ସରବଜିତ୍‌ ସିଂହଙ୍କ ଭଉଣୀ ଦଲବୀର କୌରଙ୍କ ମୃତ୍ୟୁ, ପାକିସ୍ତାନରେ ବନ୍ଦୀ ଭାଇଙ୍କୁ ମୁକୁଳାଇବାକୁ କରିଥିଲେ ଆନ୍ଦୋଳନ

ପଞ୍ଜାବ: ପାକିସ୍ତାନ ଜେଲରେ ମୃତ୍ୟୁବରଣ କରିଥିବା ସରବଜିତ୍‌ ସିଂହଙ୍କ ଭଉଣୀ ଦଲବୀର ସିଂହଙ୍କର ଶନିବାର ରାତିରେ ନିଧନ ହୋଇଛି। ତାଙ୍କ ଅନ୍ତିମ ସଂସ୍କାର ରବିବାର ଦିନ ପଞ୍ଜାବର ତରନତାରନ ଜିଲ୍ଲାର ଭିଖିଓ୍ଵିଡରେ କରାଯିବ। ସରବଜିତ୍‌ ସିଂହ ପଞ୍ଜାବର ସୀମାବର୍ତ୍ତୀ ଜିଲ୍ଲା ତରନତାରନ ଜିଲ୍ଲାର ଭିଖିଓ୍ଵଡିର ବାସିନ୍ଦା ଥିଲେ। ସେ ମଦ ପିଇ ଭୁଲରେ ସୀମା ପାର ହୋଇଯାଇଥିଲେ। ଏଣୁ ୧୯୯୧ ମସିହାରେ ପାକିସ୍ତାନର ଏକ କୋର୍ଟ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ।

ସରବଜିତ୍‌ ସିଂହ ୨୨ ବର୍ଷ ଧରି ଜେଲରେ ରହିବା ବେଳେ ତାଙ୍କ ବଡ଼ ଭଉଣୀ ଦଲବୀର କୌର ଭାଇଙ୍କୁ ମୁକ୍ତ କରିବା ପାଇଁ ବହୁତ ଲଢ଼େଇ ଲଢ଼ିଛନ୍ତି। ଦଲବୀର କୌର ସବୁବେଳେ ଜୋର ଦେଇ କହୁଥିଲେ ଯେ ତାଙ୍କ ଭାଇ ସରବଜିତ ସିଂହ ନିର୍ଦ୍ଦୋଷ ଥିଲେ। ସେ ଭୁଲରେ ପାକିସ୍ତାନ ପଳାଇଥିଲେ। କିନ୍ତୁ ସେଠାରେ ତାଙ୍କୁ ଗିରଫ କରାଗଲା। ସେ ଭାଇଙ୍କୁ ଦେଖା କରିବାକୁ ପାକିସ୍ତାନ ମଧ୍ୟ ଯାଇଥିଲେ। କିନ୍ତୁ ପରେ ଜେଲରେ ଏକ ଗଣ୍ଡଗୋଳ ବେଳେ ସରବଜିତଙ୍କ ମୃତ୍ୟୁ ଘଟିଥିଲା। ସେତେବେଳେ ବୈଦେଶିକ ମନ୍ତ୍ରାଳୟ ପାକିସ୍ତାନ ସରକାରଙ୍କୁ ସରବଜିତ୍‌ ସିଂହଙ୍କ ମୃତ୍ୟୁର ତଦନ୍ତ କରିବାକୁ କହିଥିଲେ। ତାଙ୍କ ଭଉଣୀ ମଧ୍ୟ ତଦନ୍ତ ଦାବି କରିଥିଲେ। ଏଥିସହ ସେ କହିଥିଲେ ଯଦି ଆକ୍ରମଣର ଯୋଜନା ସରକାର କରିଛନ୍ତି ତେବେ ତଦନ୍ତର ଆବଶ୍ୟକତା ନାହିଁ। କିନ୍ତୁ ଯଦି ଅଧିକାରୀଙ୍କ ଅଜାଣତରେ ସରବଜିତଙ୍କ ଉପରେ ଆକ୍ରମଣ କରାଯାଇଛି ତେବେ ତଦନ୍ତ ଜରୁରୀ।

ସରବଜିତ ସିଂହ କିଏ?

ପଞ୍ଜାବର ତରନତାରନ ଜିଲ୍ଲାର ଭିଖିଓ୍ଵିଣ୍ଡ ଗାଁ ନିବାସୀ ସରବଜିତ ସିଂହ ଅଗଷ୍ଟ ୧୯୯୦ରେ ଭୁଲରେ ପାକିସ୍ଥାନ ସୀମା ଭିତରକୁ ପ୍ରବେଶ କରିଥିଲେ। ସେଠାରେ ପାକ୍‌ ସୁରକ୍ଷା କର୍ମୀ ତାଙ୍କୁ ଗିରଫ କରିଥିଲେ। ପାକିସ୍ତାନ ପକ୍ଷରୁ ସରବଜିତଙ୍କୁ ଗୁଇନ୍ଦା ଏଜେଣ୍ଟ ବୋଲି କୁହାଯାଇଥିଲା। ୧୯୯୧ ଅକ୍ଟୋବରରେ ପାକ୍‌ କୋର୍ଟ ତାଙ୍କୁ ଫାଶୀ ଦଣ୍ଡାଦେଶ ଦେଇଥିଲେ।

ଦଣ୍ଡ ନେଇ ଶୁଣାଣି ପରେ ଭାରତ ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା। ତେବେ ଇତି ମଧ୍ୟରେ ୨୦୧୩ରେ ଲାହୋର କୋର୍ଟ ଲଖପତ୍‌ ଜେଲରେ ସରବଜିତଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୨ ମେ’ ୨୦୧୩ରେ ତାଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ମୃତ୍ୟୁରେ ପଞ୍ଜାବ ସରକାର ୩ ଦିନ ପାଇଁ ରାଷ୍ଟ୍ରୀୟ ଶୋକ ଘୋଷଣା କରିଥିଲେ।

Also Read: ଆମେ ଓଡ଼ିଆ ଭାରି ବଢ଼ିଆ : କେବଳ ରାଷ୍ଟ୍ରପତି ପ୍ରାର୍ଥୀ ନୁହେଁ, ଦେଶର ବଡ଼ ବଡ଼ ପଦରେ ଅବସ୍ଥାପିତ ଅଛନ୍ତି ଓଡ଼ିଶା ମାଟିର ସନ୍ତାନ

Leave A Reply

Your email address will not be published.