ସାଉଦି ଏୟାରଲାଇନ୍ସର ବିମାନରେ ଲାଗିଲା ନିଆଁ, ୨୭୬ ଯାତ୍ରୀ ସୁରକ୍ଷିତ ଉଦ୍ଧାର

ପାକିସ୍ତାନର ପେଶାଓ୍ଵର ବିମାନବନ୍ଦରରେ ସାଉଦି ଏୟାରଲାଇନ୍ସର ଏକ ବିମାନରେ ନିଆଁ ଲାଗିଯାଇଛି । ବିମାନରେ ୨୭୬ ଜଣ ଯାତ୍ରୀ ଏବଂ ୨୧ ଜଣ କ୍ରୁ ମେମ୍ବର ଥିଲେ । ବିମାନ ସାଉଦିର ରିୟାଦରୁ ପେଶାଓ୍ଵର ଆସିଥିଲା । ଏହି ଘଟଣାରେ କେହି ମୃତାହତ ହେବାର କୌଣସି ଖବର ନାହିଁ । ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବିମାନରୁ ବାହାର କରାଯାଇଛି ।
ସାଉଦି ଏୟାରଲାଇନ୍ସର ବିମାନ ସଂଖ୍ୟା ଏସ୍ଭି୭୯୨ ଗୁରୁବାର ସକାଳେ ପେଶାଓ୍ଵର ବିମାନବନ୍ଦରରେ ଲ୍ୟାଣ୍ଡ କରିଥିଲା । ଏହି ସମୟରେ ବିମାନର ବାମପାର୍ଶ୍ୱ ଲ୍ୟାଣ୍ଡିଂ ଗିୟରରେ ଧୂଆଁ ଉଠୁଥିବାର ଦେଖାଯାଇଥିଲା, ଯାହାପରେ ଏୟାରପୋର୍ଟରେ ଆତଙ୍କର ବାତାବରଣ ଖେଳିଯାଇଥିଲା । ଆଶ୍ୱସ୍ତିକର କଥା ଯେ ସମୟ ପୂର୍ବରୁ ବିମାନବନ୍ଦରର ଅଧିକାରୀମାନେ ନିଆଁକୁ ଆୟତ୍ତ କରିନେଇଥିଲେ ।
ନିଆଁ ଲାଗିବା ବିଷୟରେ ଜାଣିବା ପରେ ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ । ଅଧିକାରୀମାନେ ତୁରନ୍ତ ରେସ୍କ୍ୟୁ ଟିମ୍କୁ ବିମାନ ପାଖକୁ ପଠାଇଥିଲେ । ଏହାପରେ ବିମାନର ଜରୁରୀକାଳୀନ ଗେଟ୍ ଦେଇ ଯାତ୍ରୀମାନଙ୍କୁ ବାହାର କରାଯାଇଥିଲା ।