ପୁଣି ସଲମାନଙ୍କୁ ଜୀବନରୁ ମାରିଦେବାକୁ ଧମକ, ୨ କୋଟି ଦାବି କଲା ଅଜ୍ଞାତ ବ୍ୟକ୍ତି
ସଲମାନ ଖାନଙ୍କୁ ପୁଣି ଥରେ ମିଳିଛି ହତ୍ୟା ଧମକ । ଆଜି ସକାଳେ ମୁମ୍ବାଇ ଟ୍ରାଫିକ ପୋଲିସ କଣ୍ଟ୍ରୋଲ ରୁମକୁ ଏନେଇ ଏକ ଧମକପୂର୍ଣ୍ଣ ମେସେଜ ଆସିଛି । ମେସେଜ ପଠାଇଥିବା ବ୍ୟକ୍ତି ୨ କୋଟି ଟଙ୍କା ଦାବି କରିଛି । ମେସେଜ କରିଥିବା ବ୍ୟକ୍ତି ଯଦି ଟଙ୍କା ନ ମିଳେ, ତେବେ ସଲମାନଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଛି । ଏହି ମାମଲାରେ ୱର୍ଲି ପୋଲିସ ଅଜ୍ଞାତ ବ୍ୟକ୍ତି ବିରୋଧରେ ଧାରା ୩୫୪(୨) ଏବଂ ୩୦୮(୪) ଅଧିନରେ ଏଫଆଇଆର ଦାୟର କରିଛି ।
ମଙ୍ଗଳବାର ମୁମ୍ବାଇ ଟ୍ରାଫିକ ପୋଲିସ କଣ୍ଟ୍ରୋଲ ରୁମକୁ ଏହି ମେସେଜ ଆସିଥିଲା । ଯେଉଁଥିରେ ଜଣେ ଅଜ୍ଞାତ ବ୍ୟକ୍ତି ଧମକ ଦେଇଥିବା କୁହାଯାଉଛି । ଏହି ଧମକପୂର୍ଣ୍ଣ ମେସେଜ ମିଳିବା ପରେ ମୁମ୍ବାଇର ୱର୍ଲି ଥାନାରେ ଏକ ମାମଲା ରୁଜୁ ହୋଇଛି ଏବଂ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନାଯୋଗ୍ୟ , ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗଠାରୁ ସଲମାନ ଖାନଙ୍କୁ କ୍ରମାଗତ ଭାବରେ ହତ୍ୟା ଧମକ ମିଳୁଛି । ନିକଟରେ ସଲମାନ ଖାନଙ୍କ ଅତି ଘନିଷ୍ଠ ବନ୍ଧୁ ତଥା ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯାଇଛି । ବିଷ୍ଣୋଇ ଗ୍ୟାଙ୍ଗ ଏଥିପାଇଁ ନିଜକୁ ଦାୟୀ କରିଛି । ବାବା ସିଦ୍ଦିକିଙ୍କୁ ହତ୍ୟା କରିବା ପରେ ସଲମାନ ଖାନଙ୍କ ସୁରକ୍ଷା ବଢାଇ ଦିଆଯାଇଛି ।
ସଲମାନ ଖାନଙ୍କୁ ଗୋଟିଏ ଦିନରେ ମିଳିଥିବା ଦ୍ୱିତୀୟ ଧମକ । ମଙ୍ଗଳବାର ଦିନ ସଲମାନ ଖାନ ଏବଂ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କ ବିଧାୟକ ପୁଅ ଜିଶାନ ସିଦ୍ଦିକିଙ୍କୁ ଆଉ ଏକ ହତ୍ୟା ଧମକ ମିଳିଥିଲା । ଉଭୟଙ୍କୁ ଟଙ୍କା ମଧ୍ୟ ମଗାଯାଇଥିଲା । ଏହି ମାମଲାରେ ପୋଲିସ ନୋଏଡାରୁ ମହମ୍ମଦ ତୈୟାବ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି । ଅଭିଯୁକ୍ତ ଦିଲ୍ଲୀର ବାସିନ୍ଦା । ସେକ୍ଟର ୩୯ ଥାନା ଅଞ୍ଚଳରୁ ତାକୁ ଗିରଫ କରାଯାଇଥିଲା । ଅଭିଯୁକ୍ତ ପ୍ରଥମେ ମିସଡ କଲ ଦେଇଥିଲେ । ପରେ ମେସେଜ୍ କରି ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ସେହି ନମ୍ବରରୁ ହିଁ ସଲମାନ ଖାନଙ୍କୁ ଧମକ ଦିଆଯାଇଥିଲା । ଉକ୍ତ ନମ୍ବରକୁ ଟ୍ରାକ୍ କରି ନୋଏଡାରୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ।