ମହାରାଣୀ ଏଲିଜାବେଥ୍‌ଙ୍କ ଗୁପ୍ତ ଚିଠି ଖୋଲି ପାରେ ଅନେକ ରହସ୍ୟ ହେଲେ ୨୦୮୫ରେ

କେନ୍ୟୁଜ୍(ବ୍ୟୁରୋ): ମହାଯାତ୍ରାରେ ବ୍ରିଟେନର ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟ । ୧୯ ତାରିଖରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ଏଥିପାଇଁ ବ୍ରିଟେନରେ ବ୍ୟାପକ ପ୍ରସ୍ତୁତି ଚାଲିଛି । ଏବେ ତାଙ୍କର ଗୁପ୍ତ ଚିଠିକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା । ମୃତ୍ୟୁର ବହୁ ପୂର୍ବରୁ ମହାରାଣୀ ଏଲିଜାବେଥ୍‌ ଏହି ଚିଠି ଲେଖିଥିଲେ । ଚିଠି ଏବେ ଅଷ୍ଟ୍ରେଲିଆର ସିଡନୀର ଏକ ଭଲ୍‌ଟ ବା ଷ୍ଟ୍ରଙ୍ଗରୁମରେ ରଖାଯାଇଛି । ଏହାକୁ ୨୦୮୫ ମସିହା ପର୍ଯ୍ୟନ୍ତ ଖୋଲା ଯିବ ନାହିଁ ବୋଲି ସୂଚନା ମିଳିଛି । ଏହି ଚିଠିକୁ ସିଡନୀବାସୀଙ୍କ ଉଦ୍ଦେଶ୍ୟରେ ରାଣୀ ୧୯୮୬ ନଭେମ୍ବରରେ ଲେଖିଥିଲେ ।

କାଚ ଆବରଣ ମଧ୍ୟରେ ଲୁଚାଇ ରଖାଯାଇଥିବା ଏହି ଚିଠିରେ କଣ ଲେଖାଯାଇଛି ତାହା କାହାକୁ ଜଣା ନାହିଁ । ଏପରିକି ମହାରାଣୀଙ୍କ ବ୍ୟକ୍ତିଗତ କର୍ମଚାରୀମାନଙ୍କୁ ବି ମଧ୍ୟ ଜଣା ନାହିଁ । ୨୦୮୫ ମସିହା ନ ଆସିବା ଯାଏ ଏହି ଷ୍ଟ୍ରଙ୍ଗରୁମ କିମ୍ବା ଚିଠିକୁ ଖୋଲାଯିବ ନାହିଁ ବୋଲି ଚିଠିରେ ଉଲ୍ଲେଖ ରହିଛି । ସିଡନୀର ଲର୍ଡ ମେୟରଙ୍କ ଉଦ୍ଦେଶ୍ୟରେ ଚିଠି ଲେଖିଛନ୍ତି ମହାରାଣୀ ଏଲିଜାବେଥ୍‌ । ସେଥିରେ ଉଲ୍ଲେଖ ରହିଛି, ୨୦୮୫ ମସିହା ଆରମ୍ଭ ହେବା ପରେ ଯଦି ଉଚିତ ମନେ କରିବେ କୌଣସି ଦିନ ଦୟାପୂର୍ବକ ଲଫାପାଟି ଖୋଲି ତାଙ୍କର ବାର୍ତ୍ତା ସିଡନୀବାସୀଙ୍କୁ ଜଣାଇ ଦେବେ ବୋଲି ମହାରାଣୀଙ୍କ ନିର୍ଦ୍ଦେଶ ରହିଥିବା କୁହାଯାଉଛି । ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରଲୋକ ପରେ ତାଙ୍କ ଚିଠିକୁ ନେଇ ଚର୍ଚ୍ଚା ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.