ସାରା ଦେଶରେ ବୁଲଡୋଜର ଉପରେ ବ୍ରେକ୍, ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ

ବୁଲଡୋଜର ଆକ୍ସନ ବିରୋଧରେ ସୁପ୍ରିମକୋର୍ଟଙ୍କ ବଡ ପଦକ୍ଷେପ । ସମ୍ବିଧାନର ଧାରା ୧୪୨ ପ୍ରୟୋଗ କରି ସାରା ଦେଶରେ ବୁଲଡୋଜର ଆକ୍ସନ ଉପରେ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ । ଏହି ସମୟ ମଧ୍ୟରେ ଯଦି ଗୋଟିଏ ବି ଉଚ୍ଛେଦ ହୁଏ ତେବେ ତାହା ସମ୍ବିଧାନର ବିରୋଧାଚରଣ ବୋଲି ବିବେଚନା କରାଯିବ ।

ତେବେ ସର୍ବସାଧାରଣ ରାସ୍ତା, ଫୁଟପାଥ, ରେଳଲାଇନ୍ କିମ୍ବା ଜଳାଶୟରୁ ଜବରଦଖଲ ଉଚ୍ଛେଦ କ୍ଷେତ୍ରରେ ଏହି ନିର୍ଦ୍ଦେଶ ଲାଗୁ ହେବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟର ଜଷ୍ଟିସ ବିଆର ଗଭାଇ ଓ ଜଷ୍ଟିସ କେଭି ବିଶ୍ୱନାଥନଙ୍କୁ ନେଇ ଗଠିତ ଖଣ୍ଡପୀଠ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧ ତାରିଖରେ ହେବ । ବୁଲଡୋଜର ନ୍ୟାୟ ସମ୍ପର୍କିତ କିଛି ପିଟିସନର ଶୁଣାଣି କରି ଅଦାଲତ ଏହି ମନ୍ତବ୍ୟ ଦେଇଛନ୍ତି ।

ସେହିପରି ଖୁବଶୀଘ୍ର ଜବରଦଖଲ ଉଚ୍ଛେଦ ପାଇଁ ନୂଆ ନୀତି ପ୍ରଣୟନ ହେବ । ସେହି ନୀତି ଅନୁଯାୟୀ ପ୍ରଥମେ ଉଚ୍ଛେଦ ପାଇଁ ନୋଟିସ ଜାରି କରାଯିବ, ଜବାବ ଦେବା ପାଇଁ ସମୟ ଦିଆଯିବ, ଆଇନଗତ ସହାୟତା ନେବାକୁ ସମୟ ଦିଆଯିବା ପରେ ହିଁ ଉଚ୍ଛେଦ ହେବ ବୋଲି ଖଣ୍ଡପୀଠ କହିଛନ୍ତି । ଗତ ସେପ୍ଟେମ୍ବର ୨ ତାରିଖରେ ବୁଲଡୋଜର ନ୍ୟାୟକୁ ସମାଲୋଚନା କରିବା ସହ ଉଚ୍ଛେଦ ଧମକ ଆଇନର ଅବମାନନା ବୋଲି କହିଥିଲେ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ।

ଏହାସହିତ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ପାଇଁ ଗାଇଡଲାଇନ୍ ପ୍ରଣୟନ ହେବ ବୋଲି କହିଥିଲେ । ଅଭିଯୁକ୍ତମାନଙ୍କ ଘର ଯେଭଳି ଭାବେ ବୁଲଡୋଜର ଲଗାଇ ଭଙ୍ଗା ଯାଉଛି ତାକୁ ସମାଲୋଚନା କରିଥିଲେ ଖଣ୍ଡପୀଠ । ବୁଲଡୋଜର ଆକ୍ସନକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଦାୟର ହୋଇଥିବା ଦୁଇଟି ଆବେଦନର ଶୁଣାଣି କରି ଜଷ୍ଟିସ ବିଆର ଗଭାଇ ଓ ଜଷ୍ଟିସ କେଭି ବିଶ୍ବନାଥନଙ୍କ ଦୁଇ ଜଣିଆ ଖଣ୍ଡପୀଠ କହିଥିଲେ ଦୋଷୀ ସାବ୍ୟସ୍ତ ହେଲେ ବି କୌଣସି ବ୍ୟକ୍ତିଙ୍କ ଘର ଭଙ୍ଗା ଯାଇପାରିବ ନାହିଁ ।

ବିଭିନ୍ନ ମହଲରୁ ଏହାକୁ ନେଇ ଉଦବେଗ ପ୍ରକାଶ ପାଇଛି । ଏଭଳି ମାମଲା ସହ ଜଡ଼ିତ ସମସ୍ତ ପକ୍ଷ ପ୍ରସ୍ତାବ ରଖନ୍ତୁ । ପ୍ରସ୍ତାବ ଗୁଡ଼ିକୁ ଦେଖି କୋର୍ଟ ଗାଇଡଲାଇନ୍ ତିଆରି କରିବେ । କେଉଁ ପରିସ୍ଥିତିରେ ଘର ଭଙ୍ଗା ଯାଇ ପାରିବ ଘର, ସେ ନେଇ ଗାଇଡ ଲାଇନରେ ଉଲ୍ଲେଖ ରହିବ। ଅକ୍ଟୋବର ୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ସେହିଦିନ ବୁଲଡୋଜର ଆକ୍ସନକୁ ନେଇ ଗାଇଡଲାଇନ ଜାରି ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like