ସଞ୍ଜୟ ରାଉତଙ୍କୁ ଜମି ଦୁର୍ନୀତି ମାମଲାରେ ମିଳିଲାନି ଆଶ୍ୱସ୍ତି, ୪ ଦିନିଆ ରିମାଣ୍ଡରେ ନେଲା ଇଡି

ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଜମି ଦୁର୍ନୀତି ମାମଲାରେ ଆଶ୍ଵସ୍ତି ମିଳିନାହିଁ। ଶୁଣାଣି ପରେ କୋର୍ଟ ତାଙ୍କୁ ଚାରି ଦିନିଆ ଇଡି ରିମାଣ୍ଡରେ ପଠାଇଛନ୍ତି। ଇଡି କଡା ସୁରକ୍ଷା ମଧ୍ୟରେ ସଞ୍ଜୟ ରାଉତଙ୍କୁ କୋର୍ଟରେ ହାଜର କରିଥିଲା ଇଡି। ଇଡି କୋର୍ଟରେ ଆଠ ଦିନିଆ ରିମାଣ୍ଡ ଦାବି କରିଥିଲା। ଗତକାଲି ସନ୍ଧ୍ୟାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସଞ୍ଜୟ ରାଉତଙ୍କୁ ତାଙ୍କ ବାସଭବନରୁ ହେପାଜତରେ ନେଇଥିଲା। ଏହାପରେ ତାଙ୍କୁ ୯ ଘଣ୍ଟା ଜେରା କରିବା ପରେ ମଧ୍ୟ ରାତ୍ରିରେ ତାଙ୍କୁ ଗିରଫ କରାଯାଇଥିଲା। ସୋମବାର ସକାଳେ ଡାକ୍ତରୀ ପରୀକ୍ଷା ପରେ ଇଡି ତାଙ୍କୁ କୋର୍ଟରେ ହାଜର କରାଇଥିଲା। ଦୀର୍ଘ ସମୟ ଶୁଣାଣି ପରେ କୋର୍ଟ ସଞ୍ଜୟ ରାଉତଙ୍କୁ ଚାରି ଦିନିଆ ଇଡି ରିମାଣ୍ଡରେ ପଠାଇଛନ୍ତି।

ଅନ୍ୟପଟେ ଆଜି ସକାଳେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସଞ୍ଜୟ ରାଉତଙ୍କ ଖୋଲାଖୋଲି ସମର୍ଥନ କରିଛନ୍ତି।  ବିଜେପି ଉପରେ ଖୁବ୍ ବର୍ଷି କହିଛନ୍ତି ସଞ୍ଜୟ ରାଉତ କେବେ ବି ସେମାନଙ୍କ ସାମ୍ନାରେ ମୁଣ୍ଡ ନୁଆଁଇବେ ନାହିଁ। ଏହା ପୂର୍ବରୁ ଉଦ୍ଧବ ଠାକରେ ସଞ୍ଜୟ ରାଉତଙ୍କ ଘରେ ପହଞ୍ଚିଥିଲେ ଏବଂ ତାଙ୍କ ପରିବାର ଲୋକଙ୍କୁ ଭେଟିଥିଲେ।

ଇଡି ରବିବାର ମଧ୍ୟରାତିରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଗିରଫ କରିଥିଲା। ୧୦୩୪ କୋଟି ଟଙ୍କାର ପାତ୍ରା ଚଲ ଜମି ଦୁର୍ନୀତି ମାମଲାରେ ତାଙ୍କୁ ଗିରଫ କରାଯାଇଛି। ଏହା ପୂର୍ବରୁ ଇଡି ସଞ୍ଜୟଙ୍କ ଘରେ ପାଖାପାଖି ୧୭ ଘଣ୍ଟା ତଲାସି କରିଥିଲା। ଏହି ସମୟରେ ତାଙ୍କୁ ଏବଂ ତାଙ୍କ ପତ୍ନୀଙ୍କୁ ପଚରା ଉଚୁରା କରିଥିଲା। ପୂର୍ବରୁ ଇଡି ଏହି ମାମଲାରେ ସଞ୍ଜୟ ରାଉତଙ୍କ ଦାଦର ଏବଂ ଆଲିବାଗରେ ଥିବା ୯ କୋଟି ଟଙ୍କା ଏବଂ ତାଙ୍କ ପତ୍ନୀ ବର୍ଷାଙ୍କ ୨ କୋଟି ଟଙ୍କାର ସମ୍ପତ୍ତି ଜବତ କରିସାରିଛି।

ଏହି ମାମଲାରେ ଇଡି ଜୁଲାଇ ୨୦ରେ ସଞ୍ଜୟ ରାଉତଙ୍କୁ ସମନ ଜାରି କରିଥିଲା। କିନ୍ତୁ ରାଷ୍ଟ୍ରପତି ନିର୍ବାଚନରେ ବ୍ୟସ୍ତତା ଯୋଗୁ ଶିବସେନା ସାଂସଦ ଏଜେନ୍ସିରେ ହାଜର ହୋଇପାରିନଥିଲେ। ସେ ଓକିଲଙ୍କ ଜରିଆରେ ଅଗଷ୍ଟ ୭ ଯାଏଁ ସମୟ ମାଗିଥିଲେ।

Leave A Reply

Your email address will not be published.