ବିଶ୍ୱ ପାଇଁ ସତର୍କ ଘଣ୍ଟି…! ମଣିଷ ପରେ ଏବେ ଜଙ୍ଗଲି ପ୍ରାଣୀଙ୍କଠାରେ ବ୍ୟାପୁଛି କରୋନା ଭାଇରସ୍‌

କୋଭିଡ୍‌-୧୯ ସୃଷ୍ଟି କରୁଥିବା ଭାଇରସ୍‌ SARS-CoV-2 ବର୍ତ୍ତମାନ ମାନବ ଜଗତ ପରେ ଜଙ୍ଗଲ ମୁହାଁ ହୋଇଛି । ଭର୍ଜିନିଆ ଟେକ୍‌ର ସଂରକ୍ଷଣ ଜୀବବିଜ୍ଞାନୀ ଅମାଣ୍ଡା ଗୋଲ୍ଡବର୍ଗ କହିଛନ୍ତି, ଆମେ ଅନେକ ଜଙ୍ଗଲି ପ୍ରାଣୀଙ୍କଠାରେ ଏହି ଜୀବାଣୁ ପାଇଛୁ । କିଛି ପ୍ରଜାତିରେ ଏହାର ସଂକ୍ରମଣ ୬୦ ପ୍ରତିଶତ ପର୍ଯ୍ୟନ୍ତ ରହିଛି, ଯାହା ବିଶ୍ୱ ପାଇଁ ଏକ ଚେତାବନୀ ।

ଜଙ୍ଗଲରୁ ଅଣାଯାଇଥିବା ପ୍ରାଣୀମାନଙ୍କଠାରୁ ୮୦୦ରୁ ଅଧିକ ସ୍ୱାବ ନମୁନା ନିଆଯାଇଥିଲା । ସମସ୍ତେ ପୁନର୍ବାସ କେନ୍ଦ୍ରରେ ଥିଲେ, ଯେଉଁଠି ସେମାନଙ୍କୁ ସୁସ୍ଥ କରାଯାଇ ପୁଣି ଜଙ୍ଗଲରେ ଛାଡ଼ି ଦିଆଯିବ । ସେଠାରେ ୬ଟି ଭିନ୍ନ ଭିନ୍ନ ପ୍ରଜାତିର ପ୍ରାଣୀ ମିଳିଥିଲେ । ସେମାନଙ୍କ ମଧ୍ୟରେ ଏମିତି ଆଣ୍ଟିବଡି ରହିଥିଲା, ଯାହା SARS-CoV-2 ଜୀବାଣୁ ସଂକ୍ରମଣ ପରେ ସୃଷ୍ଟି ହୋଇଥାଏ । ସଂକ୍ରମଣ କେବେ ହେଲା, ତାହା ଜଣାପଡି ନାହିଁ । ଅଧିକାଂଶ ସଂକ୍ରମିତ ପ୍ରଜାତି ଉତ୍ତର ଆମେରିକାରୁ ଆସିଛନ୍ତି । ଜଙ୍ଗଲି ପ୍ରାଣୀଙ୍କଠାରୁ ମଣିଷଙ୍କୁ ପୁନଃ ସଂକ୍ରମଣ ହେବାର କୌଣସି ପ୍ରମାଣ ମିଳିନାହିଁ ।

ଭର୍ଜିନିଆ ଟେକ୍‌ର ମଲିକୁଲାର ବାୟୋଲୋଜିଷ୍ଟ କାର୍ଲା ଫିଙ୍କେଲଷ୍ଟିନ୍‌ କହିଛନ୍ତି ଯେ ଟିକାକରଣ ଯୋଗୁ ମଣିଷ ଭାଇରସ୍‌ରୁ ବର୍ତ୍ତିଥିବା ବେଳେ ଏବେ କିନ୍ତୁ ଏହା ଜଙ୍ଗଲରେ ବ୍ୟାପିବାରେ ଲାଗିଛି । ଜୀବଜନ୍ତୁଙ୍କ ମଧ୍ୟରେ ଏହାର ନୂଆ ମ୍ୟୁଟେସନ ହେଉଛି । ଭବିଷ୍ୟତରେ ଏହି ମ୍ୟୁଟେସନ ମଣିଷଙ୍କ ଉପରେ ନୂଆ ପ୍ରକାରର ଆକ୍ରମଣ କରିପାରେ । ଯେଉଁ ପ୍ରାଣୀଙ୍କଠାରେ ଏହି ଭାଇରସ୍‌ ମିଳିଛି, ସେମାନେ ହେଲେ, କଟନଟେଲ ରାବିଟ୍‌, ରକୁନ୍ସ, ପୂର୍ବ ଡିୟର ମୂଷା, ଭର୍ଜିନିଆ ଓପୋସମ୍‌, ଗ୍ରାଉଣ୍ଡହଗ୍ସ ଓ ପୂର୍ବ ରେଡ୍‌ ବ୍ୟାଟ୍ସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.