ନୈନିତାଲ: ଭୀମତାଲରେ ଭୟଙ୍କର ଦୁର୍ଘଟଣା, ୧୫୦୦ ଫୁଟ୍ ଗଭୀର ଖାଇକୁ ଖସିଲା ବସ୍, ୪ ମୃତ
ଉତ୍ତରାଖଣ୍ଡର ନୈନିତାଲରେ ଏକ ଯାତ୍ରୀବାହୀ ବସ୍ ଗଭୀର ଖାଇକୁ ଖସି ପଡ଼ିଛି । ଏହି ବସ୍ ଦୁର୍ଘଟଣାରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ତିନି ଜଣ ପୁରୁଷ ଏବଂ ଜଣେ ମହିଳା ଅଛନ୍ତି । ଦୁର୍ଘଟଣାରେ ୧୭ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ରହିଛି ।
ଘଟଣାସ୍ଥଳକୁ ଅଗ୍ନିଶମ ବିଭାଗ, SDRF ଏବଂ NDRF ଟିମକୁ ପଠାଯାଇଛି । ଦୁର୍ଘଟଣା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି । ପୋଲିସ ଟିମ୍ ସ୍ଥାନୀୟ ପ୍ରଶାସନ ସହ ମିଶି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛି । କୁହାଯାଉଛି ଯେ ଦୁର୍ଘଟଣାର ଶିକାର ହୋଇଥିବା ବସ୍ ଭୀମତାଲରୁ ହଲଦୱାନି ଯାଉଥିଲା । ଏହି ସମୟ ମଧ୍ୟରେ ଭୀମତାଲ ଆମଡଲି ନିକଟରେ ଏହି ଦୁର୍ଘଟଣା ଘଟିଥିଲା ।
ସେପଟେ ଏହି ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସିଏମ୍ ଧାମି ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି, ‘ଭୀମତାଲ ନିକଟରେ ବସ୍ ଦୁର୍ଘଟଣାର ଖବର ଅତ୍ୟନ୍ତ ଦୁଃଖଦାୟକ । ତୁରନ୍ତ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଯାତ୍ରୀଙ୍କ ସୁରକ୍ଷା ପାଇଁ ମୁଁ ବାବା କେଦାରଙ୍କ ନିକଟରେ ପ୍ରାର୍ଥନା କରୁଛି’ ।
ମିଳିଥିବା ସୂଚନା ଅନୁଯାୟୀ, ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ସମ୍ଭାବ୍ୟ ପ୍ରୟାସ ମଧ୍ୟ କରାଯାଉଛି । ବସରେ ପାଖାପାଖି ୨୫ ଜଣ ଯାତ୍ରୀ ଥିଲେ ।
ନୈନିତାଲର SSP ପ୍ରହ୍ଲାଦ ମିଣା ମଧ୍ୟ ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଘଟଣାସ୍ଥଳକୁ ରିଲିଫ୍ ଟିମକୁ ପଠାଯାଇଛି । ପୋଲିସ ଓ ପ୍ରଶାସନିକ ଟିମ୍ ରେସକ୍ୟୁରେ ଲାଗିଛନ୍ତି । ଏହା ୧୫୦୦ ଫୁଟ୍ ଗଭୀର ଖାଇକୁ ଖସି ପଡ଼ିଛି । ଘଟଣାସ୍ଥଳକୁ ଅନେକ ଆମ୍ବୁଲାନ୍ସ ପଠାଯାଇଛି । ଏହି ଦୁର୍ଘଟଣା ହେତୁ କାଠଗୋଦାମ ନିକଟରୁ ରୁଟ୍ ଡାଇଭର୍ଟ କରି ଦିଆଯାଇଛି ।