ସରବଜିତ ସିଂଙ୍କ ପତ୍ନୀ ସୁଖପ୍ରୀତ କୌରଙ୍କ ପରଲୋକ, ସଡକ ଦୁର୍ଘଟଣାରେ ମୃତ୍ୟୁ

ପାକିସ୍ତାନ ଜେଲରେ ମୃତ୍ୟୁବରଣ କରିଥିବା ସରବଜିତ୍‌ ସିଂହଙ୍କ ପତ୍ନୀ ସୁଖପ୍ରୀତ କୌରଙ୍କ ଗତକାଲି ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଅମୃତସର ପାଖ ଫତେହପୁର ଗାଁ ନିକଟରେ କାର ଅନିୟନ୍ତ୍ରିତ ହୋଇ ଖସିପଡିଥିଲା। ଫଳରେ କାରରେ ଥିବା ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସରବଜିତଙ୍କ ପତ୍ନୀ ସୁଖପ୍ରୀତ ପ୍ରାଣ ହରାଇଥିଲେ। ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯିବ।

ଲାହୋର ଜେଲରେ ୨୦୧୩ରେ ମୃତ୍ୟୁବରଣ କରିଥିଲେ ସରବଜିତ। ଚଳିତବର୍ଷ ଜୁନରେ ସରବଜିତଙ୍କ ଭଉଣୀ ଦଲବୀର କୌର ହୃଦଘାତରେ ମୃତ୍ୟୁବରଣ କରିଥିଲେ। ଭାଇକୁ ପାକିସ୍ତାନ ଜେଲରୁ ଛଡାଇବା ପାଇଁ ଦଲବୀର ‘ସରବଜିତ ବଞ୍ଚାଅ’ ଅଭିଯାନ ଆରମ୍ଭ କରିଥିଲେ।

ସୂଚନାଯୋଗ୍ୟ, ସରବଜିତ ସିଂ ୧୯୯୦ରେ ନିଶା ଅବସ୍ଥାରେ ପାକିସ୍ତାନକୁ ଚାଲିଯାଇଥିଲେ। ପାକିସ୍ତାନ ସୀମାବର୍ତ୍ତୀ ଗାଁ ଭିଖିଓ୍ଵିଣ୍ଡରେ ରହୁଥିଲେ। ପାକିସ୍ତାନରେ ତାଙ୍କୁ ମନଜିତ ସିଂ ନାମରେ ନକଲି ପରିଚୟ ସୃଷ୍ଟି କରାଯାଇ ବୋମା ବିସ୍ଫୋରଣ ମାମଲାରେ ଆଜୀବନ କାରାଦଣ୍ଡ ଦିଆଯାଇଥିଲା। ସରବଜିତ୍‌ ସିଂହ ୨୨ ବର୍ଷ ଧରି ଜେଲରେ ରହିବା ବେଳେ ତାଙ୍କ ବଡ଼ ଭଉଣୀ ଦଲବୀର କୌର ଭାଇଙ୍କୁ ମୁକ୍ତ କରିବା ପାଇଁ ବହୁତ ଲଢ଼େଇ ଲଢ଼ିଥିଲେ। ଦଲବୀର କୌର ସବୁବେଳେ ଜୋର ଦେଇ କହୁଥିଲେ ଯେ ତାଙ୍କ ଭାଇ ସରବଜିତ ସିଂହ ନିର୍ଦ୍ଦୋଷ ଥିଲେ। ସେ ଭୁଲରେ ପାକିସ୍ତାନ ପଳାଇଥିଲେ। କିନ୍ତୁ ସେଠାରେ ତାଙ୍କୁ ଗିରଫ କରାଗଲା। ସେ ଭାଇଙ୍କୁ ଦେଖା କରିବାକୁ ପାକିସ୍ତାନ ମଧ୍ୟ ଯାଇଥିଲେ। କିନ୍ତୁ ପରେ ଜେଲରେ ଏକ ଗଣ୍ଡଗୋଳ ବେଳେ ସରବଜିତଙ୍କ ମୃତ୍ୟୁ ଘଟିଥିଲା। ସେତେବେଳେ ବୈଦେଶିକ ମନ୍ତ୍ରାଳୟ ପାକିସ୍ତାନ ସରକାରଙ୍କୁ ସରବଜିତ୍‌ ସିଂହଙ୍କ ମୃତ୍ୟୁର ତଦନ୍ତ କରିବାକୁ କହିଥିଲେ। ତାଙ୍କ ଭଉଣୀ ମଧ୍ୟ ତଦନ୍ତ ଦାବି କରିଥିଲେ। ଏଥିସହ ସେ କହିଥିଲେ ଯଦି ଆକ୍ରମଣର ଯୋଜନା ସରକାର କରିଛନ୍ତି ତେବେ ତଦନ୍ତର ଆବଶ୍ୟକତା ନାହିଁ। କିନ୍ତୁ ଯଦି ଅଧିକାରୀଙ୍କ ଅଜାଣତରେ ସରବଜିତଙ୍କ ଉପରେ ଆକ୍ରମଣ କରାଯାଇଛି ତେବେ ତଦନ୍ତ ଜରୁରୀ।

ପଞ୍ଜାବର ତରନତାରନ ଜିଲ୍ଲାର ଭିଖିଓ୍ଵିଣ୍ଡ ଗାଁ ନିବାସୀ ସରବଜିତ ସିଂହ ଅଗଷ୍ଟ ୧୯୯୦ରେ ଭୁଲରେ ପାକିସ୍ଥାନ ସୀମା ଭିତରକୁ ପ୍ରବେଶ କରିଥିଲେ। ସେଠାରେ ପାକ୍‌ ସୁରକ୍ଷା କର୍ମୀ ତାଙ୍କୁ ଗିରଫ କରିଥିଲେ। ପାକିସ୍ତାନ ପକ୍ଷରୁ ସରବଜିତଙ୍କୁ ଗୁଇନ୍ଦା ଏଜେଣ୍ଟ ବୋଲି କୁହାଯାଇଥିଲା। ୧୯୯୧ ଅକ୍ଟୋବରରେ ପାକ୍‌ କୋର୍ଟ ତାଙ୍କୁ ଫାଶୀ ଦଣ୍ଡାଦେଶ ଦେଇଥିଲେ।

ଏହି ମାମଲାରେ କୋର୍ଟ ତାଙ୍କୁ ୨୦୦୮ରେ ଫାଶୀ ସଜା ଦେଇଥିଲେ। ତେବେ ଅର୍ନ୍ତଜାତୀୟ ଚାପ ଯୋଗୁଁ ଫାଶୀ ଆଦେଶଙ୍କୁ ଅନିଶ୍ଚିତକାଳ ପାଇଁ ଏଡାଇ ଦିଆଯାଇଥିଲା। ୨୦୧୩ରେ ସରବଜିତଙ୍କ ଉପରେ ସାଥୀ କଏଦୀମାନେ ଜେଲରେ ଆକ୍ରମଣ କରିଥିଲେ। ତା’ ପରେ ୨୦୧୩ ମଇ ୨  ତାରିଖରେ ହସପିଟାଲରେ ତାଙ୍କର ମୃତ୍ୟୁହୋଇଥିଲା। ତାଙ୍କ ମୃତ୍ୟୁରେ ପଞ୍ଜାବ ସରକାର ୩ ଦିନ ପାଇଁ ରାଷ୍ଟ୍ରୀୟ ଶୋକ ଘୋଷଣା କରିଥିଲେ।

ସରବଜିତଙ୍କ ଜୀବନ ଉପରେ ଆଧାରିତ ଫିଲ୍ମ ‘ସରବଜିତ୍‌’ରେ ରଣଦୀପ ହୁଡ୍ଡା ସରବଜିତ ଓ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଦଲବୀର କୌର ଭୂମିକାରେ ଅଭିନୟ କରିଥିଲେ।

 

Also Read : ନାବାଳିକାକୁ ଗଣଦୁଷ୍କର୍ମ କରିବା ପରେ ଡିଜେଲ ପକାଇ ଜୀବନ୍ତ ଜଳାଇଲେ ଦୁର୍ବୃତ୍ତ, ପୀଡିତାଙ୍କ ଅବସ୍ଥା ଗୁରୁତର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.