ରାଜସ୍ଥାନ: କେନାଲକୁ ଖସିଲା ସ୍କୁଲ ବସ୍, ଅନେକ ପିଲା ଆହତ

ରାଜସ୍ଥାନର ବାଂସଓ୍ଵାଡ଼ା ଜିଲ୍ଲାରେ ଶୁକ୍ରବାର ଏକ ସ୍କୁଲ ବସ୍ ଭାରସାମ୍ୟ ହରାଇ କେନାଲକୁ ଖସିପଡ଼ିଛି । ବସ୍ରେ ପ୍ରାୟ ୩୦ ଜଣ ପିଲା ଥିଲେ । ଏହି ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଥିବା ସୂଚନା ରହିଛି । ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସମସ୍ତ ଆହତ ବର୍ତ୍ତମାନ ଭଲ ଅଛନ୍ତି । ଖୁବ୍ ଶୀଘ୍ର ସେମାନଙ୍କୁ ଡିସଚାର୍ଜ କରାଯିବ ।
ବସ୍ଟି କେନାଲକୁ ଖସିପଡ଼ିବା କ୍ଷଣି ପିଲାମାନେ ଚିତ୍କାର କରିଥିଲେ । ପାଟି ଶୁଣି ଆଖାପାଖର ଲୋକମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ବସ୍ର କାଚ ଭାଙ୍ଗି ପିଲାମାନଙ୍କୁ ସୁରକ୍ଷିତ ଭାବେ ବାହାରକୁ ବାହାର କରିଥିଲେ । ଲୋକଙ୍କ ସତର୍କତାରୁ ଏକ ବଡ଼ ଦୁର୍ଘଟଣା ଟଳିଯାଇଥିଲା ।
ପରେ ପୋଲିସକୁ ସୂଚନା ଦିଆଯାଇଥିଲା । ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଏକ କ୍ରେନ୍ ସାହାଯ୍ୟରେ ବସ୍କୁ କେନାଲରୁ ଟାଣି ବାହାର କରାଯାଇଛି ।
ତେବେ ଯେଉଁ ଡ୍ରାଇଭର ପିଲାମାନଙ୍କୁ ନିୟମିତ ନେବା ଆଣିବା କରୁଥିଲେ, ସେ ଛୁଟିରେ ଥିଲେ । ତେଣୁ ତାଙ୍କ ସ୍ଥାନରେ ଅନ୍ୟ ଜଣେ ଡ୍ରାଇଭରଙ୍କୁ ପଠାଯାଇଥିଲା । କିନ୍ତୁ ଡ୍ରାଇଭର ଜଣକ ରାସ୍ତା ବିଷୟରେ ଜାଣି ନ ଥିଲେ । ରାସ୍ତାଟି ଖାଲଖମା ଓ କାଦୁଅରେ ପରିପୂର୍ଣ୍ଣ ଥିବାରୁ ବସ୍ ଭାରସାମ୍ୟ ହରାଇ କେନାଲକୁ ଖସି ପଡ଼ିଥିଲା । ସୌଭାଗ୍ୟବଶତଃ, କେନାଲରେ ପାଣି ନ ଥିଲା ।