ସଲମାନଙ୍କ ପରେ ଏବେ ଶାହରୁଖଙ୍କୁ ହତ୍ୟା ଧମକ, ବାନ୍ଦ୍ରା ପୋଲିସ ଷ୍ଟେସନରେ ମାମଲା ରୁଜୁ

ସଲମାନଙ୍କ ପରେ ଏବେ ଶାହରୁଖ ଖାନଙ୍କୁ ଧମକ । ବଲିଉଡ ବାଦଶାହ ଶାହରୁଖ ଖାନଙ୍କୁ ହତ୍ୟା ଧମକ ମିଳିଛି । ରାୟପୁରର ଫୈଜାନ ନାମକ ଜଣେ ଯୁବକ ଧମକ ଦେଇଥିବା ସୂଚନା ମିଳିଛି । ଏନେଇ ବାନ୍ଦ୍ରା ପୋଲିସ ଷ୍ଟେସନରେ ମାମଲା ରୁଜୁ କରାଯାଇଛି । ତଦନ୍ତ ପାଇଁ ରାୟପୁର ଗଲା ମହାରାଷ୍ଟ୍ର ପୋଲିସ ।

ହତ୍ୟା ଧମକ ପରେ ଶାହରୁଖଙ୍କ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି ।  ଏହାପରେ ଶାହରୁଖଙ୍କୁ ୱାଇ ପ୍ଲସ୍ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଥିଲା । ଶାହରୁଖଙ୍କ ଅଭିନୀତ ଫିଲ୍ମ ‘ପଠାନ’ ଓ ‘ଜୱାନ’ର ସଫଳତା ପରେ ୨୦୨୩ ବେଳକୁ ତାଙ୍କୁ ଶେଷଥର ପାଇଁ ଏକ ହତ୍ୟା ଧମକ ମିଳିଥିଲା ।

ସୂଚନାଯୋଗ୍ୟ, ମୁମ୍ବାଇ ପୋଲିସର ଟ୍ରାଫିକ କଣ୍ଟ୍ରୋଲ ରୁମ୍‌କୁ ହ୍ୱାଟସ୍‌ ଆପ୍ ନମ୍ବରରେ ଲରେନ୍ସ ବିଷ୍ଣୋଇଙ୍କ ନାଁରେ ଏକ ଧମକପୂର୍ଣ୍ଣ ମେସେଜ ଆସିଥିଲା । ଟ୍ରାଫିକ କଣ୍ଟ୍ରୋଲ ରୁମ୍‌କୁ ପଠାଯାଇଥିବା ମେସେଜରେ କୁହାଯାଇଥିଲା ଯେ ‘ମୁଁ ଲରେନ୍ସ ବିଷ୍ଣୋଇର ଭାଇ କହୁଛି । ଯଦି ସଲମାନ ଖାନ ଜୀବିତ ରହିବାକୁ ଚାହାଁନ୍ତି ତେବେ ସେ ଆମ ମନ୍ଦିରକୁ ଯାଇ କ୍ଷମା ମାଗନ୍ତୁ ଅଥବା ୫ କୋଟି ଟଙ୍କା ଦିଅନ୍ତୁ । ଏପରି ନ କଲେ ଜୀବନରେ ମାରିଦେବୁ ।

ସଲମାନ ଖାନଙ୍କୁ ଏହା ପୂର୍ବରୁ ମଧ୍ୟ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ମୃତ୍ୟୁ ଧମକ ମିଳିଥିଲା । ସନ୍ଦିଗ୍ଧ ଗ୍ୟାଙ୍ଗର ସଦସ୍ୟ ଚଳିତ ବର୍ଷ ଏପ୍ରିଲରେ ଅଭିନେତାଙ୍କ ବାନ୍ଦ୍ରା ସ୍ଥିତ ଘର ବାହାରେ ଗୁଳି ମାଡ଼ କରିଥିଲେ । ମୁମ୍ବାଇରେ ଏନସିପି ନେତା ତଥା ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକୀଙ୍କ ହତ୍ୟା ପରେ ସଲମାନ ଖାନଙ୍କୁ ହତ୍ୟା ଧମକ ଦେଇଥିଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ।  ହତ୍ୟା ଧମକ ପରେ ସଲମାନ ଖାନଙ୍କ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି ।

 

You might also like