କର୍ଣ୍ଣାଟକରେ ଛାତିଥରା ଦୁର୍ଘଟଣା: ହାଇୱେରେ ୧୫ ଥର ଓଲଟିଲା କାର, ୩ ମୃତ

କର୍ଣ୍ଣାଟକର NH-150A ରେ ହୃଦୟବିଦାରକ ଦୁର୍ଘଟଣା ଘଟିଛି । ଚିତ୍ରାଦୁରଗା ଜିଲ୍ଲାର ମୋନକାଲମୁରୁ ତାଲୁକର ବମ୍ମାକାନହଲ୍ଲୀ ମସଜିଦ ନିକଟରେ ଏହି ଘଟଣା ଘଟିଛି । ଏହି ଦୁର୍ଘଟଣାରେ ତିନି ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ମଧ୍ୟ ଅଛନ୍ତି । ଗତକାଲି ସକାଳେ ଘଟିଥିଲା ଏହି ଦୁର୍ଘଟଣା । କାରଟି ଚାଲ୍ଲାକେରରୁ ମୋଲାକାଲମୁରୁ ଦେଇ ବେଲ୍ଲାରୀ ଯାଉଥିଲା । ଏହି ମର୍ମନ୍ତୁଦ ଦୁର୍ଘଟଣାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି ଯେଉଁଥିରେ ଦେଖାଯାଉଛି ଯେ ଏକ କାର ଡିଭାଇଡରରେ ପିଟି ହେବା ପରେ ୧୫ ଥର ଓଲଟି ପଡ଼ିଛି ।

ଏହି ସମୟରେ, କାରରେ ଥିବା ଲୋକମାନେ ଗାଡି ବାହାରେ ଉଡ଼ି ପଡ଼ିଥିବାର ଦେଖାଯାଇଥିଲା । ୩ ଜଣ ମୃତକଙ୍କ ମଧ୍ୟରେ ୩୫ ବର୍ଷୀୟ ମୌଲା ଅବଦୁଲ ସାମିଲ ଅଛନ୍ତି । ମୌଲା ଗାଡ଼ି ଚଳାଉଥିଲେ । ତାଙ୍କର ଦୁଇ ପୁଅ ରେହମାନ (୧୫ ବର୍ଷ) ଏବଂ ସମୀର (୧୦ ବର୍ଷ) ମଧ୍ୟ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି । ମୌଲାଙ୍କ ସ୍ତ୍ରୀ ସଲିମା ବେଗମ, ତାଙ୍କ ମାଆ ଫାତିମା ଏବଂ ପୁଅ ହୁସେନ ଗୁରୁତର ଆହତ ହୋଇଥିଲେ ।

ପୋଲିସ ତାଙ୍କୁ ବଲ୍ଲାରୀ VIMS ହସ୍ପିଟାଲରେ ଭର୍ତ୍ତି କରିଛି । ରାମପୁର ପୋଲିସ ଘଟଣାସ୍ଥଳ ପରିଦର୍ଶନ କରି ଏକ ମାମଲା ରୁଜୁ କରିଛି । ପୋଲିସର ସୂଚନା ଅନୁଯାୟୀ, ପରିବାରଟି ମୂଳତଃ ୟାଡିଗରର ବାସିନ୍ଦା । ସେ ବାଙ୍ଗାଲୋରରେ କାମ କରୁଥିଲେ । ଅନ୍ୟପଟେ ଦୁର୍ଘଟଣାର ଭିଡିଓ ଏବେ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି ।

ସେହିଭଳି ମହାରାଷ୍ଟ୍ରର ବୁଲଢାନାରେ ଏକ ସମାନ ଦୁର୍ଘଟଣା ଘଟିଛି । ଏକ ବସ୍ ଏବଂ ଏକ ସ୍ପୋର୍ଟସ୍ ୟୁଟିଲିଟି ଭେଇକିଲ୍ (SUV) ମଧ୍ୟରେ ଧକ୍କା ହେବା ଫଳରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି । ଯେତେବେଳେ କି ୨୪ ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଖାମଗାଓଁ-ଶେଗାଓଁ ରାଜପଥରେ ସକାଳ ପ୍ରାୟ ୫.୩୦ ସମୟରେ ଏକ ଦ୍ରୁତଗାମୀ ବୋଲେରୋ କାର ମହାରାଷ୍ଟ୍ର ରାଜ୍ୟ ସଡ଼କ ପରିବହନ ନିଗମର ଏକ ବସ୍ ସହିତ ଧକ୍କା ଦେଇଥିଲା । ଏହା ପରେ କିଛି ସମୟ ମଧ୍ୟରେ ଏକ ଘରୋଇ ବସ୍ ଉଭୟ ଗାଡ଼ିକୁ ଧକ୍କା ଦେଇଥିଲା । ଘରୋଇ ବସ୍‌ର ଫ୍ରଣ୍ଟ କ୍ୟାବିନ୍‌ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣା ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି ।

Also read: ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ ବସ, ୧୦ରୁ ଅଧିକ ଆହତ