ଫିଲ୍ମ ସେଲିବ୍ରିଟିମାନେ ପ୍ରତିବର୍ଷ କୋଟି କୋଟି ଟଙ୍କାର ଟ୍ୟାକ୍ସ ଦିଅନ୍ତି । ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ ୨୦୨୪ରେ ସମସ୍ତ ଭାରତୀୟ ସେଲିବ୍ରିଟିଙ୍କ ମଧ୍ୟରେ ସର୍ବାଧିକ ଟିକସ ଭରିଛନ୍ତି । ଫର୍ଚ୍ୟୁନ୍ ଇଣ୍ଡିଆ ଅନୁସାରେ, ଶାହରୁଖ ୯୨ କୋଟିର ଟ୍ୟାକ୍ସ ଦେଇଛନ୍ତି । କିଙ୍ଗ ଖାନଙ୍କ ପରେ ବିଜୟ ଥାଲାପତି ୮୦ କୋଟି ଏବଂ ସଲମାନ ଖାନ ୭୫ କୋଟି ଟଙ୍କା ଟ୍ୟାକ୍ସ ଦେଇଛନ୍ତି । ଶାହରୁଖ ଖାନ ଟିକସ ଦେବାରେ ଅମିତାଭ ବଚ୍ଚନ ଓ ଅକ୍ଷୟ କୁମାରଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି ।
ଫର୍ଚ୍ୟୁନ୍ ଇଣ୍ଡିଆ ୨୦୨୩-୨୪ ଆର୍ଥିକ ବର୍ଷରେ ସର୍ବାଧିକ ଟିକସଦାତା ସେଲିବ୍ରିଟିଙ୍କ ତାଲିକା ପ୍ରକାଶ କରିଛି । ବ୍ୟାକ୍ ଟୁ ବ୍ୟାକ୍ ତିନୋଟି ହିଟ୍ ଫିଲ୍ମ ଦେଇଥିବା ଶାହରୁଖ ଖାନ୍ ଭାରତରେ ସର୍ବାଧିକ ଟିକସଦାତା ସେଲିବ୍ରିଟି ହୋଇଛନ୍ତି । ୨୦୨୪ରେ ସେ ୯୨ କୋଟି ଟଙ୍କା ଟ୍ୟାକ୍ସ ଦେଇଛନ୍ତି । ଶାହରୁଖଙ୍କ ପରେ ଅଛନ୍ତି ଥାଲାପତି ବିଜୟ । ଏହି ସାଉଥ୍ ଷ୍ଟାର ଟିକସ ଦେବାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେ ଚଳିତ ବର୍ଷ ୮୦ କୋଟି ଟଙ୍କା ଟିକସ ଦେଇଛନ୍ତି ।
ତୃତୀୟ ସ୍ଥାନରେ ଅଛନ୍ତି ‘ଦବଙ୍ଗ’ ଷ୍ଟାର୍ ସଲମାନ ଖାନ । ସେ ୭୫ କୋଟି ଟଙ୍କା ଟ୍ୟାକ୍ସ ଭରିଛନ୍ତି । ମେଗାଷ୍ଟାର ଅମିତାଭ ବଚ୍ଚନ ୭୧ କୋଟି ଟଙ୍କା ଟ୍ୟାକ୍ସ ଦେଇ ଚତୁର୍ଥ ସ୍ଥାନରେ ରହିଛନ୍ତି । ୨୦୨୪ର ସବୁଠାରୁ ବଡ଼ ହିଟ୍ ଫିଲ୍ମ ‘କଲ୍କୀ 2898 AD’ ଭେଟି ଦେଇଥିଲେ ବିଗ ବି ।
ଭାରତର ଷ୍ଟାର୍ କ୍ରିକେଟର ବିରାଟ କୋହଲି ପଞ୍ଚମ ସ୍ଥାନରେ ରହିଛନ୍ତି । ସେ ୬୬ କୋଟି ଟଙ୍କା ଟ୍ୟାକ୍ସ ଭରିଛନ୍ତି । ଏହା ସହିତ ବିରାଟ ୨୦୨୪ରେ ସର୍ବାଧିକ ଟିକସ ପ୍ରଦାନକାରୀ ଭାରତୀୟ ଆଥଲେଟ୍ ମଧ୍ୟ ହୋଇପାରିଛନ୍ତି ।
ଅନ୍ୟ ସେଲିବ୍ରିଟିଙ୍କ ମଧ୍ୟରେ ଅଜୟ ଦେବଗନ ୪୨ କୋଟି ଟଙ୍କା ଏବଂ ରଣବୀର କପୁର ୩୬ କୋଟି ଟଙ୍କା ଟ୍ୟାକ୍ସ ଦେଇଛନ୍ତି । ଏମ୍ଏସ୍ ଧୋନି ୩୮ କୋଟି ଟଙ୍କା ଟିକସ ଦେୟ ପ୍ରଦାନ କରି ସପ୍ତମ ସ୍ଥାନରେ ରହିଛନ୍ତି । ନବମ ଏବଂ ଦଶମ ସ୍ଥାନରେ ଯଥାକ୍ରମେ ହ୍ରିତିକ ରୋଶନ ଓ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଅଛନ୍ତି । ସେମାନେ ୨୮ କୋଟି ଟଙ୍କା ଟିକସ ଦେଇଛନ୍ତି ।