ଆସାରାମ୍‌ଙ୍କ ପୁଅ ନାରାୟଣ ସାଇକୁ ବଡ଼ ଝଟକା, ଗୁଜୁରାଟ ହାଇକୋର୍ଟଙ୍କ ଫର୍ଲୋ ନିଷ୍ପତ୍ତି ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଆସାରାମଙ୍କ ପୁଅ ନାରାୟଣ ସାଇକୁ ଦେଇଛନ୍ତି ବଡ଼ ଝଟକା । ଯୌନ ଉତ୍ପୀଡ଼ନ ମାମଲାରେ ଗୁଜୁରାଟ ହାଇକୋର୍ଟ ସାଇକୁ ଦେଇଥିବା ‘ଫର୍ଲୋ’(କିଛି ଦିନ ପାଇଁ ଛାଡ଼ କରିବା) ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି ।

ଜଷ୍ଟିସ୍‌ ଡି ଓ୍ଵାଇ ଚନ୍ଦ୍ରଚୁଡ଼ ଏବଂ ଜଷ୍ଟିସ ବି ନାଗରତ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ‘ଫର୍ଲୋ’ ଦେବା ପାଇଁ ହାଇକୋର୍ଟ ଦେଇଥିବା ୨୪ ଜୁନ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ ‘ଫର୍ଲୋ’ କୌଣସି ଉପଯୁକ୍ତ ଅଧିକାର ନୁହେଁ । ଏହାକୁ ଦେବା କିଛି କଥା ଉପରେ ନିର୍ଭର କରିଥାଏ ।ଅଦାଲତ କହିଛନ୍ତି ଯେ ସାଇଙ୍କ କୋଠରୀରୁ ଏକ ମୋବାଇଲ ଫୋନ ମିଳିଥିଲା । ତେଣୁ ଏଥିପାଇଁ ଜେଲ୍‌ ଅଧୀକ୍ଷକ କହିଥିଲେ ଯେ ସାଇକୁ ଫର୍ଲୋ ଦେବା ଉଚିତ୍‌ ନୁହେଁ ।

ସୁପ୍ରିମକୋର୍ଟ ସାଇକୁ ଫର୍ଲୋ ଦେବା ନେଇ ଗଜୁରାଟ ହାଇକୋର୍ଟଙ୍କ ଆଦେଶ ଉପରେ ୧୨ ଅଗଷ୍ଟରେ ରୋକ ଲଗାଇଥିଲେ । ସୁପ୍ରିମକୋର୍ଟଙ୍କ ପରବର୍ତ୍ତୀ ନିଷ୍ପତ୍ତି ଯାଏ ହାଇକୋର୍ଟଙ୍କ ରାୟ ଉପରେ ରୋକ ଲଗାଇଥିଲେ ।
ସୁପ୍ରିମକୋର୍ଟ କହିଥିଲେ ଯେ ମୁମ୍ବାଇ ଫର୍ଲୋ ଓ ପାରୋଲ ନିୟମ ୧୯୫୯ ନିୟମ ୩(୨) ଅନୁସାରେ ଆଜୀବନ କାରାଦଣ୍ଡ ପାଇଥିବା କୈଦୀକୁ ୭ ବର୍ଷ ଦଣ୍ଡ ପୁରା କରିବା ପରେ ପ୍ରତିବର୍ଷ ଫର୍ଲୋ କିମ୍ବା ପାରୋଲ ଦିଆଯାଇପାରେ ।

ଯେଉଁଥିପାଇଁ ଗୁଜୁରାଟ ହାଇକୋର୍ଟ ଙ୍କ ଖଣ୍ଡପୀଠ ୨୪ ଜୁନ ୨୦୨୧ ଆଦେଶରେ ଦୁଇ ସପ୍ତାହ ଫର୍ଲୋ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଖଣ୍ଡପୀଠ ଏହା ଉପରେ ରୋକ ଲଗାଇଥିଲେ । ରାଜ୍ୟ ସରକାର ହାଇକୋର୍ଟଙ୍କ ଏହି ରାୟ ଉପରେ ସୁପ୍ରିମକୋର୍ଟରେ ଅପିଲ କରିଥିଲେ । ଅପିଲରେ ଫର୍ଲୋ ଦେବା କୌଣସି ଅଧିକାର ନୁହେଁ ଏବଂ ଏହା ଉପରେ ବିଭିନ୍ନ କଥା ନିର୍ଭର କରେ ବୋଲି ରାଜ୍ୟ ସରକାର ଦର୍ଶାଇଥିଲେ ।

ଏଥିରେ କୁହଯାଇଥିଲା ଯେ ସାଇ ଓ ତାଙ୍କ ପିତାଙ୍କୁ ବଳାତ୍କାର ମାମଲାରେ ଗିରଫ କରାଯାଇଛି । ଏମାନଙ୍କର ଧନ ଓ କ୍ଷମତା ଦୁରୁପଯୋଗ କରିବାର ସମ୍ଭାବନା ରହିଛି । ତେଣୁ ସାଇକୁ ଫର୍ଲୋ ଦିଆନଯାଉ ।ଏହା ଉପରେ ସୁପ୍ରିମକୋର୍ଟ ଆଜି ଶୁଣାଣି କରି ସାଇକୁ ୨ ସପ୍ତାହ ଫର୍ଲୋ ଦେବା ଉପରେ ଗୁଜୁରାଟ ହାଇକୋର୍ଟ ଦେଇଥିବା ନିଷ୍ପତ୍ତିକୁ ଖାରଜ କରିଦେଇଛନ୍ତି । ଫଳରେ ସାଇକୁ ବଡ଼ ଧକ୍କା ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.