ଗୋଟିଏ ବିୟର ଦାମ୍‌ ୭୧ ଲକ୍ଷ ଟଙ୍କା, ବିଶ୍ୱାସ ହେଉନି ନା ?

ଇଂଲଣ୍ଡର ମାଞ୍ଚେଷ୍ଟର ସ୍ଥିତ ଏକ ହୋଟେଲରେ ଅଷ୍ଟ୍ରେଲିଆର ଜଣେ ସାମ୍ବାଦିକ ବିୟର ପିଇଲେ । ହେଲେ ବିୟର ଦାମ୍‌ ଯେତେବେଳେ ଜାଣିଲେ ତାଙ୍କର ହୋସ୍‌ ଉଡ଼ିଗଲା । ଏହି ବିୟର ବାବଦରେ ତାଙ୍କୁ ଦେବାକୁ ପଡ଼ିଛି ୭୧ ଲକ୍ଷ ଟଙ୍କା ।
ଘଟଣାଟି ହେଉଛି, ଅଷ୍ଟ୍ରେଲିଆର ଏକ ସମ୍ବାଦପତ୍ରର କ୍ରୀଡ଼ା ସମ୍ପାଦକ ହେଲେ ପିଟର ଲାଲୋର । ବର୍ତ୍ତମାନ ଇଂଲଣ୍ଡରେ ଚାଲିଥିବା ଅଷ୍ଟ୍ରେଲିଆ-ଇଂଲଣ୍ଡ ଆସେସ୍‌ ସିରିଜ୍‌ ଖବର ସଂଗ୍ରହ ପାଇଁ ସେ ଆସିଥିଲେ । ହେଲେ ତାଙ୍କ ଦୁର୍ଭାଗ୍ୟ ଏଇ ଯେ ସେ ନିଜ ବନ୍ଧୁମାନଙ୍କ ସାଙ୍ଗରେ ମାଲମାଇସନ୍‌ ନାମକ ହୋଟେଲକୁ ଚାଲିଗଲେ ଓ ଗୋଟିଏ ବିୟର ଅର୍ଡ଼ର ଦେଲେ । ବିୟର ପିଇ ସାରି ଯେତେବେଳେ ଡିଜିଟାଲ ମେସିନରେ ପେମେଣ୍ଟ କଲେ ସେତେବେଳେ ଚଷମା ପିନ୍ଧ ନଥିଲେ । ପେମେଣ୍ଟ ମେସିନ୍‌ରେ ଟିକିଏ କଣ ସମସ୍ୟା ଦେଖା ଦେଲା । ପିଟର କିନ୍ତୁ ସେଥିପ୍ରତି ଧ୍ୟାନ ଦେଇ ନଥିଲେ । ତେଣୁ କେତେ ଟଙ୍କା ବିଲ୍‌ ହେଲା ତାଙ୍କୁ ଜଣାପଡ଼ିଲା ନାହିଁ ।

ପରେ ଯେତେବେଳେ ଜାଣିଲେ ତାଙ୍କ ପାଦ ତଳୁ ମାଟି ଖସିଗଲା । ମୁଣ୍ଡ ଘୂରାଇ ଦେଲା । ତାଙ୍କର ବିଲ୍‌ ହୋଇଥିଲା ୯୯,୯୮୩.୬୪ ଡଲାର । ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୭୧ ଲକ୍ଷ ୭୦ ହଜାର ୨୨୬ ଟଙ୍କା । ସେ ତୁରନ୍ତ ହୋଟେଲ ମ୍ୟାନେଜରଙ୍କ ପାଖକୁ ଗଲେ ଓ ଅଭିଯୋଗ କରିବା ପରେ ମ୍ୟାନେଜର କ୍ଷମା ମାଗିଲେ । ମେସିନ୍‌ରେ କିଛି ତ୍ରୁଟି ଯୋଗୁଁ ଏଭଳି ହୋଇଛି ବୋଲି କହିବା ସହ ତାଙ୍କ ଠାରୁ ନିଆଯାଇଥିବା ଅତିରିକ୍ତ ଅର୍ଥକୁ ଫେରାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଲେ । ତା ପରେ ଯାଇ ପିଟରଙ୍କ ମୁଣ୍ଡ ଠିକ୍‌ ହେଲା ।