ଆତଙ୍କବାଦ କଥା ଉଠାଇ ପାକିସ୍ତାନକୁ କଡ଼ା ସନ୍ଦେଶ ଦେଲେ ଏସ୍ ଜୟଶଙ୍କର

ପାକିସ୍ତାନ : ପାକିସ୍ତାନ ମାଟିରୁ ପାକିସ୍ତାନକୁ କଡ଼ା ସନ୍ଦେଶ ଦେଲେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଏସସିଓ ସମ୍ମିଳନୀରେ ଆତଙ୍କବାଦ ପ୍ରସଙ୍ଗ ଉଠାଇ ପାକିସ୍ତାନକୁ ଏବଂ ଆଞ୍ଚଳିକ ଅଖଣ୍ଡତା କଥା ଉଠାଇ ଉଭୟ ଚୀନ ଓ ପାକିସ୍ତାନକୁ ବାର୍ତ୍ତା ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ବର୍ତ୍ତମାନ ପରିସ୍ଥିତିରେ ଏସସିଓରେ ପ୍ରମୁଖ ଲକ୍ଷ୍ୟ ଆତଙ୍କବାଦ, ବିଛିନ୍ନତାବାଦ ଓ ଉଗ୍ରବାଦର ମୁକାବିଲା । ଏଥିଲାଗି ସଚ୍ଚୋଟ ଭାବେ ଆଲୋଚନା, ବିଶ୍ୱାସ, ଭଲ ପଡ଼ୋଶୀ ମନୋଭାବ ଏବଂ ଏସିସିଓ ଚାର୍ଟର ପ୍ରତି ପ୍ରତିବଦ୍ଧତା ଆବଶ୍ୟକ ବୋଲି ଏସ ଜୟଶଙ୍କର କହିଛନ୍ତି ।
ଆତଙ୍କବାଦ, ବିଛିନ୍ନତାବାଦ ଓ ଉଗ୍ରବାଦର ମୁକାବିଲାରେ ଏସିଓ କୌଣସି ସାଲିସ କରିବା ଉଚିତ ନୁହଁ । ଯେକୌଣସି ପରିସ୍ଥିତିରେ ଆତଙ୍କବାଦର ମୂଳୋତ୍ପାଟନ ଜରୁରୀ । ଏହା ସହ ପରୋକ୍ଷରେ ପାକିସ୍ତାନର ପୋଲ ଖୋଲିଲେ ଜୟଶଙ୍କର । କହିଛନ୍ତି, ଯଦି ବିଶ୍ବାସର ଅଭାବ ଅଛି କିମ୍ବା ଅପର୍ଯ୍ୟାପ୍ତ ସହଯୋଗ ଅଛି , ଯଦି ବନ୍ଧୁତାରେ ଅଭାବ ଆସିଛି କିମ୍ବା ଭଲ ପଡୋଶୀ ହେବାର ଭାବନା ଉଭାନ ହୋଇଯାଇଛି ତେବେ ଆତ୍ମନିରୀକ୍ଷଣ ସହ ସମାଧାନର କାରଣ ଖୋଜିବା ଉଚିତ ।
ଇସଲାମାବାଦରେ ଆୟୋଜିତ ଦୁଇ ଦିନିଆ ସାଙ୍ଘାଇ କୋପରେସନ ଅର୍ଗାନାଇଜେସନ୍-SCO ସମ୍ମିଳନୀରେ ଯୋଗ ଦେବାକୁ ପାକିସ୍ତାନ ଗସ୍ତ କରିଛନ୍ତି ଜୟଶଙ୍କର । ଭାରତ ବ୍ୟତୀତ ଚୀନ, ରୁଷ, ବେଲାରୁଷ, କାଜାକିସ୍ତାନ, କିର୍ଗିଜସ୍ତାନ, ତାଜାକିସ୍ତାନ, ଏବଂ ଉଜବେକିସ୍ତାନର ରାଷ୍ଟ୍ରନେତା ସାମିଲ ହୋଇଛନ୍ତି । ପ୍ରାୟ ୯ ବର୍ଷ ପରେ ଭାରତର ପ୍ରଥମ ବୈଦେଶିକ ମନ୍ତ୍ରୀ ଭାବେ ପାକିସ୍ତାନ ଗସ୍ତ କରିଛନ୍ତି ଜୟଶଙ୍କର । ଏହି ଗସ୍ତରେ ପାକିସ୍ତାନ ସହ କୌଣସି ଦ୍ବିପାକ୍ଷିକ ଆଲୋଚନା ହେବ ନାହିଁ ପୂର୍ବରୁ ଜୟଶଙ୍କର ସ୍ପଷ୍ଟ କରିଥିଲେ ।