କୋଲକାତା କାଣ୍ଡ: ସୁପ୍ରିମ୍‌କୋର୍ଟ ଗଲେ ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ, ହାଇକୋର୍ଟଙ୍କ ଟିପ୍ପଣୀ ବିରୋଧରେ ଆବେଦନ

କୋଲକାତା ଆରଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ବୁଧବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେ ସୁପ୍ରିମ୍‌କୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି । ଏହି ଆବେଦନରେ କୁହାଯାଇଛି ଯେ ଦୁର୍ନୀତି ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିବା ପୂର୍ବରୁ କଲିକତା ହାଇକୋର୍ଟ ତାଙ୍କର ପକ୍ଷ ଶୁଣାଣି କରିନାହାନ୍ତି । ହସ୍ପିଟାଲ ଦୁଷ୍କର୍ମ ଘଟଣାକୁ ଦୁର୍ନୀତି ଅଭିଯୋଗ ସହ ଯୋଡ଼ି ହାଇକୋର୍ଟ ଦେଇଥିବା ଟିପ୍ପଣୀକୁ ହଟାଇବାକୁ ଘୋଷ ଦାବି କରିଛନ୍ତି । ସୁପ୍ରିମକୋର୍ଟ ସେପ୍ଟେମ୍ବର ୬ରେ ଏହି ପିଟିସନର ଶୁଣାଣି କରିବେ ।

ଅଗଷ୍ଟ ୨୩ରେ କଲିକତା ହାଇକୋର୍ଟ ଆରଜି କର ହସ୍ପିଟାଲରେ ହୋଇଥିବା ଆର୍ଥିକ ଅନିୟମିତତାର ତଦନ୍ତକୁ ଏସ୍‌ଆଇଟିରୁ ସିବିଆଇକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ପୂର୍ବତନ ପ୍ରିନ୍ସିପାଲ୍ ସନ୍ଦୀପ ଘୋଷଙ୍କୁ ମଙ୍ଗଳବାର ୮ ଦିନିଆ ପୋଲିସ ହେପାଜତକୁ ପଠାଯାଇଥିଲା ।

ଆର୍ଥିକ ଅନିୟମିତତା ଅଭିଯୋଗରେ ସିବିଆଇ ସନ୍ଦୀପ ଘୋଷଙ୍କ ସହ ଅନ୍ୟ ତିନି ଜଣଙ୍କୁ ଗିରଫ କରିଥିଲା । ଘୋଷଙ୍କ ବିରୋଧରେ ସିବିଆଇ ଦୁଇଟି ମାମଲା ରୁଜୁ କରିଛି । ସେଥିମଧ୍ୟରୁ ପ୍ରଥମଟି ହେଉଛି, ଅଗଷ୍ଟ ୯ରେ ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା । ଦ୍ୱିତୀୟଟି ହେଲା, ହସ୍ପିଟାଲରେ ଆର୍ଥିକ ଅନିୟମିତତା ମାମଲା ।

କହି ରଖୁଛୁ, କୋର୍ଟ ସନ୍ଦୀପ ଘୋଷଙ୍କୁ ୮ ଦିନିଆ ସିବିଆଇ ହେପାଜତକୁ ପଠାଇଛନ୍ତି । କୋର୍ଟରେ ୧୦ ଦିନର ହେପାଜତ ମାଗିଥିଲା ସିବିଆଇ । କିନ୍ତୁ କୋର୍ଟ ୮ ଦିନ ପାଇଁ ଅନୁମତି ପ୍ରଦାନ କରିଛନ୍ତି ।

You might also like