Seaplane Crashes: ପଥରରେ ପିଟିହେଲା ସିପ୍ଲେନ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ନୂଆଦିଲ୍ଲୀ: ଆମେରିକାର ୱାଶିଂଟନ୍ ରାଜ୍ୟରେ କାନାଡା ସୀମା ନିକଟରେ ଥିବା ଏକ ଦ୍ୱୀପ ପାଖରେ ଗୁରୁବାର ସନ୍ଧ୍ୟାରେ ଏକ ସିପ୍ଲେନ୍ (ପାଣିରେ ଅବତରଣ କରୁଥିବା ବିମାନ) ଦୁର୍ଘଟଣାଗ୍ରସ୍ତ ହୋଇ ପଥରରେ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ବିମାନରେ ନିଆଁ ଲାଗିଯାଇଥିଲା । କିନ୍ତୁ ନିକଟରେ ଥିବା ଡଙ୍ଗା ଓ ଆମେରିକୀୟ କୋଷ୍ଟ ଗାର୍ଡଙ୍କ ତୁରନ୍ତ ସହାୟତାରେ ବିମାନରେ ଥିବା ସମସ୍ତ ୧୧ ଜଣଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା ।

ସାନ୍ ଜୁଆନ୍ କାଉଣ୍ଟି ଶେରିଫ୍ କାର୍ଯ୍ୟାଳୟ କହିଛି ଯେ, ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ଅଛି । କେତେକ ଯାତ୍ରୀଙ୍କ ମୁଣ୍ଡରେ ଆଘାତ ଲାଗିଛି ଏବଂ ହାଡ଼ ଭାଙ୍ଗିଛି । ଶୁକ୍ରବାର ସୁଦ୍ଧା ଅତି କମରେ ୫ ଜଣ ଯାତ୍ରୀଙ୍କୁ ହସ୍ପିଟାଲରୁ ଛାଡ଼ା ଦିଆଯାଇଛି ।

ଏହି ଦୁର୍ଘଟଣା ଗୁରୁବାର ସନ୍ଧ୍ୟା ପ୍ରାୟ ୫:୨୦ ବେଳେ ଘଟିଥିଲା । ବିମାନରେ ଜଣେ ପାଇଲଟ୍ ଓ ୧୦ ଜଣ ଯାତ୍ରୀ ଥିଲେ । ବିମାନଟି ୱାଶିଂଟନ୍‌ର ସୁସିଆ ଆଇଲ୍ୟାଣ୍ଡ ଷ୍ଟେଟ୍ ପାର୍କ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦ୍ୱୀପଟି ଗ୍ରୀଷ୍ମକାଳ ପାଇଁ ଖୁବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ।

ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଭିଡିଓରେ ଦେଖାଯାଉଛି ଯେ, ବିମାନଟି ପାଣି ଉପରେ ବହୁତ ତଳକୁ ଉଡ଼ୁଥିଲା । ହଠାତ୍ ଏହା ଗୋଟିଏ ପାର୍ଶ୍ୱକୁ ଝୁକିଗଲା ଏବଂ ପ୍ରଥମେ ଗୋଟିଏ ଫ୍ଲୋଟ୍ ସାହାଯ୍ୟରେ ପାଣିକୁ ଛୁଇଁଲା । ପରେ କିଛି ସମୟ ପାଇଁ ପୁଣି ଆକାଶକୁ ଉଠିଥିଲା, କିନ୍ତୁ ନିୟନ୍ତ୍ରଣ ହରାଇ ଭୂମିରେ ପଡ଼ିଗଲା ।

ପ୍ରତ୍ୟକ୍ଷଦର୍ଶୀ ଡେଭ୍ ଇଷ୍ଟମ୍ୟାନ୍ ସେତେବେଳେ ନିଜ ଛୋଟ ଡଙ୍ଗାରେ ସମୁଦ୍ରରେ ଥିଲେ । ସେ କହିଛନ୍ତି, ପ୍ରଥମେ ତାଙ୍କୁ ଲାଗିଥିଲା ବିମାନଟି ତାଙ୍କ ଡଙ୍ଗାକୁ ଧକ୍କା ଦେବ । କିନ୍ତୁ ପରେ ଏହା ଦ୍ୱୀପ ଆଡ଼କୁ ତଳକୁ ଯାଉଥିବା ଦେଖାଗଲା । ସେଠାରେ ୬ରୁ ୭ଟି ଡଙ୍ଗା ଥିଲା ଏବଂ ସମସ୍ତେ ତୁରନ୍ତ ସହାୟତା ପାଇଁ ଘଟଣାସ୍ଥଳକୁ ପହଞ୍ଚିଥିଲେ।

ଦେଖାଯାଇଥିଲାଯେ, ବିମାନରୁ ଯାତ୍ରୀମାନେ ବାହାରୁଥିବାବେଳେ ବିମାନରୁ କଳା ଧୂଆଁ ବାହାରୁଛି ଏବଂ ଏହା ନିଆଁରେ ଜଳୁଛି । ବିମାନର ସାମ୍ନା ଭାଗ ଏକ ବଡ଼ ପଥରରେ ଧକ୍କା ଖାଇ ପାଣିରେ ବୁଡ଼ିଯାଇଥିଲା ।

ଡେଭ୍ ଇଷ୍ଟମ୍ୟାନ୍ କହିଛନ୍ତି, ସକାଳେ ପାଗ ସଫା ଥିଲା । କିନ୍ତୁ ଦୁର୍ଘଟଣା ସମୟରେ ସେଠାରେ ବଜ୍ରପାତ ସହ ଝଡ଼ ହୋଇଥିଲା । ବିମାନରେ ନିଆଁ ଲାଗିଥିବା ବେଳେ ଜୋର ବର୍ଷା ମଧ୍ୟ ଆରମ୍ଭ ହୋଇଥିଲା । ତେବେ ଖରାପ ପାଗ ଏହି ଦୁର୍ଘଟଣାର କାରଣ ଥିଲା କି ନାହିଁ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Also Read: NEET : ନିଟ୍ ପେପର ଲିକ୍ ଘଟଣାରେ ୪୭ ଜଣ ଅଧିକାରୀ ବିଦା, ପୁର୍ନଗଠନ ହେବ NTA