ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ବିଟ୍ଠୁଲ୍ ବାଟିକାରେ ଗତ ମଙ୍ଗଳବାର ରାତିରେ ଏକ କନ୍ୟା ନିଜର ନିଷ୍ପତ୍ତିରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ନିଜ ବିବାହକୁ ସ୍ମରଣୀୟ କରିଦେଇଛନ୍ତି । ସୂଚନା ମୁତାବକ ଜୁନା ବୈରା ଅଞ୍ଚଳରେ ରହୁଥିବା ଦିଲ୍ଲୀପ ସକ୍ସେନା ଏବଂ ବିଦିସାର ନିବାସୀ ଦିପ୍ତି କଶ୍ୟପଙ୍କ ବିବାହ ପ୍ରଥମରୁ ଠିକ୍ ହୋଇଥିଲା । କିନ୍ତୁ ଗତ ୬ ଜୁନ୍ ରେ ଦିଲ୍ଲୀପ ନିଜ ବିବାହ କାର୍ଡ ବାଣ୍ଟିବା ସମୟରେ ଖିଲଚିପୁର ବ୍ରିଜ୍ ପାଖରେ ଏକ ସଡକ ଦୁର୍ଘଟଣା ଫଳରେ ଗମ୍ଭୀର ରୂପରେ ଆହତ ହୋଇଥିଲେ ।
ଏହି ଦୁର୍ଘଟଣାରେ ଦିଲ୍ଲୀପଙ୍କ ଡାହାଣ ଗୋଡ ଏବଂ ବାମ ହାତ ଫ୍ୟାକଚର ହୋଇଯାଇଥିଲା । ଗମ୍ଭୀର ସ୍ଥିତି କାରଣରୁ ତାଙ୍କୁ ୪ ଦିନ ପର୍ଯ୍ୟନ୍ତ ଆଇସିୟୁରେ ରଖାଯାଇଥିଲା। ତେବେ ସେଠାରୁ ଫେରିବା ପରେ କନ୍ୟା ଘର ଲୋକେ ବିବାହ ତିଥିକୁ ଆଗକୁ ଘୁଞ୍ଚାଇବାକୁ କହିଥିଲେ । କିନ୍ତୁ କନ୍ୟା ଏ କଥାକୁ ଶୁଣି ଏପରି କରିବାକୁ ମନା କରିଦେଇଥିଲେ ଏବଂ ଠିକ୍ ହୋଇଥିବା ତାରିଖରେ ହିଁ ବିବାହ କରିବାକୁ କହିଥିଲେ ।
ବିବାହ ସମୟରେ ଦିଲ୍ଲୀପ ନିଜର ସବୁ ନୀତି କାର୍ଯ୍ୟ ହ୍ୟୁଲ୍ ଚେୟାରରେ ବସିକି କରିଥିଲେ । ଏହି ସମୟରେ କନ୍ୟା ଜଣଙ୍କ ନିଜେ ବରଙ୍କ ହ୍ୟୁଲ୍ ଚେୟାରକୁ ଠେଲି ଠେଲି ସାତ ଫେରା ନେଇଥିଲେ ଏବଂ ଆଉ କିଛି ଘେରାରେ ଦିଲ୍ଲୀପଙ୍କ ସାଙ୍ଗମାନେ ହ୍ୟୁଲ୍ ଚେୟାରକୁ ମଧ୍ୟ ଠେଲି ନେଇଥିଲେ । କେବଳ ଏତିକିରେ ସରିନଥିଲା ବିଦା ହେବା ସମୟରେ କନ୍ୟା ନିଜକୁ ସମ୍ଭାଳିବା ସହିତ ନିଜ ସ୍ବାମୀଙ୍କ ହ୍ୟୁଲ୍ ଚେୟାରକୁ ଠେଲି ଠେଲି ଗାଡି ପର୍ଯ୍ୟନ୍ତ ନେଇଥିଲେ । ଯାହାକୁ ଦେଖି ସେଠାରେ ଉପସ୍ଥିତ ଥିବା ସମସ୍ତ ବନ୍ଧୁ ଓ ପରିଜନ ଭାବୁକ ହୋଇପଡିଥିଲେ।