୭୫ ବିବାହ, ୨୦୦ ଯୁବତୀ ଚାଲାଣ… ପୋଲିସ ପଞ୍ଝାରେ ସେକ୍ସ ର‍୍ୟାକେଟ୍‌ର ବଡ଼ ଦଲାଲ

ବାଂଲାଦେଶରୁ ଝିଅଙ୍କୁ ଆଣି ଯୌନଦାସୀ କରୁଥିବା ଏକ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଧରିବାରେ ସଫଳ ହୋଇଛି ମଧ୍ୟ ପ୍ରଦେଶର ଇନ୍ଦୋର ପୋଲିସ। ଏହି ଅପରାଧୀର ନାଁ ମୁନୀର ଓରଫ୍‌ ମୁନିରୁଲ ବୋଲି ଜଣାପଡ଼ିଛି। ମୁନୀର ବାଂଲାଦେଶରୁ ୨୦୦ରୁ ଊର୍ଦ୍ଧ୍ୱ ଯୁବତୀଙ୍କୁ ଆଣି ଏଠାରେ ଯୌନ କର୍ମୀ ଭାବେ କାମ କରାଉଥିଲା। ସେ ପ୍ରତିମାସରେ ସେଠାରୁ ୫୫ ରୁ ଅଧିକ ଯୁବତୀଙ୍କୁ ଆଣୁଥିଲା ବୋଲି ସ୍ୱୀକାର କରିଛି। ଗତ ୫ ବର୍ଷ ହେଲା ସେ ଏହି କାମ କରୁଥିଲା। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ମୁନୀର ଇତି ମଧ୍ୟରେ ୭୫ ଜଣ ଝିଅକୁ ବିବାହ କରିଛି।

ଗିରଫ ହେବା ପରେ ମୁନୀର କହିଛି ଯେ ସେ ବାଂଲାଦେଶ ଓ ଭାରତର ବର୍ଡରକୁ ନାଳ ବାଟେ ଯୁବତୀଙ୍କୁ ପ୍ରବେଶ କରାଉଥିଲା। ପରେ ସେଠାରେ ଏକ ଛୋଟ ଗାଁରେ ଏଜେଣ୍ଟ ମାଧ୍ୟମରେ ଝିଅଙ୍କୁ ମୁର୍ଶିଦାବାଦ ଓ ଆଖପାଖ ଗ୍ରାମୀଣ ଅଞ୍ଚଳ ଦେଇ ଭାରତରେ ଏଣ୍ଟ୍ରି କରାଉଥିଲା। ଥରେ ଭାରତରେ ପ୍ରବେଶ କରିସାରିବା ପରେ ସେ ଗ୍ରାହକଙ୍କ ଟଙ୍କା ଅନୁସାରେ ଯୁବତୀଙ୍କୁ ଚୟନ କରି ସେଠାକୁ ପଠାଉଥିଲା। ଯୁବତୀମାନେ ଖାସ୍‌ କରି ସ୍ପା’ ସେଣ୍ଟରରେ ଦେହ ବ୍ୟବସାୟ କରୁଥିଲେ।

sex racket
Image Credit: Aajtak

୧୧ ମାସ ପୂର୍ବରୁ ଇନ୍ଦୋର ପୋଲିସ ୨୧ ବାଂଲାଦେଶୀ ଯୁବତୀଙ୍କୁ ଉଦ୍ଧାର କରିବା ପରେ ମୁନୀର ବିଷୟରେ ଜାଣିବାକୁ ପାଇଥିଲା। ସେବେଠାରୁ ଏହି ଦେହ ବ୍ୟବସାୟୀଙ୍କୁ ଖୋଜୁଥିଲା ପୋଲିସ। ମୁନୀର ମୁଣ୍ଡ ଉପରେ ଇନ୍ଦୋର ପୋଲିସ ପକ୍ଷରୁ ୧୦ ହଜାର ଟଙ୍କାର ପୁରସ୍କାର ରାଶି ମଧ୍ୟ ରଖାଯାଇଥିଲା। ତେବେ ବର୍ତ୍ତମାନ ମୁନୀର ଧରାପଡ଼ିବା ପରେ ଏହି ଦେହ ବ୍ୟବସାୟ ଚେର ଆଉ କୁଆଡ଼େ ଲମ୍ବିଛି, ତାହାର ପତ୍ତା ମିଳିବ ବୋଲି ପୋଲିସ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.