ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ ଘଟଣା, ଆଉ ଜଣେ ସନ୍ଦିଗ୍ଧ ଗିରଫ

ସୈଫ ଅଲ୍ଲୀ ଖାନଙ୍କୁ ଛୁରି ଆକ୍ରମଣ ଘଟଣାରେ ଆଉ ଜଣକୁ ଗିରଫ କରିଛି ମୁମ୍ବାଇ ପୋଲିସ । ମୁମ୍ବାଇ ପୋଲିସ ମଧ୍ୟପ୍ରଦେଶରୁ ଜଣେ ସନ୍ଦିଗ୍ଧକୁ ଗିରଫ କରିଛି । ମଧ୍ୟପ୍ରଦେଶରେ ମୁମ୍ବାଇ ପୋଲିସ ଗିରଫ ହୋଇଥିବା ସନ୍ଦିଗ୍ଧକୁ ପଚରାଉଚରା କରି ଯାଞ୍ଚ ଜାରି ରଖିଛି ।
ଆକ୍ରମଣ ଘଟଣାକୁ ୬୦ ଘଣ୍ଟାରୁ ଅଧିକ ସମୟ ବିତିଗଲାଣି । ତଥାପି ପୋଲିସ ମୁଖ୍ୟ ଆକ୍ରମଣକାରୀକୁ ଧରିପାରିନି । ପୋଲିସ ଜଣେ ସନ୍ଦିଗ୍ଧଙ୍କ ପରିଚୟ ଖୋଜି ବାହାର କରିଛି । ସନ୍ଦିଗ୍ଧ ଜଣକ ଏହି ଆକ୍ରମଣ ମାମଲାରେ ମୁଖ୍ୟ ଅଭିଯୁକ୍ତ ହେବାର ପୁରା ସମ୍ଭାବନା ରହିଛି । ପୋଲିସ ଏହି ମାମଲାରେ ଏପର୍ଯ୍ୟନ୍ତ ୫୦ ଜଣଙ୍କୁ ପଚରାଉଚରା କରିସାରିଛି । ଏହି ମାମଲାରେ ୩୫ ଟିମ୍ ନିୟୋଜିତ ହୋଇଛି ।
ସିସି ଟିଭି ଫୁଟେଜ ଆଧାରରେ ଗତକାଲି ପୋଲିସ ଜଣକୁ ଗିରଫ କରିଥିଲା । ହେଲେ ପରେ ପୋଲିସ ତାଙ୍କୁ ପଚରାଉଚରା କରି ଛାଡିଦେଇଥିଲା ।
୧୫ତାରିଖ ମଧ୍ୟରାତିରେ ସୈଫ ଅଲ୍ଲୀ ଖାନଙ୍କ ବାନ୍ଦ୍ରା ବାସଭବନ ୧୧ ମହଲାରେ ତାଙ୍କ ଉପରେ ଛୁରାମାଡ଼ କରିଥିଲା ଦୁର୍ବୃତ୍ତ । ଆକ୍ରମଣ ପରେ ସୈଫଙ୍କୁ ତାଙ୍କ ଡ୍ରାଇଭର ଏବଂ ସିକ୍ୟୁରିଟି ଗାର୍ଡ ପୁଅ ତୈମୁର ସହିତ ଅଟୋରେ ହସପିଟାଲ ନେଇ ଯାଇଥିଲେ । ରକ୍ତରେ ଜୁଡୁବୁଡୁ ହୋଇଥିବା ସୈଫ ୮ ବର୍ଷର ପୁଅ ତୈମୁର ସହିତ ହସପିଟାଲରେ ପହଞ୍ଚିଥିଲେ ବୋଲି ଲୀଲାବତୀ ହସପିଟାଲର ଡାକ୍ତର କହିଛନ୍ତି । ଆକ୍ରମଣକାରୀ ରାତି ୧ଟା ୩୭ରେ ସୈଫଙ୍କ ଘରେ ପ୍ରବେଶ କରିଥିବା ବେଳେ ୨ଟା ୩୩ରେ ବାହାରିଥିଲା । ଛୁରାମାଡ଼ କରି ଦୁର୍ବୃତ୍ତ ଫାଷ୍ଟ ଲୋକାଲରେ ବିରାର, ବସଇ କିମ୍ବା ନାଲାସୋପାରା ଚାଲିଯାଇଥିବା ସନ୍ଦେହ କରି ତଦନ୍ତ ଚଳାଇଛି ପୋଲିସ । ସେପଟେ ସାମାନ୍ୟ ସୁସ୍ଥ ହେବା ପରେ ସୈଫଙ୍କୁ ଲୀଳାବତୀ ହସପିଟାଲର ଆଇସିୟୁରୁ ବାହାର କରାଯାଇ ସ୍ବତନ୍ତ୍ର କ୍ୟାବିନରେ ରଖାଯାଇଛି । ସଂପୂର୍ଣ୍ଣ ବେଡ ରେଷ୍ଟ ସହ ଏକ ସପ୍ତାହ ପାଇଁ ଚଳପ୍ରଚଳ ନକରିବାକୁ ତାଙ୍କୁ ପରାମର୍ଶ ଦିଆଯାଇଛି ।
Also Read : ସୈଫ ଅଲ୍ଲୀଙ୍କୁ ଆକ୍ରମଣ ଘଟଣା : ଧରାପଡିନି ପ୍ରକୃତ ଅଭିଯୁକ୍ତ, ୫୦ ଘଣ୍ଟା ପରେ ବି ପୋଲିସ ହାତ ଖାଲି