ଶିମ୍‌ଲାରେ ପାହାଡ଼ ଧସି ମାଟିରେ ମିଶିଲା ୭ ଘର, ଅନେକ ଲୋକ ଫସି ରହିଥିବା ଆଶଙ୍କା

ହିମାଚଳ ପ୍ରଦେଶରେ ବର୍ଷାର ତାଣ୍ଡବ ଥମିବାର ନାଁ ନେଉନାହିଁ। ଏ ପର୍ଯ୍ୟନ୍ତ ରାଜ୍ୟରେ ୫୫ ଜଣଙ୍କ ମୃତ୍ୟୁ ଘଟିସାରିଲାଣି। ମଙ୍ଗଳବାର ପୁଣି ଶିମ୍‌ଲାର କୃଷ୍ଣାନଗର ଅଞ୍ଚଳରେ ପ୍ରବଳ ବର୍ଷା ମଧ୍ୟରେ ଏକ ପାହାଡ଼ ଧସିପଡ଼ିଛି।

ହିମାଚଳ ପ୍ରଦେଶରେ ବର୍ଷାର ତାଣ୍ଡବ ଥମିବାର ନାଁ ନେଉନାହିଁ। ଏ ପର୍ଯ୍ୟନ୍ତ ରାଜ୍ୟରେ ୫୫ ଜଣଙ୍କ ମୃତ୍ୟୁ ଘଟିସାରିଲାଣି। ମଙ୍ଗଳବାର ପୁଣି ଶିମ୍‌ଲାର କୃଷ୍ଣାନଗର ଅଞ୍ଚଳରେ ପ୍ରବଳ ବର୍ଷା ମଧ୍ୟରେ ଏକ ପାହାଡ଼ ଧସିପଡ଼ିଛି। ଏହି ଭୂସ୍ଖଳନରେ ପାଖାପାଖି ୫ରୁ ୭ଟି ଘର ଭୁଶୁଡ଼ି ପଡ଼ିଥିବା ସୂଚନା ରହିଛି।

ସ୍ଥାନୀୟ ଅଧିକାରୀମାନେ ଆଶଙ୍କା କରିଛନ୍ତି ଯେ ମାଟି ଗଦା ଭିତରେ ଅନେକ ଲୋକ ଦବି ଥାଇ ପାରନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୂଚନା ସାମ୍ନାକୁ ଆସିପାରି ନାହିଁ।

ଶିମ୍‌ଲା ଏସ୍‌ପି ସଞ୍ଜୀବ ଗାନ୍ଧୀ କହିଛନ୍ତି, ଅତ୍ୟଧିକ ବର୍ଷା ଯୋଗୁ ବଡ଼ ଭୂସ୍ଖଳନ ହୋଇଛି। ଏଥିରେ ଅନେକ ଘର ମାଟିରେ ମିଶିଯାଇଛି। କିଛି ଅଧିବାସୀ ମାଟି ଗଦା ଭିତରେ ଫସି ରହିଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ଆମ୍ବୁଲାନ୍ସ, ଏନ୍‌ଡିଆର୍‌ଏଫ୍‌, ଏସ୍‌ଡିଆର୍‌ଏଫ୍‌, ରାଜ୍ୟ ଏବଂ ଜିଲ୍ଲା ପୋଲିସ ଉପସ୍ଥିତ ଅଛନ୍ତି। ଭୂସ୍ଖଳନରେ ପ୍ରବଳ କ୍ଷୟକ୍ଷତି ହୋଇଥିବା ଅନୁମାନ କରାଯାଉଛି।

କହି ରଖୁଛୁ, ହିମାଚଳ ଏବଂ ଉତ୍ତରାଖଣ୍ଡରେ ଗତ ଦୁଇ ଦିନ ଧରି ପ୍ରବଳ ବର୍ଷା ଜାରି ରହିଛି। ଏହି କାରଣରୁ ଉଭୟ ରାଜ୍ୟରେ ହାହାକାର ସ୍ଥିତି ଦେଖାଦେଇଛି। ପାହାଡ଼ଗୁଡ଼ିକ ଉପରେ ଭୂସ୍ଖଳନ ଘଟଣା ବୃଦ୍ଧି ପାଇଛି। ହିମାଚଳ ପ୍ରଦେଶରେ ଗତ ୪୮ ଘଣ୍ଟା ମଧ୍ୟରେ ୫୫ ଜଣଙ୍କ ମୃତ୍ୟୁ ହୋଇଛି।