ସଲମାନ ଖାନଙ୍କୁ କାଉଣ୍ଟର ଧମକ ଦେବାକୁ କହିଲେ ରାମ ଗୋପାଳ ବର୍ମା, ଲରେନ୍ସ ବିଷ୍ଣୋଇଙ୍କ ଉପରେ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା

ଜଣାଶୁଣା ରାଜନେତା ବାବା ସିଦ୍ଦିକୀଙ୍କ ହତ୍ୟା ପରଠୁ ପୋଲିସ ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କ ସୁରକ୍ଷାକୁ ଆହୁରି ବଢ଼ାଇ ଦେଇଛି । ସଲମାନଙ୍କ ଘର ବାନ୍ଦ୍ରାର ଗ୍ୟାଲାକ୍ସି ଆପାର୍ଟମେଣ୍ଟ ବାହାରେ ସିକ୍ୟୁରିଟି ବଢ଼ାଇ ଦିଆଯାଇଛି । କେବଳ ଏତିକି ନୁହେଁ, ସଲମାନଙ୍କ ସାଙ୍ଗମାନଙ୍କୁ ମଧ୍ୟ ବର୍ତ୍ତମାନ ପାଇଁ ତାଙ୍କୁ ନ ଭେଟିବାକୁ କୁହାଯାଇଛି ।

ବାବା ସିଦ୍ଦିକୀଙ୍କୁ ମୁମ୍ବାଇରେ ଗୁଳି କରି ହତ୍ୟା କରାଯାଇଛି । ଏହି ହତ୍ୟା ପାଇଁ ନିଜକୁ ଦାୟୀ କରିଛି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ । ସୋସିଆଲ ମିଡିଆରେ ଏକ ପୋଷ୍ଟ ଜରିଆରେ ଏହି କଥା ସାମ୍ନାକୁ ଆସିଛି । ବାବା ସିଦ୍ଦିକୀ, ସଲମାନଙ୍କର ଅତି ଘନିଷ୍ଠ ଥିଲେ । ବିଷ୍ଣୋଇ ଗ୍ୟାଙ୍ଗ୍‌ର ସଲମାନଙ୍କ ସହ ପୁରୁଣା ଶତ୍ରୁତା ରହିଛି । ନିକଟରେ ଅଭିନେତାଙ୍କ ଘର ବାହାରେ ହୋଇଥିବା ଫାୟାରିଂରେ ମଧ୍ୟ ଏହି ଗ୍ୟାଙ୍ଗ୍‌ର ହାତ ଥିଲା ।

ତେବେ ଏହାରି ଭିତରେ ଫିଲ୍ମ ନିର୍ମାତା ରାମ ଗୋପାଳ ବର୍ମା ବର୍ତ୍ତମାନ ପୂରା ମାମଲାକୁ ନେଇ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ ଲେଖିଛନ୍ତି । ସେ ଗୋଟିଏ ପରେ ଗୋଟିଏ ଟ୍ୱିଟ୍‌ କରିଛନ୍ତି ।

ଏଥିରେ ରାମ ଗୋପାଳ ବର୍ମା ଲେଖିଛନ୍ତି ଯେ ‘୧୯୯୮ରେ ଯେବେ କଳା ହରିଣଙ୍କୁ ମରାଯାଇଥିଲା, ସେହି ସମୟରେ ଲରେନ୍ସ ବିଷ୍ଣୋଇ ୫ ବର୍ଷର ହୋଇଥିଲେ । ୨୫ ବର୍ଷ ଧରି ସେ ନିଜ ଭିତରେ ଘୃଣାକୁ ପାଳି ରଖିଥିଲେ । ଆଜି ତାଙ୍କୁ ୩୦ ବର୍ଷ ବୟସ ଏବଂ ସଲମାନ ଖାନଙ୍କୁ ଜୀବନରୁ ମାରିଦେବା ତାଙ୍କର ଲକ୍ଷ୍ୟ । କାରଣ, ସଲମାନ ହରିଣକୁ ମାରିଥିଲେ । କ’ଣ ସତରେ ଏହା ପଶୁଙ୍କ ପ୍ରତି ତାଙ୍କର ଭଲପାଇବା ନା କୌଣସି ଥଟ୍ଟା କରୁଛନ୍ତି ଭଗବାନ’?

ଏହା ସହିତ ରାମ ଗୋପାଳ ବର୍ମା ଅନ୍ୟ ଏକ ପୋଷ୍ଟରେ ଲେଖିଛନ୍ତି, ‘ମୁଁ ଆଶା କରୁଛି, ସଲମାନ ଖାନ ଠିଆ ହେବେ ଏବଂ ବିଷ୍ଣୋଇଙ୍କ ଧମକର ଜବାବ ଦେବେ । ମୁଁ ଚାହୁଁଛି, ସଲମାନ ଖାନ ଏକ ସୁପର କାଉଣ୍ଟର ଧମକ ଦିଅନ୍ତୁ, ଅନ୍ୟଥା ଏହା ଟାଇଗର ଷ୍ଟାରଙ୍କ ଭୀରୁତା ଭଳି ଲାଗିବ’ ।

କହି ରଖୁଛୁ, ବଲିଉଡ୍‌ ଷ୍ଟାର ସଲମାନ ଖାନ ୧୯୯୮ରେ ଫିଲ୍ମ ‘ହମ୍‌ ସାଥ୍‌ ସାଥ୍‌ ହୈ’ର ସୁଟିଂ ସମୟରେ ରାଜସ୍ଥାନରେ କଳା ହରିଣ ଶିକାର କରିଥିଲେ । କଳା ହରିଣକୁ ବିଷ୍ଣୋଇ ସମାଜ ବହୁତ ପବିତ୍ର ବୋଲି ମାନନ୍ତି । ଏହା ପରଠାରୁ ବିଷ୍ଣୋଇ ସମ୍ପ୍ରଦାୟ ସଲମାନ ଖାନଙ୍କୁ ନେଇ କ୍ରୋଧିତ ରହିଛି । ୨୦୧୮ରେ ଯେବେ ସଲମାନ ଯୋଧପୁର କୋର୍ଟରେ ହାଜର ହୋଇଥିଲେ, ସେହି ସମୟରେ ଲରେନ୍ସ ବିଷ୍ଣୋଇ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ।

You might also like