ବଢ଼ିବ ଦିଲ୍ଲୀ ବିଧାୟକଙ୍କ ବେତନ: ୫୪ହଜାର ବଦଳରେ ୯୦ହଜାର କରିବା ପାଇଁ ମଞ୍ଜୁରୀ

ନୂଆଦିଲ୍ଲୀ : ଦିଲ୍ଲୀରେ ବଢିବ ବିଧାୟକଙ୍କ ଦରମା। ଏନେଇ କେନ୍ଦ୍ର ସରକାର ବିଧାୟକଙ୍କ ଦରମା ବୃଦ୍ଧିକୁ ମଂଜୁରୀ ଦେଇଛନ୍ତି । ଏବେ ଦିଲ୍ଲୀର ବିଧାୟକମାନଙ୍କୁ ମାସକୁ ୫୪ ହଜାର ଟଙ୍କା ଦରମା ମିଳୁଛି । ଦରମା ବଢ଼ିବା ପରେ ବିଧାୟକମାନେ ମାସକୁ ୯୦ ହଜାର ଟଙ୍କା ପାଇବେ ।

ବିଧାୟକମାନଙ୍କୁ ଏବେ ବେସିକ ସେଲେରି ଭାବେ ୧୨ ହଜାର ଟଙ୍କା ମିଳିଥାଏ । ଏହାକୁ ବଢ଼ାଯାଇ ୨୦ ହଜାର ଟଙ୍କା କରାଯିବ । ଭତ୍ତାକୁ ମିଶାଇ ଦରମାର ୫୪ ହଜାର ଟଙ୍କା ହେଉଥିବା ବେଳେ ସମୁଦାୟ ଭତ୍ତା ଓ ବେସିକ ଦରମା ୯୦ ହଜାର ଟଙ୍କା ହେବ । ଏହା ପୂର୍ବରୁ ଦିଲ୍ଲୀ ସରକାର କେନ୍ଦ୍ରକୁ ୨୦୧୫ରେ ପ୍ରସ୍ତାବ ଦେଇଥିଲେ । କିନ୍ତୁ ସେହି ସମୟରେ ଦିଲ୍ଲୀ ସରକାରଙ୍କ ପ୍ରସ୍ତାବକୁ କେନ୍ଦ୍ର ମଂଜୁରୀ ଦେଇ ନଥିଲେ । ଏହି ସୂଚନା ଦେଇଛନ୍ତି ବିଧାନସଭା ଅଧ୍ୟକ୍ଷ ରାମନିବାସୀ ଗୋୟଲ ।

ରାମନିବାସ ଗୋୟଲ କହିଛନ୍ତି ଯେ, ଗତଥର ବିଧାୟକଙ୍କ ଦରମା ୨୦୧୧ରେ ବଢ଼ିଥିଲା । ୧୧ ବର୍ଷ ପରେ ଏତେ କମ ଦରମା ବଢ଼ିବା ଉପଯୁକ୍ତ ନୁହେଁ । ସେ କହିଛନ୍ତି ଯେ, ଦିଲ୍ଲୀରେ ବିଧାୟକଙ୍କୁ ଅନ୍ୟ ରାଜ୍ୟର ବିଧାୟକଙ୍କ ଭଳି ସମାନ ଦରମା ମିଳିବା କଥା । ଗଣମାଧ୍ୟମର ରିପୋର୍ଟ ଅନୁସାରେ, କେନ୍ଦ୍ରର ମଂଜୁରୀ ମିଳିବା ପରେ ଦିଲ୍ଲୀ ବିଧାନସଭାର ଆଗାମୀ ଅଧିବେଶନରେ ବିଧାୟକଙ୍କ ଦରମା ବୃଦ୍ଧି ନେଇ ବିଲ ଆସିପାରେ ।

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସମୟରେ ଅନ୍ୟ ରାଜ୍ୟମାନଙ୍କ ମଧ୍ୟରେ ଉତ୍ତରାଖଣ୍ଡରେ ବିଧାୟକମାନେ ମାସିକ ୧.୯୮ ଲକ୍ଷ ଟଙ୍କା ଦରମା ପାଉଛନ୍ତି । ସେହିପରି ହିମାଚଳ ପ୍ରଦେଶରେ ୧.୯୦ ଲକ୍ଷ, ହରିୟାଣାରେ ୧.୫୫ ଲକ୍ଷ, ବିହାରରେ ୧.୩୦ ଲକ୍ଷ, ରାଜସ୍ଥାନରେ ୧,୪୨,୫୦୦, ତେଲେଙ୍ଗାନାରେ ୨.୫ ଲକ୍ଷ, ଆନ୍ଧ୍ରପ୍ରଦେଶଷର ୧.୨୫ ଲକ୍ଷ, ଗୁଜୁରାଟରେ ୧.୦୫ ଲକ୍ଷ, ଉତ୍ତର ପ୍ରଦେଶରେ ୯୫ ହଜାର ମାସିକ ଦରମା ରହିଛି ।

 

Leave A Reply

Your email address will not be published.