେ ନଜର ରଖିଥିବା ନେଇ ବ୍ରିଟେନ ତାଙ୍କ ଉପରେ ଅଭିଯୋଗ ଆଣିଥିଲା ।

ଏବେ ସୋସିଆଲ ମିଡିଆରେ ଏହି ଘଟଣାର ଏକ ଭିଡିଓ ଭାଇରାଲ ହେଉଛି । ଏଥିରେ ଦେଖିବାକୁ ମିଳୁଛି ଯେ ଏକ କୋଠାର ଭଗ୍ନାବଶେଷ ପଡ଼ିଛି ଏବଂ ସେଠାରେ ଆବର୍ଜନା ମଧ୍ୟରେ ଦୁଇଟି ମୃତଦେହ ପଡ଼ି ରହିଛି । ପୋଲିସ ଘଟଣାସ୍ଥଳକୁ କର୍ଡନ କରିନେଇଛି । କୁହାଯାଉଛି ଯେ ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ କୋଠାଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା ।

ଏପଟେ ଇଗୋର କିରିଲୋଭଙ୍କ ମୃତ୍ୟୁ ପରେ ରୁଷୀୟ ସଂସଦର ଡେପୁଟି ସ୍ପିକର କହିଛନ୍ତି, ବହୁତ ଭାବିଚିନ୍ତି ପ୍ଲାନିଂ ଅନୁସାରେ ଏହି ଘଟଣା ଘଟାଯାଇଛି । କିନ୍ତୁ ଏହାର ପ୍ରତିଶୋଧ ନିଆଯିବ ।

ସୂତ୍ରରୁ ପ୍ରକାଶ ଯେ ଇଗୋର ଜଣେ ଯୁଦ୍ଧ ଅପରାଧୀ ଏବଂ ୟୁକ୍ରେନର ଟାର୍ଗେଟରେ ଥିଲେ । ସେ ୟୁକ୍ରେନ ସେନା ଉପରେ ନିଷିଦ୍ଧ ରାସାୟନିକ ପଦାର୍ଥ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଇଗୋରଙ୍କୁ ୨୦୧୭ ଏପ୍ରିଲରେ ଆଣବିକ ବାହିନୀର ମୁଖ୍ୟ କରାଯାଇଥିଲା । ଏହାପୂର୍ବରୁ ସେ ଦେଶର ରେଡିଏସନ, କେମିକାଲ୍ ଏବଂ ଜୈବିକ ଅସ୍ତ୍ର ବିଭାଗର ମୁଖ୍ୟ ଥିଲେ ।