ଶିବସେନା (ୟୁବିଟି) ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଏକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଗୁରୁବାର ତାଙ୍କୁ ମୁମ୍ବାଇର ଏକ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । କୋର୍ଟ ରାଉତଙ୍କୁ ୧୫ ଦିନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହା ସହିତ ୨୫ ହଜାର ଟଙ୍କା ଜରିମାନା ଦେବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି, ଯାହାକୁ କ୍ଷତିପୂରଣ ରୂପେ ରାଉତଙ୍କଠାରୁ ଆଦାୟ କରାଯିବ ।
ବିଜେପି ନେତା କିରିଟ ସୋମାୟାଙ୍କ ପତ୍ନୀ ମେଧାଙ୍କ ତରଫରୁ ରାଉତଙ୍କ ବିରୋଧରେ ଏକ ମାନହାନି ମାମଲା ଦାୟର କରାଯାଇଥିଲା । ମେଧା ସୋମାୟା ରାଉତଙ୍କ ବିରୋଧରେ କେସ୍ କରିଥିଲେ । ଭାରତୀୟ ଦଣ୍ଡ ସଂହିତାର ଧାରା ୫୦୦ ଅଧୀନରେ ରାଉତଙ୍କୁ ମାନହାନିର ଦୋଷୀ ସାବ୍ୟସ୍ତ କରାଯାଇଛି ।
ମେଧା ଅଭିଯୋଗ କରିଥିଲେ ଯେ ମୀରା ଭୟନ୍ଦରରେ ସର୍ବସାଧାରଣ ଶୌଚାଳୟ ନିର୍ମାଣରେ ୧୦୦ କୋଟି ଟଙ୍କା ଦୁର୍ନୀତିରେ ସମ୍ପୃକ୍ତି ଥିବା ନେଇ ତାଙ୍କ ଏବଂ ତାଙ୍କ ସ୍ୱାମୀଙ୍କ ବିରୋଧରେ ରାଉତ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ଅପମାନଜନକ ।
ମେଧା କହିଥିଲେ କି, ଗଣମାଧ୍ୟମ ସାମ୍ନାରେ ରାଉତ ଦେଇଥିବା ବୟାନ ଅପମାନଜନକ । ସାଧାରଣ ଜନତାଙ୍କ ଆଗରେ ମୋର ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ରାଉତ ଅଭିଯୋଗ ଲଗାଇଛନ୍ତି ।