ଆଶାରାମ ବାପୁଙ୍କୁ ମିଳିଲା ଜାମିନ୍, ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ୍ ଦେଲେ ସୁପ୍ରିମକୋର୍ଟ

ଆଶାରାମ ବାପୁଙ୍କୁ ମିଳିଲା ଜାମିନ୍ । ଏକ ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମ ବାପୁଙ୍କୁ ମେଡିକାଲ ଆଧାରରେ ଅନ୍ତରୀଣ ଜାମିନ ମିଳିଛି । ସୁପ୍ରିମକୋର୍ଟ ତାଙ୍କୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ।

ଆଶାରାମଙ୍କୁ ଯୋଧପୁର କେନ୍ଦ୍ରୀୟ ଜେଲରୁ ଭଗତ କି କୋଠିରେ ନିର୍ମିତ ଆରୋଗ୍ୟ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ଆଶାରାମ ଜଣେ ହୃଦରୋଗୀ ଏବଂ ତାଙ୍କୁ ହୃଦଘାତ ମଧ୍ୟ ଆସିସାରିଛି । ମେଡିକାଲ ଆଧାରରେ ଦିଆଯାଇଥିବା ଜାମିନ ବେଳେ ପୋଲିସ ନିୟୋଜନ କରିବାକୁ ମଧ୍ୟ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଆଶାରାମଙ୍କୁ ଜାମିନ ପ୍ରଦାନ ବେଳେ ସୁପ୍ରିମକୋର୍ଟ କିଛି ସର୍ତ୍ତ ମଧ୍ୟ ଲାଗୁ କରିଛନ୍ତି । ଏଥିରେ ଏକ ସର୍ତ୍ତ ରହିଛି, ସେ ତାଙ୍କ ଅନୁଗାମୀମାନଙ୍କୁ ଭେଟି ପାରିବେ ନାହିଁ । କହି ରଖୁଛୁ, ୨୦୧୩ ଦୁଷ୍କର୍ମ ମାମଲାରେ ଆଶାରାମଙ୍କୁ ଟ୍ରାଏଲ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ପୀଡ଼ିତାଙ୍କ ଭଉଣୀ ଆଶାରାମଙ୍କ ପୁଅଙ୍କ ବିରୋଧରେ ମଧ୍ୟ ମାମଲା ଦାୟର କରିଥିଲେ । ଏହି ମାମଲାରେ ତାଙ୍କୁ ୨୦୧୯ ଏପ୍ରିଲରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା ।

ଯୋଧପୁର ଆଶ୍ରମରେ ଦୁଷ୍କର୍ମ ମାମଲାରେ ଆଶାରାମଙ୍କୁ ୨୦୧୮ ଏପ୍ରିଲରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଯୋଧପୁର କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଏହାପରେ ୨୦୧୯ରେ ତାଙ୍କ ପୁଅଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଏହା ସହିତ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।