ଆତ୍ମଜୀବନୀ ‘ୱିଟନେସ୍’ ରେ ଗୁମର ଖୋଲିଲେ ସାକ୍ଷୀ ମଲ୍ଲିକ: ଟ୍ୟୁସନ ସାର୍ କରୁଥିଲେ ଯୌନ ଶୋଷଣ, ବିକ୍ଷୋଭ ଆରମ୍ଭ କରି ପଛଘୁଞ୍ଚା ଦେଇଥିଲେ ବବିତା

ଅଲିମ୍ପିକରେ ଦେଶ ପାଇଁ ପଦକ ଜିତିବା ପ୍ରତି ଆଥଲେଟଙ୍କ ସ୍ୱପ୍ନ । ଏହି ସ୍ୱପ୍ନକୁ ପୂରଣ କରିବା ପାଇଁ ପ୍ରତ୍ୟେକ ଆଥଲେଟ୍ ଛୋଟରୁ ଯୁବକ ଅବସ୍ଥା ପର୍ଯ୍ୟନ୍ତ ଅଭ୍ୟାସରେ ସମୟ ଦେଇଥାନ୍ତି । ଆଥଲେଟ ନିଜ ଜୀବନର ଅଧା ଖେଳ ପ୍ରତି ସମର୍ପିତ କରିଦେଇଥାନ୍ତି । କିନ୍ତୁ ଯଦି ଏମାନଙ୍କ ମଧ୍ୟରୁ ଭାରତ ପାଇଁ ପଦକ ଆଣିଥିବା କୌଣସି ମହିଳା ଆଥଲେଟଙ୍କ ସହିତ ଅସଦାଚରଣ, ଶୋଷଣ କିମ୍ବା ଦୁଷ୍କର୍ମ ହୁଏ ତେବେ ତାହା ସତରେ ଲଜ୍ୟାଜନକ । ଆଉ ଏମିତି ଘଟଣାର ଶିକାର ହୋଇଛନ୍ତି ଭାରତୀୟ ମହିଳା କୁସ୍ତିଯୋଦ୍ଧା ସାକ୍ଷୀ ମଲ୍ଲିକ । ଯାହା ସେ ଆତ୍ମଜୀବନୀ ‘ୱିଟନେସ୍’ରେ ଉଲ୍ଲେଖ କରିଛନ୍ତି ।
ସେ କହିଛନ୍ତି, ‘‘ପିଲାଦିନେ ମୁଁ ନିୟମିତ ଭାବେ ଯୌନ ଶୋଷଣର ଶିକାର ହୋଇଥିଲି । ପଢ଼ାଇବା ନାଁରେ ଟିଉସନ୍ ସାର୍ ମୋତେ ଅଜବ ସମୟରେ ତାଙ୍କ ଘରକୁ ଡାକୁଥିଲେ । ପାଠ ତ ପଢ଼ାଉ ନଥିଲେ ବରଂ ମୋ ସରଳତାର ସୁଯୋଗ ନେଇ ସମ୍ବେଦନଶୀଳ ଅଙ୍ଗକୁ ଛୁଇଁବାକୁ ଚେଷ୍ଟା କରୁଥିଲେ । ସେତେବେଳେ ମୋତେ ବହୁତ ଖରାପ ଲାଗୁଥିଲା । ଏପରିକି ଟିଉସନ୍ ଯିବାକୁ ଭୀଷଣ ଡର ଲାଗୁଥିଲା। କିନ୍ତୁ କେଜାଣି କାହିଁକି ସେତେବେଳେ ମୁଁ ନିଜକୁ ନିଜେ ଦୋଷୀ ବୋଲି ଭାବୁଥିଲି ।
ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଆମେ କରିଥିବା ବିକ୍ଷୋଭର ମୂଳଦୁଆ ପ୍ରକୃତରେ ବବିତା ଫୋଗଟ ରଖିଥିଲେ । ବିକ୍ଷୋଭର ତିନି-ଚାରି ଦିନ ପୂର୍ବରୁ ଆମ ଭିତରେ ଏକ ଗୁପ୍ତ ବୈଠକ ହୋଇଥିଲା । ସେତେବେଳେ ବବିତା ମୋତେ କହିଥିଲେ, ତୁମେ ଆମ ସହ ଅଛ ତ ? ମୁଁ କହିଥିଲି, ତୁମ ସହ ମୁଁ ୧୫-୨୦ ବର୍ଷ ହେବ ଅଛି, ଆଗକୁ ବି ରହିବି । ପରେ ବିକ୍ଷୋଭ ସ୍ଥଳକୁ ଗଲାପରେ ଆମେ ଜାଣିବାକୁ ପାଇଥିଲୁ ଯେ ବବିତା ଓ ତିରଣ ରାଣା ଏଥିଲାଗି ପୋଲିସ ଠାରୁ ଅନୁମତି ନେଇଛନ୍ତି । ମୁଁ ଖୁସି ଥିଲି ଯେ, ଶେଷରେ କେହି ତ ବ୍ରିଜଭୂଷଣଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ସାହସ ଦେଖାଇଛନ୍ତି । ବଡ଼ କଥା ହେଲା ବିକ୍ଷୋଭ ଦିନକ ଭିତରେ ଶେଷ ହୋଇଯିବ ବୋଲି ମୁଁ ଭାବିଥିଲି । ଏହା ମାସାଧିକ କାଳ ଚାଲିବ ବୋଲି ସ୍ବପ୍ନରେ ଭାବି ନଥିଲି । ବବିତା ଜଣେ ବିଜେପି ନେତ୍ରୀ ହୋଇଥିବାରୁ ପରେ ବ୍ୟକ୍ତିଗତ ଲାଭ ପାଇଁ ବିକ୍ଷୋଭରୁ ଓହରି ଯାଇଥିଲେ ବୋଲି ସାକ୍ଷୀ ଲେଖିଛନ୍ତି ।
ବିକ୍ଷୋଭର କିଛି ଦିନ ପରେ ଭିନେଶ ଫୋଗଟ ଓ ବଜରଙ୍ଗ ପୁନିଆ କିଛି ଲୋକଙ୍କ କଥାରେ ପଥଭ୍ରଷ୍ଟ ହୋଇଯାଇଥିଲେ । ଭାରତୀୟ କୁସ୍ତିର ହିତ ପରିବର୍ତ୍ତେ, ବ୍ୟକ୍ତିଗତ ଲାଭ-କ୍ଷତିର ହିସାବ ଅଧିକ ରଖିଥିଲେ । ସେମାନେ ଅଲିମ୍ପିକ୍ସ ଚୟନ ଶିବିରରୁ ରିହାତି ପାଇବା କଥା ଉଠାଇଥିଲେ । ଏହା ଆମ ବିକ୍ଷୋଭର ଭାବମୂର୍ତ୍ତିକୁ କ୍ଷୁଣ୍ଣ କରିଥିଲା । କେହି ଆମକୁ ସମର୍ଥନ କରି ନଥିଲେ ବୋଲି ସାମ୍ବାଦିକ ଜୋନାଥନ ସେଲଭରାଜଙ୍କ ସହ ମିଶି ଲେଖାଯାଇଥିବା ‘ୱିଟନେସ୍’ ପୁସ୍ତକରେ ଏହା କହିଛନ୍ତି ।
ସାକ୍ଷୀ ନିଜ ଆତ୍ମଜୀବନୀରେ ସତ୍ୟବ୍ରତ କାଡ଼ିଆନଙ୍କ ସହ ପ୍ରେମ ବିବାହକୁ ତାଙ୍କ ପରିବାର କେମିତି ପ୍ରଥମେ ସ୍ବୀକୃତି ଦେଇ ପରେ ବିରୋଧ କରିଥିଲେ, ସେ ବିଷୟ ନିଖୁଣ ଭାବେ ବର୍ଣ୍ଣନା କରିଥିବା କହିଛନ୍ତି ।