ଶ୍ରୀମାନ୍‌ ନେଲେ ଅବସର, ଶ୍ରୀମତୀ ହେଲେ କେରଳ ମୁଖ୍ୟ ଶାସନ ସଚିବ…, ସ୍ୱାମୀଙ୍କଠାରୁ ଦାୟିତ୍ୱ ଗ୍ରହଣ କଲେ ପତ୍ନୀ ଶାରଦା ମୁରଲୀଧରନ୍‌

କେରଳର ନୂଆ ମୁଖ୍ୟ ଶାସନ ସଚିବ ହେଲେ ଶାରଦା ମୁରଲୀଧରନ୍‌ । ୧୯୯୦ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଶାରଦା ମୁରଲୀଧରନ୍ କେରଳର ମୁଖ୍ୟ ଶାସନ ସଚିବ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଅଗଷ୍ଟ ୩୧ରେ ତାଙ୍କ ସ୍ୱାମୀ ତଥା ବିଦାୟୀ ମୁଖ୍ୟ ଶାସନ ସଚିବ ଡ. ଭି. ଭେନୁଙ୍କ ଅବସର ପରେ ସେ ଏହି ପଦଭାର ଗ୍ରହଣ କରିଛନ୍ତି । ରାଜ୍ୟ ସରକାର ଅଗଷ୍ଟ ୨୧ରେ ଏହି ନିଯୁକ୍ତିକୁ ନିଶ୍ଚିତ କରିଥିଲେ । ଏହାପୂର୍ବରୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଯୋଜନା ଏବଂ ଅର୍ଥନୈତିକ ବ୍ୟାପାର) ଭାବରେ କାର୍ଯ୍ୟ କରୁଥିଲେ ଶାରଦା ମୁରଲୀଧରନ୍ ।

ତେବେ ପ୍ରଥମ ଥର ପାଇଁ କୌଣସି ମୁଖ୍ୟ ଶାସନ ସଚିବଙ୍କ ସ୍ଥାନରେ ତାଙ୍କ ପତ୍ନୀ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହା ବିଷୟରେ ମୁରଲୀଧରନ୍ କହିଛନ୍ତି ଯେ ‘ଏହି ପରିବର୍ତ୍ତନ ଏକ ଅଦ୍ଭୁତ ଅନୁଭୂତି । ସ୍ୱାମୀଙ୍କ ଅବସର ପରେ ଆଗାମୀ ଆଠ ମାସ ପାଇଁ ମୁଁ ମୁଖ୍ୟ ଶାସନ ସଚିବ ଭାବରେ କାର୍ଯ୍ୟ କରିବି । ଆମେ ୩୪ ବର୍ଷ ପର୍ଯ୍ୟନ୍ତ ସରକାରୀ କର୍ମଚାରୀ ଭାବରେ ଏକାଠି କାମ କରିଛୁ । କିନ୍ତୁ ଏକାଠି ସେବା ଛାଡ଼ିବୁ ନାହିଁ ବୋଲି କେବେ ଚିନ୍ତା କରି ନ ଥିଲି’ ।

ସେପଟେ କଂଗ୍ରେସ ନେତା ତଥା ଥିରୁବନନ୍ତପୁରମ୍ ସାଂସଦ ଶଶି ଥରୁର ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ଏହି ସରକାରୀ କାର୍ଯ୍ୟଭାର ହସ୍ତାନ୍ତର ସମାରୋହର ଏକ କ୍ଲିପ୍ ସେୟାର କରିଛନ୍ତି । ସେ ଲେଖିଛନ୍ତି ଯେ ‘ଭାରତରେ ପ୍ରଥମ ଥର ପାଇଁ ଥିରୁବନନ୍ତପୁରମ୍ ସଚିବାଳୟରେ କେରଳର ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ଡ. ଭି. ଭେନୁ ତାଙ୍କ ପତ୍ନୀ ଶାରଦା ମୁରଲୀଧରନଙ୍କୁ CS ପଦବୀ ହସ୍ତାନ୍ତର କରିଛନ୍ତି’।

କହି ରଖୁଛୁ, ଡ. ଭି ଭେନୁ ଓ ଶାରଦା ମୁରଲୀଧରନ୍ ଉଭୟ ୧୯୯୦ ବ୍ୟାଚ୍ ଆଇଏଏସ୍ ଅଧିକାରୀ । ଭେନୁ ତାଙ୍କ ପତ୍ନୀଙ୍କଠାରୁ କିଛି ମାସ ବଡ଼ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.