କାଶ୍ମୀର: ଉରିରେ ଅନୁପ୍ରବେଶ ଉଦ୍ୟମ ବିଫଳ, ୨ ଆତଙ୍କୀଙ୍କୁ ସଫା କଲେ ସୁରକ୍ଷା ବାହିନୀ

ଉତ୍ତର କାଶ୍ମୀରର ବାରାମୂଳା ଜିଲ୍ଲା ଉରିର ଗୋହଲାନ୍ ଅଞ୍ଚଳରେ ସୁରକ୍ଷା ବାହିନୀ ଆତଙ୍କୀ ଅନୁପ୍ରବେଶ ଉଦ୍ୟମକୁ ବିଫଳ କରିଛନ୍ତି । ସୁରକ୍ଷା ବାହିନୀ ଉରି ସେକ୍ଟରରେ LOC ନିକଟରେ ୨ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି । ଦୁଇ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ । ଏବେ ବି ସେଠାରେ ଆତଙ୍କବାଦୀଙ୍କ ସହ ସୁରକ୍ଷା ବାହିନୀର ଗୁଳି ବିନିମୟ ଜାରି ରହିଛି ।
ସୂଚନାଥାଉ କି, ଏହି ଏନ୍କାଉଣ୍ଟରର ୩ ଦିନ ପୂର୍ବରୁ ଅର୍ଥାତ୍ ୧୯ ତାରିଖରେ ଉତ୍ତର କାଶ୍ମୀରର ସୋପୋରରେ ଆତଙ୍କବାଦୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଏନ୍କାଉଣ୍ଟର ହୋଇଥିଲା । ଏଥିରେ ୨ ଜଣ ଆତଙ୍କୀ ସଫା ହୋଇଥିଲେ । ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଥିଲେ ଯେ ହାଦିପୋରାରେ ସୁରକ୍ଷା ବାହିନୀ ୨ ଆତଙ୍କୀଙ୍କୁ ନିପାତ କରିଥିଲେ । ସେମାନଙ୍କ ପରିଚୟ ଏ ଯାଏ ମିଳିପାରି ନାହିଁ ।
ଆତଙ୍କବାଦୀଙ୍କ ଉପସ୍ଥିତି ଖବର ମିଳିବା ପରେ ସୁରକ୍ଷା ବାହିନୀ ରବିବାର ରାତିରେ ଜିଲ୍ଲାର ଅରାଗାମ୍ ଅଞ୍ଚଳକୁ ଘେରାଉ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ଏହାପରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା ।
ସୂଚନାଥାଉ କି, ଚଳିତ ମାସ ୯ ତାରିଖରେ ଜମ୍ମୁ-କାଶ୍ମୀରର ରିୟାସିରେ ଆତଙ୍କବାଦୀମାନେ ତୀର୍ଥଯାତ୍ରୀଙ୍କ ବସ୍ ଉପରକୁ ଆକ୍ରମଣ କରିଥିଲେ । ଏହି ଆକ୍ରମଣ ସନ୍ଧ୍ୟା ପ୍ରାୟ ୬ଟା ୧୫ ମିନିଟ୍ରେ ହୋଇଥିଲା । ସେଠାରେ ଲୁଚି ବସିଥିବା ଆତଙ୍କବାଦୀମାନେ ବସ୍ ଉପରକୁ ଫାୟାରିଂ କରିଥିଲେ, ଯାହା ପରେ ବସ୍ଟି ଭାରସାମ୍ୟ ହରାଇ ଗଭୀର ଖାଇକୁ ଖସି ପଡ଼ିଥିଲା । ଆତଙ୍କୀମାନେ ପାହାଡ଼ ଅଞ୍ଚଳରେ ଲୁଚି ରହିଥିଲେ ।
ଏହି ଘଟଣାରେ ପୋଲିସ ଜଣେ ଆତଙ୍କୀଙ୍କ ସହଯୋଗୀଙ୍କୁ ଗିରଫ କରି ପଚରାଉଚରା ଚଳାଇଛି । ରିୟାସି ଏସ୍ଏସ୍ପି ମୋହିତା ଶର୍ମା କହିଛନ୍ତି ଯେ ଘଟଣାରେ ଧରା ପଡ଼ିଥିବା ଆତଙ୍କୀଙ୍କ ସହଯୋଗୀଙ୍କ ନାମ ହାକମ୍ । ସେ ଅନେକ ଥର ଆତଙ୍କବାଦୀମାନଙ୍କୁ ଆଶ୍ରୟ ଦେଇଥିଲେ । ଖାଦ୍ୟ ଓ ଆଶ୍ରୟ ପ୍ରଦାନ ସହିତ ବ୍ୟକ୍ତି ଜଣକ ଗାଇଡ୍ ରୂପେ ମଧ୍ୟ କାମ କରିଥିଲେ ଏବଂ ସେମାନଙ୍କୁ ଘଟଣାସ୍ଥଳ ପର୍ଯ୍ୟନ୍ତ ପହଞ୍ଚିବାରେ ସାହାଯ୍ୟ କରିଥିଲେ ।