ମହାରାଷ୍ଟ୍ରର ରାଜକୋଟ ଦୁର୍ଗରେ ଛତ୍ରପତି ଶିବାଜୀ ମହାରାଜାଙ୍କ ପ୍ରତିମୂର୍ତ୍ତି ଭୁଶୁଡ଼ିବା ଘଟଣାକୁ ନେଇ ରାଜ୍ୟ ରାଜନୀତି ଜୋର୍ ଧରିଛି । ଏହି ଘଟଣାରେ ୩୫ ଫୁଟ୍ ଉଚ୍ଚ ପ୍ରତିମୂର୍ତ୍ତି ନିର୍ମାଣ କରିଥିବା ମୂର୍ତ୍ତି କାରିଗର ଜୟଦୀପ ଆପ୍ଟେଙ୍କୁ କଲ୍ୟାଣ ପୋଲିସ ବୁଧବାର ଗିରଫ କରିଛି । ଅଗଷ୍ଟ ୨୬ରେ ପ୍ରତିମୂର୍ତ୍ତି ଭୁଶୁଡ଼ିବା ପରଠାରୁ ସେ ଫେରାର୍ ଥିଲେ ।
ସୂଚନା ଅନୁସାରେ, ଆପ୍ଟେଙ୍କୁ ବର୍ତ୍ତମାନ ଡେପୁଟି କମିଶନର ଅଫ୍ ପୋଲିସ୍ (ଡିସିପି)ଙ୍କ କାର୍ଯ୍ୟାଳୟରେ ରଖାଯାଇଛି । ଶିବାଜୀଙ୍କର ଏହି ପ୍ରତିମୂର୍ତ୍ତି ମହାରାଷ୍ଟ୍ର ସିନ୍ଧୁଦୁର୍ଗ ଜିଲ୍ଲାର ରାଜକୋଟ ଦୁର୍ଗରେ ସ୍ଥାପନ କରାଯାଇଥିଲା । ବିଧାନସଭା ନିର୍ବାଚନ ପୂର୍ବରୁ ଶିବାଜୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ଏକ ରାଜନୈତିକ ପ୍ରସଙ୍ଗ ହୋଇଛି ।
ମହାବିକାଶ ଅଘାଡ଼ି ଦଳ ଶିବସେନା (ୟୁବିଟି), ଏନସିପି (ଏସପି) ଏବଂ କଂଗ୍ରେସ କ୍ରମାଗତ ଭାବରେ ମହାଯୁତି ସରକାରଙ୍କୁ ଟାର୍ଗେଟ୍ କରୁଛନ୍ତି । ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସିଏମ୍ ଏକନାଥ ସିନ୍ଦେ, ଡେପୁଟି ସିଏମ୍ ଦେବେନ୍ଦ୍ର ଫଡନଭିସ ଓ ଅଜିତ ପାୱାର ମହାରାଷ୍ଟ୍ର ଜନତାଙ୍କୁ କ୍ଷମା ମାଗିଛନ୍ତି ।
ଏହି ମାମଲାରେ ପୋଲିସ ପୂର୍ବରୁ ହିଁ ଷ୍ଟ୍ରକ୍ଚରାଲ କନ୍ସଲଟାଣ୍ଟ ଚେତନ ପାଟିଲଙ୍କୁ ଗିରଫ କରିସାରିଛି । ଜୟଦୀପ ଆପ୍ଟେ କଲ୍ୟାଣରେ ଏକ ଆର୍ଟ କମ୍ପାନୀ ଚଳାନ୍ତି । ତାଙ୍କର କିନ୍ତୁ ବଡ଼ ମୂର୍ତ୍ତି ନିର୍ମାଣରେ କୌଣସି ପୂର୍ବ ଅଭିଜ୍ଞତା ନ ଥିଲା । ସେ ରାଜକୋଟ ଦୁର୍ଗରେ ଶିବାଜୀ ମହାରାଜାଙ୍କ ୩୫ ଫୁଟ ଉଚ୍ଚ ପ୍ରତିମୂର୍ତ୍ତି ନିର୍ମାଣ କରିଥିଲେ । ଗତ ବର୍ଷ ଡିସେମ୍ବରରେ ପ୍ରଧାନମନ୍ତ୍ରୀ ମୋଦି ଏହାକୁ ଉଦ୍ଘାଟନ କରିଥିଲେ ।