ଉତ୍ତର ପ୍ରଦେଶର ମଉ ଜିଲ୍ଲାରେ ଏକ ସ୍କର୍ପିଓ ଗାଡ଼ି ଅନିୟନ୍ତ୍ରିତ ହୋଇ ଦୋକାନ ଭିତରକୁ ପଶିଯାଇଛି । ଫଳରେ ଦୋକାନରେ ବସିଥିବା ୨ ଯୁବକ ଏଥିରେ ଆହତ ହୋଇଛନ୍ତି । ସ୍କର୍ପିଓ ଚାଳକ ବ୍ରେକ୍ ଜାଗାରେ ଏକ୍ସିଲେଟେର ଦବାଇ ଦେଇଥିଲେ । ଏହି ପୂରା ଘଟଣା ଦୋକାନ ବାହାରେ ଲାଗିଥିବା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଥିଲା । ଆଶ୍ୱସ୍ତିକର କଥା ଯେ ଏହି ସମୟରେ କୌଣସି ବଡ଼ ଦୁର୍ଘଟଣା ଘଟି ନ ଥିଲା ।
ସୂଚନା ମୁତାବକ, ଘଟଣା ଘଟିଥିବା ସ୍ଥାନରେ ଏକ ଟାୟାର ଓ ବ୍ୟାଟେରୀ ଦୋକାନ ରହିଛି । ସ୍କର୍ପିଓ ଚାଳକ ବ୍ରେକ୍ ଜାଗାରେ ଭୁଲ୍ରେ ଏକ୍ସିଲେଟର ଉପରେ ଗୋଡ଼ ରଖିଦେଇଥିଲେ । ଫଳରେ କାର୍ ଧିମା ଗତିରେ ଦୋକାନ ଭିତରକୁ ପଶିଯାଇଥିଲା ।
ଗାଡ଼ିର ଗତି ଧିମା ଥିବାରୁ ବଡ଼ ଦୁର୍ଘଟଣା ଟଳିଯାଇଥିଲା । ଦୋକାନ କାଉଣ୍ଟରରେ ବସିଥିବା ଯୁବକ ଏବଂ ପାର୍ଶ୍ୱରେ ବସିଥିବା ଅନ୍ୟ ଜଣେ ଯୁବକ ଅଳ୍ପକେ ବର୍ତ୍ତି ଯାଇଥିଲେ । ସେମାନଙ୍କୁ ମାମୁଲି ଆଘାତ ଲାଗିଛି । ଜଣଙ୍କ ଗୋଡ଼ ଏବଂ ଅନ୍ୟ ଜଣଙ୍କ ହାତରେ ଆଘାତ ଲାଗିଥିବା ସୂଚନା ରହିଛି ।
ସ୍ଥାନୀୟ ଲୋକେ ପହଞ୍ଚି ଗାଡ଼ିଟିକୁ ବାହାର କରିଥିଲେ । ଦୋକାନ ବାହାରେ ଲୋକଙ୍କ ଭିଡ଼ ଜମି ଯାଇଥିଲା । ଘଟଣାକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।