‘ମୋ ପୁଅ କ୍ଷମା ମାଗିବ ନାହିଁ.. ସେ ଜୀବନରେ ଅସରପା ବି ମାରିନି’ : ସଲିମ ଖାନ

ଏନସିପିର ବରିଷ୍ଠ ନେତା ବାବା ସିଦ୍ଦିକିଙ୍କୁ ହତ୍ୟା ପରେ ସଲମାନଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢିଛି । ବାବା ସିଦ୍ଦିକିଙ୍କୁ ହତ୍ୟା କରିଥିବା ସ୍ୱୀକାର କରିବା ପରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ସଲମାନଙ୍କୁ ଜୀବନରୁ ମାରିଦେବାକୁ ବାରମ୍ବାର ଧମକ ମିଳିଛୁ । ଏପରି ସମୟରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗକୁ ମୁହଁତୋଡ଼ ଜବାବ ଦେଇଛନ୍ତି ସଲମାନଙ୍କ ବାପା ସଲିମ ଖାନ । ସେ କହିଛନ୍ତି, ବାବା ସିଦ୍ଦିକି ହତ୍ୟା ଏବଂ ସଲମାନଙ୍କ ମଧ୍ୟ କୌଣସି ପ୍ରକାରର ଲିଙ୍କ ନାହିଁ ।
ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସମ୍ମୁଖରେ ସଲମାନ କେବେ ବି ମୁଣ୍ଡ ନୁଆଁଇବେ ନାହିଁ କି କ୍ଷମା ମାଗିବେ ନାହିଁ ବୋଲି କହିଛନ୍ତି ସଲିମ । ମୋ’ ପୁଅ କେବେ ବି କୌଣସି ପଶୁ ଶିକାର କରିନି । ପଶୁ ଦୂରର କଥା ସେ କେବେ ବି ଏକ ଅସରପାକୁ ମାରିନି ବୋଲି କହିଛନ୍ତି ସଲିମ । କଥାରେ ଅଛି ତଳକୁ ଦେଖି ଚାଲିବା କଥା । ଆପଣ ବିନମ୍ର ହେବା କୌଣସି ଲଜ୍ୟା କରିବାର କଥା ନୁହେଁ । ମୋତେ ସବୁବେଳେ ଭୟ ଲାଗେ କି, ମୁଁ ଚାଲୁଥିବା ବେଳେ କିଏ କୌଣସି ଜୀବନ ମୋ ପାଦ ତଳକୁ ଆସି ଆହତ ନ ହେଉ । ଆମ ପରିବାର ହିଂସାରେ କେବେ ବି ବିଶ୍ୱାସ କରନେି । ତେଣୁ ସଲମାନ କେବେ ବି ମୁଣ୍ଡ ନୂଆଁଇବେ ନାହିଁ କି କ୍ଷମା ମାଗିବାର ପ୍ରଶ୍ନ ଉଠୁନି ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ, ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନ ଖାନଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି । ବାନ୍ଦ୍ରାରେ ଥିବା ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟର ସୁରକ୍ଷା କଡ଼ାକଡ଼ି କରି ଦିଆଯାଇଛି । ୬୦ ଜଣ ପୋଲିସ କର୍ମଚାରୀ ସାଦା ପୋଷାକରେ ଗାଲାକ୍ସି ଆପାର୍ଟମେଣ୍ଟ ନିକଟରେ ମୁତୟନ ରହିଛନ୍ତି । ସେମାନେ ୨୪ ଘଣ୍ଟିଆ ସୁରକ୍ଷା ଯୋଗାଇ ଦେଉଛନ୍ତି । ସେମାନେ ଏସଓପି ଅନୁସାରେ କାର୍ଯ୍ୟ କରୁଥିବା ବେଳେ ଉକ୍ତ ଅଞ୍ଚଳରେ ହେଉଥିବା ପ୍ରତିଟି ଗତିବିଧି ଉପରେ ନଜର ରଖିଛନ୍ତି ।
ବଲିଉଡ୍ ଷ୍ଟାର ସଲମାନ ଖାନ ୧୯୯୮ରେ ଫିଲ୍ମ ‘ହମ୍ ସାଥ୍ ସାଥ୍ ହୈ’ର ସୁଟିଂ ସମୟରେ ରାଜସ୍ଥାନରେ କଳା ହରିଣ ଶିକାର କରିଥିଲେ । କଳା ହରିଣକୁ ବିଷ୍ଣୋଇ ସମାଜ ବହୁତ ପବିତ୍ର ବୋଲି ମାନନ୍ତି । ଏହା ପରଠାରୁ ବିଷ୍ଣୋଇ ସମ୍ପ୍ରଦାୟ ସଲମାନ ଖାନଙ୍କୁ ନେଇ କ୍ରୋଧିତ ରହିଛି । ୨୦୧୮ରେ ଯେବେ ସଲମାନ ଯୋଧପୁର କୋର୍ଟରେ ହାଜର ହୋଇଥିଲେ, ସେହି ସମୟରେ ଲରେନ୍ସ ବିଷ୍ଣୋଇ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ।