୩ ବର୍ଷର କୁନି ଝିଅକୁ ସ୍କୁଲ ବସ୍‌ ଚାଳକଙ୍କ ଦୁଷ୍କର୍ମ; ସାହାଯ୍ୟ କଲେ ମହିଳା ହେଲ୍‌ପର…! ମନ୍ତ୍ରୀ କହିଲେ, ଏଣିକି ବସ୍‌ରେ ରହିବ ପ୍ୟାନିକ୍‌ ବଟନ

ମଧ୍ୟ ପ୍ରଦେଶ ରାଜଧାନୀ ଭୋପାଳରେ ୩ ବର୍ଷର ଏକ କୁନି ଝିଅକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ଝିଅଟି ନିଜ ସ୍କୁଲ ବସ୍‌ ଡ୍ରାଇଭରଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଛି। ଆଶ୍ଚର୍ଯ୍ୟର କଥା, ଯେତେବେଳେ ଏହି ଘଟଣା ଘଟିଥିଲା, ସେହି ସମୟରେ ମହିଳା ହେଲ୍‌ପର ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ଝିଅର ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୋଲିସ ଉଭୟଙ୍କୁ ଗିରଫ କରିଛି। ମାମଲାଟି ଏକ ହାଇ-ପ୍ରୋଫାଇଲ ସ୍କୁଲ ସହ ଜଡ଼ିତ ଥିବାରୁ ପୂରା ଭୋପାଳରେ ଏହାକୁ ନେଇ ଜନତାଙ୍କ ଆକ୍ରୋଶ ଦେଖାଦେଇଛି।

ମିଳିଥିବା ସୂଚନା ମୁତାବକ, ଭୋପାଳର ରାତିବଡ଼ ଥାନା ଅଞ୍ଚଳରେ ଏହି ସ୍କୁଲ ରହିଛି। ଏଠାରେ ପାଠ ପଢ଼ୁଥିବା କୁନି ଝିଅଟି ସହ ସ୍କୁଲ ବସ୍‌ ଡ୍ରାଇଭର ଦୁଷ୍କର୍ମ କରିଛନ୍ତି। ଘଟଣାଟି ୪ ଦିନ ତଳର ବୋଲି କୁହାଯାଉଛି। ରିପୋର୍ଟ ଅନୁସାରେ, ଘଟଣା ଘଟିବା ସମୟରେ ମହିଳା ହେଲ୍‌ପର ବସ୍‌ରେ ଉପସ୍ଥିତ ଥିଲେ। ସେ ଝିଅଟିକୁ କୌଣସି ମତେ ରକ୍ଷା କରି ନ ଥିଲେ। ଝିଅ ସ୍କୁଲରୁ ଫେରିବା ପରେ ଯେତେବେଳେ ମା’ ତା’ର ପୋଷାକ ଖୋଲିଥିଲେ, ତ ଗୁପ୍ତାଙ୍ଗରେ ଆଘାତ ଚିହ୍ନ ଦେଖିବାକୁ ପାଇଥିଲେ। ଏହାପରେ ଝିଅକୁ ପଚରାଉଚରା କରିବାରେ ସେ ସବୁ କଥା ଜଣାଇଥିଲା।

ଏହାପରେ ପରିବାର ଲୋକେ ତୁରନ୍ତ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଏ ନେଇ ଅଭିଯୋଗ କରିଥିଲେ। ପରେ ପୋଲିସ କମିଶନରଙ୍କୁ ମଧ୍ୟ ଅଭିଯୋଗ କରାଯାଇଥିଲା। ପୋଲିସ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି ଅଭିଯୁକ୍ତ ବସ୍‌ ଡ୍ରାଇଭର ଓ ମହିଳା ହେଲ୍‌ପରଙ୍କୁ ଗିରଫ କରିଛି। ଏଥି ସହିତ ଏହି ମାମଲାରେ ଉଭୟଙ୍କୁ ପଚରାଉଚରା କରୁଛି।

ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା କହିଛନ୍ତି, ଦୁଇ ଅଭିଯୁକ୍ତ ହନୁମନ୍ତ ଓ ଉର୍ମିଳାଙ୍କୁ ଗିରଫ କରାଯାଇଛି। ହେଲେ ସ୍କୁଲ କର୍ତ୍ତୃପକ୍ଷ ଘଟଣାକୁ ଚପାଇ ଦେବାକୁ ଚେଷ୍ଟା ଚଳାଇଛନ୍ତି। ସେମାନଙ୍କୁ ବି ତଦନ୍ତରେ ଅନ୍ତର୍ଭୁକ୍ତ କରାଯିବ ଏବଂ ସ୍କୁଲର ବରିଷ୍ଠ ଅଧିକାରୀମାନଙ୍କୁ ପଚରାଉଚରା କରାଯିବ। ଦୋଷୀ ସାବ୍ୟସ୍ତ ହେଲେ ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେପଟେ ବିଦ୍ୟାଳୟ ଶିକ୍ଷା ମନ୍ତ୍ରୀ ଇନ୍ଦରସିଂ ପରମାର କହିଛନ୍ତି ଯେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଏ ନେଇ ରିପୋର୍ଟ ମଗାଯାଇଛି। ଏହି ମାମଲାରେ ୩ ସଦସ୍ୟ ବିଶିଷ୍ଟ କମିଟି ଗଠନ କରାଯାଇଛି। ଯାଞ୍ଚରେ ଯିଏ ବି ଦୋଷୀ ସାବ୍ୟସ୍ତ ହେବେ, ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ପରିବହନ ମନ୍ତ୍ରୀ ଗୋବିନ୍ଦ ସିଂ ରାଜପୁତ କହିଛନ୍ତି, ନିର୍ଭୟା ଯୋଜନା ଲାଗୁ କରାଯିବ। ବସ୍‌ରେ ଏକ ପ୍ୟାନିକ୍‌ ବଟନ ରହିବ, ଯାହାଫଳରେ କଣ୍ଟ୍ରୋଲ କମାଣ୍ଡ ସେଣ୍ଟରକୁ ସୂଚନା ଆସିବ। ଏହାପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବ। ଏବେ ଛୋଟ କଣ୍ଟ୍ରୋଲ କମାଣ୍ଡ ସେଣ୍ଟର କରି ଜଲ୍‌ଦି ସେବା ଆରମ୍ଭ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ସୂଚନାଥାଉ କି, ଏନ୍‌ସିଆର୍‌ବିର ସଦ୍ୟତମ ରିପୋର୍ଟ ଅନୁସାରେ, ଦେଶରେ ଛୋଟ ଝିଅଙ୍କ ପ୍ରତି ହେଉଥିବା ଅପରାଧଗୁଡ଼ିକରେ ମଧ୍ୟ ପ୍ରଦେଶ ଦେଶରେ ୧ ନମ୍ବରରେ ରହିଛି। ତଥ୍ୟ ମୁତାବକ, ୨୦୨୧ ମସିହାରେ ଦେଶରେ ସର୍ବାଧିକ ୧୯୧୭୩ ମାମଲା ରୁଜୁ କରାଯାଇଥିଲା।

Leave A Reply

Your email address will not be published.