ସୈଫ ଅଲ୍ଲୀଙ୍କୁ ଆକ୍ରମଣ ଘଟଣା : ଧରାପଡିନି ପ୍ରକୃତ ଅଭିଯୁକ୍ତ, ୫୦ ଘଣ୍ଟା ପରେ ବି ପୋଲିସ ହାତ ଖାଲି

ବଲିଉଡ ଷ୍ଟାର ସୈଫ ଅଲ୍ଲୀଙ୍କୁ ଆକ୍ରମଣ ଘଟଣାରେ ୫୦ ଘଣ୍ଟା ବିତିଯାଇଥିଲେ ମଧ୍ୟ ମୁମ୍ବାଇ ପୋଲିସର ହାତ ଖାଲି । ଦୁର୍ବୃତ୍ତକୁ ଏଯାଏ ଧରିପାରିନି ପୋଲିସ । ପୁଣି ସନ୍ଦିଗ୍ଧର ନୂଆ ଫଟୋ ଜାରି କରିଛି ପୋଲିସ । ସନ୍ଦିଗ୍ଧ ଜଣକ ବାନ୍ଦ୍ରାର କୌଣସି ଏକ ମୋବାଇଲ ଷ୍ଟୋରରୁ ହେଡଫୋନ କିଣିଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି । ପୋଲିସ ରାଡାରରେ ୫୦ ଜଣ ଅଛନ୍ତି । ଏପଟେ ସୈଫଙ୍କୁ ହସ୍ପିଟାଲ ଆଣିଥିବା ଅଟୋ ଡ୍ରାଇଭରଙ୍କୁ ପଚରାଉଚରା ହେବ ।

ଆକ୍ରମଣ ପରେ ସୈଫଙ୍କୁ ତାଙ୍କ ଡ୍ରାଇଭର ଏବଂ ସିକ୍ୟୁରିଟି ଗାର୍ଡ ପୁଅ ତୈମୁର ସହିତ ଅଟୋରେ ହସପିଟାଲ ନେଇ ଯାଇଥିଲେ । ରକ୍ତରେ ଜୁଡୁବୁଡୁ ହୋଇଥିବା ସୈଫ ୮ ବର୍ଷର ପୁଅ ତୈମୁର ସହିତ ହସପିଟାଲରେ ପହଞ୍ଚିଥିଲେ ବୋଲି ଲୀଲାବତୀ ହସପିଟାଲର ଡାକ୍ତର କହିଛନ୍ତି ।

ସୈଫଙ୍କ ଆକ୍ରମଣ ଘଟଣାରେ ଏଯାଏ ୩୦ରୁ ୪୦ ଲୋକଙ୍କ ବୟାନ ରେକର୍ଡ ହେଲାଣି । ସେପଟେ ସାମାନ୍ୟ ସୁସ୍ଥ ହେବା ପରେ ସୈଫଙ୍କୁ ଲୀଳାବତୀ ହସପିଟାଲର ଆଇସିୟୁରୁ ବାହାର କରାଯାଇ ସ୍ବତନ୍ତ୍ର କ୍ୟାବିନରେ ରଖାଯାଇଛି । ସଂପୂର୍ଣ୍ଣ ବେଡ ରେଷ୍ଟ ସହ ଏକ ସପ୍ତାହ ପାଇଁ ଚଳପ୍ରଚଳ ନକରିବାକୁ ତାଙ୍କୁ ପରାମର୍ଶ ଦିଆଯାଇଛି ।

ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ ଘଟଣାରେ କ୍ରାଇମବ୍ରାଞ୍ଚ ସହ ମୁମ୍ବାଇ ପୋଲିସର ୩୫ଟି ଟିମ୍ ତଦନ୍ତ ଚଳାଇଛି । ଆକ୍ରମଣକାରୀ ରାତି ୧ଟା ୩୭ରେ ସୈଫଙ୍କ ଘରେ ପ୍ରବେଶ କରିଥିବା ବେଳେ ୨ଟା ୩୩ରେ ବାହାରିଥିଲା । ଛୁରାମାଡ଼ କରି ଦୁର୍ବୃତ୍ତ ଫାଷ୍ଟ ଲୋକାଲରେ ବିରାର, ବସଇ କିମ୍ବା ନାଲାସୋପାରା ଚାଲିଯାଇଥିବା ସନ୍ଦେହ କରି ତଦନ୍ତ ଚଳାଇଛି ପୋଲିସ । କାହିଁକି ସୈଫଙ୍କୁ ହେଲା ଛୁରାମାଡ଼, ଏହାର ତଦନ୍ତ ଚାଲିଛି ।

୫ ଘଣ୍ଟାର ସର୍ଜରୀରେ ସୈଫଙ୍କ ମେରୁଦଣ୍ଡ ନିକଟରୁ ଅଢେଇ ଇଞ୍ଚର ଏକ ଭଙ୍ଗା ଛୁରି ବାହାର କରାଯାଇଥିଲା । ୧୫ତାରିଖ ମଧ୍ୟରାତିରେ ସୈଫ ଅଲ୍ଲୀ ଖାନଙ୍କ ବାନ୍ଦ୍ରା ବାସଭବନ ୧୧ ମହଲାରେ ତାଙ୍କ ଉପରେ ଛୁରାମାଡ଼ କରିଥିଲା ଦୁର୍ବୃତ୍ତ । ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ଅଭିଯୁକ୍ତକୁ ଖୋଜୁଛି ପୋଲିସ ।

Also Read : ସୈଫଙ୍କ ମେରୁଦଣ୍ଡରୁ ଅଢେଇ ଇଞ୍ଚର ଛୁରି ଖଣ୍ଡ ବାହାର କଲେ ଡାକ୍ତର, ଆଇସିୟୁରୁ ବାହାରିଲେ ଅଭିନେତା