କୋଟାରେ ୩୦ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ସ୍କୁଲ ବସ୍ ଓଲଟିଲା, ୧ ମୃତ, ଏକାଧିକ ଆହତ

ରାଜସ୍ଥାନର କୋଟାରେ ସ୍କୁଲ ବସ୍ ଦୁର୍ଘଟଣା । କୋଟାର ନାନ୍ତା ଥାନା ଅଞ୍ଚଳରେ ଏକ ଘରୋଇ ସ୍କୁଲ ବସ୍ ଓଲଟି ପଡ଼ିବାରୁ ଜଣେ ପିଲାର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ୧୦ରୁ ୧୨ ଜଣ ପିଲା ଆହତ ହୋଇଥିବା କୁହାଯାଉଛି । ବସରେ ୩୦ ଜଣ ପିଲା ଥିଲେ । ବସଟି ଭାରସାମ ହରାଇ ଓଲଟି ପଡ଼ିଥିଲା । ଦୁର୍ଘଟଣାରେ କିଛି ପିଲା ସାମାନ୍ୟ ଆହତ ମଧ୍ୟ ହୋଇଛନ୍ତି । ଆହତ ପିଲାମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି ।

ତେବେ ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଆଖପାଖରେ ଥିବା ଲୋକମାନେ ତୁରନ୍ତ ସେଠାରେ ପହଞ୍ଚି ବସ୍ ଭିତରୁ ପିଲାମାନଙ୍କୁ ବାହାର କରିଥିଲେ । କିଛି ପିଲାଙ୍କୁ ଭଲ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ଆଉ କିଛି ପିଲା ଲହୁଲୁହାଣ ହୋଇ ପଡ଼ିଥିଲେ ।

ସେପଟେ ଦୁର୍ଘଟଣା ସମ୍ପର୍କରେ ଜାଣିବା ପରେ କୋଟା ଗସ୍ତରେ ଆସିଥିବା ଲୋକସଭା ବାଚସ୍ପତି ଓମ୍ ବିର୍ଲା ମଧ୍ୟ ହସ୍ପିଟାଲରେ ପହଞ୍ଚିଥିଲେ । ସେ ଆହତ ପିଲାମାନଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଥିଲେ । ଏହିପରି କୋଟା ଜିଲ୍ଲାପାଳ ଡ. ରବିନ୍ଦ୍ର ଗୋସ୍ୱାମୀ ଓ ସିଟି ଏସପି ଡ. ଅମୃତା ଦୁହନଙ୍କ ସମେତ ବହୁ ସଂଖ୍ୟାରେ ଅଧିକାରୀ ମଧ୍ୟ ହସ୍ପିଟାଲରେ ପହଞ୍ଚିଥିଲେ ।

ଏହି ଘଟଣାର ଯାଞ୍ଚ ଆରମ୍ଭ କରାଯାଇଛି । ନାନ୍ତା ଥାନା ଅଧିକାରୀ ନଭଲ କିଶୋର ଶର୍ମା କହିଛନ୍ତି, ସୋମବାର ଅପରାହ୍ନ ପ୍ରାୟ ୧ଟା ବେଳେ ଏହି ଦୁର୍ଘଟଣା ଘଟିଛି । ସ୍କୁଲ ଛୁଟି ହେବା ପରେ ପିଲାମାନେ ବସ ଯୋଗେ ଘରକୁ ଫେରୁଥିଲେ । ଏହି ସମୟରେ ବସ ଅନିୟନ୍ତ୍ରିତ ହୋଇ ରାସ୍ତାରେ ଓଲଟି ପଡ଼ିଥିଲା । ବର୍ତ୍ତମାନ ଘଟଣାସ୍ଥଳରେ କ୍ରେନ୍ ସାହାଯ୍ୟରେ ଦୁର୍ଘଟଣାଗ୍ରସ୍ତ ବସକୁ ଉଠାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like