କାଉଡିଆଙ୍କ ପାଇଁ ଦେବଦୂତ ସାଜିଲେ କନଷ୍ଟେବଳ ଆଶିକ ଅଲ୍ଲୀ, ଗଙ୍ଗାରେ ବୁଡିଯାଉଥିବା ଭକ୍ତଙ୍କୁ କଲେ ଉଦ୍ଧାର

ଶ୍ରାବଣ ମାସ ଆରମ୍ଭ ହୋଇସାରିଛି । ଆଉ ଏଥିପାଇଁ ଅନେକ ଶିବଭକ୍ତ ଜଳଲାଗି କାଉଡିଆ ଯାତ୍ରା ମଧ୍ୟ ଆରମ୍ଭ କରିଛନ୍ତି । ପ୍ରତିଦିନ ଲକ୍ଷ ଲକ୍ଷ କାଉଡିଆ ଜଳ ନେଇ ବିଭିନ୍ନ ଶୈବପୀଠରେ ଢାଳୁଛନ୍ତି । ଗଙ୍ଗାରୁ ମଧ୍ୟ ଜଳ ନେଇ ବିଭିନ୍ନ ଶୈବପୀଠରେ ଜଳଲାଗି କରୁଛନ୍ତି କାଉଡିଆ । ପାଣି ନେବା ସମୟରେ କାଉଡିଆ ଗଙ୍ଗାରେ ସ୍ନାନ ମଧ୍ୟ କରୁଛନ୍ତି । ହେଲେ ବର୍ଷା ଯୋଗୁଁ ଗଙ୍ଗା ନଦୀରେ ଜଳସ୍ତର ଅଧିକ ରହିଥିବା ବେଳେ ଗଙ୍ଗା ମଧ୍ୟ ଜୋରରେ ପ୍ରବାହିତ ହେଉଛି । ଏମିତି ଗଙ୍ଗାସ୍ନାନ ବେଳେ ଜଣେ କାଉଡିଆ ଭାସିଯାଇଥିବା ବେଳେ ଦେବଦୂତ ସାଜିଛନ୍ତି ଏନଡିଆରଏଫ ଟିମ ।

ଖବର ମୁତାବକ, ହରିଦ୍ୱାରରେ ଗଙ୍ଗାରେ ସ୍ନାନ କରୁଥିବା ବେଳେ ପ୍ରଖର ସୁଅରେ ଜଣେ କାଉଡିଆ ଭାସିଯାଇଥିବାର ନଜର ଆସିଥିଲେ । ଏହି ସମୟରେ ସେଠାରେ ନିୟୋଜିତ ଥିବା ଏସଡିଆରଏଫ ଟିମର ହେଡ କନଷ୍ଟେବଳ ଆଶିକ ଅଲ୍ଲୀ କାଉଡିଆଙ୍କ ପାଇଁ ଦେବଦୂତ ସାଜିଥିଲେ । ସେ କାଉଡିଆଙ୍କୁ ଉଦ୍ଧାର କରିବା ପାଇଁ ପାଣିକୁ ଡେଇଁ ପଡିଥିଲେ । ଆଉ ବୁଡିଯାଉଥିବା କାଉଡିଆକୁ ଧରିପକାଇଥିଲେ । ତାଙ୍କର ଏଭଳି କାମ ଦେଖି ସମସ୍ତେ ପ୍ରଶଂସା କରୁଛନ୍ତି ।

୨୦୧୫ରୁ ଆଶିକ ଲଗାତାର କାଉଡିଆ ମେଳାରେ ସେବା ପ୍ରଦାନ କରୁଛନ୍ତି । ସେ ଏପର୍ଯ୍ୟନ୍ତ ୧୦୦ରୁ ଅଧିକ କାଉଡିଆକୁ ବୁଡିବାରୁ ଉଦ୍ଧାର କରିଛନ୍ତି । ସେ କହିଛନ୍ତି, ଆମକୁ ବହୁତ କମ୍‌ ରେସପନ୍ସ ଟାଇମ ମିଳେ । ସେହି ସମୟରେ ବୁଡିଯାଉଥିବା ବ୍ୟକ୍ତି ବହୁତ ଭୟଭୀତ ଥାନ୍ତି । ତେଣୁ ଆମେ ଟିମ୍‌ ମିଶି କାମ କରିଥାଉ, ଯାହା ଆମକୁ ସଫଳତା ଦେଇଥାଏ ।

ତେବେ ଏମାନେ ଦିନ ରାତି କାର୍ଯ୍ୟରେ ରହିଥାଏ । ୨୪ ଘଣ୍ଟା ଗଙ୍ଗାକୂଳରେ ଏମାନଙ୍କ ଡ୍ୟୁଟି ରହିଥାଏ । କୌଣସି ଶିବ ଭକ୍ତ କିମ୍ବା ଅନ୍ୟ କୌଣସି ଯାତ୍ରୀ ଯେପରି ନିଜ ଜୀବନ ନ ହରାଇ, ସେଥିପାଇଁ ଆମେ ସଜାଗ ଥାଉ । ଆଉ ଗଙ୍ଗା ମା ପାଇଁ ସେବା କରିବା ଆମ ପାଇଁ ସୌଭାଗ୍ୟ ବୋଲି କହିଛନ୍ତି ଆଶିକ ।

ତେବେ କାଉଡିଆ ଯାତ୍ରା ଲାଗି ସରକାର ବିଭିନ୍ନ ନଦୀ କୂଳରେ ଦୁର୍ଘଟଣା ଏଡାଇବା ପାଇଁ ପୋଲିସ ଏବଂ ଏସଡିଆରଏଫ ଟିମ୍‌ ନିୋଜିତ କରିଛନ୍ତି । ଯଦି କୌଣସି ଦୁର୍ଘଟଣା ହୁଏ, ତେବେ ଏମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇପାରିବ ।