ଶରଦ ପାଓ୍ୱାର Z + ସୁରକ୍ଷା ନେବାକୁ ମନା କଲେ; କହିଲେ, ‘ପ୍ରଥମେ ଦେଖିବି କେଉଁ ପ୍ରକାରର ବିପଦ ଅଛି’

ଏନ୍‌ସିପି (ଏସ୍‌ପି) ମୁଖ୍ୟ ଶରଦ ପାଓ୍ୱାର ଆଜି ଗୃହ ମନ୍ତ୍ରଣାଳୟ ଦ୍ୱାରା ଦିଆଯାଇଥିବା Z ପ୍ଲସ୍‌ ସିକ୍ୟୁରିଟି ନେବାକୁ ମନା କରି ଦେଇଛନ୍ତି । ମନ୍ତ୍ରଣାଳୟ କିଛି ଦିନ ତଳେ ତାଙ୍କୁ Z ପ୍ଲସ୍‌ ସୁରକ୍ଷା ଦେବାକୁ ନିଷ୍ପତ୍ତି ନେଇଥିଲା, ଯେଉଁଥିରେ ସିଆର୍‌ପିଏଫ୍‌ର ୫୮ ଜଣ କମାଣ୍ଡୋ ତାଙ୍କ ସୁରକ୍ଷାରେ ମୁତୟନ ହୋଇଥାନ୍ତେ ।

ଶରଦ ପାଓ୍ୱାର କହିଛନ୍ତି, ତାଙ୍କ ବିରୋଧରେ କେଉଁ ପ୍ରକାରର ଧମକ ରହିଛି, ତାହା ପ୍ରଥମେ ସେ ଯାଞ୍ଚ କରିବେ । ଏହାପରେ ସୁରକ୍ଷା ନେବା ଉପରେ ବିଚାର କରିବେ । ଏ ସମ୍ବନ୍ଧରେ ସେ ଗୃହ ମନ୍ତ୍ରଣାଳୟର କିଛି ଅଧିକାରୀଙ୍କଠାରୁ ମଧ୍ୟ ସୂଚନା ଲୋଡ଼ିଛନ୍ତି ।

କହି ରଖୁଛୁ, ଏହାପୂର୍ବରୁ ବି ଶରଦ ପାଓ୍ୱାର Z ପ୍ଲସ୍‌ ସିକ୍ୟୁରିଟିକୁ ନେଇ ନିଜର ଉଦାସୀନତା ପ୍ରକାଶ କରିସାରିଛନ୍ତି । ନିକଟରେ ଯେବେ ତାଙ୍କୁ ସୁରକ୍ଷା ଦିଆଯିବାକୁ ନେଇ ନିଷ୍ପତ୍ତି ନିଆଯାଇଥିଲା, ପାଓ୍ୱାର ଏହା ଉପରେ ପ୍ରଶ୍ନ ଉଠାଇଥିଲେ । Z ପ୍ଲସ୍‌ ସିକ୍ୟୁରିଟି ମିଳିବାକୁ ନେଇ ନିଜର ପ୍ରତିକ୍ରିୟାରେ ସେ ଏହାକୁ ଗୁପ୍ତଚର ମାଧ୍ୟମ ବୋଲି କହିଥିଲେ । ପାଓ୍ୱାର କହିଥିଲେ ଯେ ତାଙ୍କୁ ଦିଆଯାଇଥିବା Z + ସୁରକ୍ଷା ତାଙ୍କ ବିଷୟରେ ପ୍ରମାଣଭିତ୍ତିକ ସୂଚନା ପାଇବାର ଏକ ତରିକା ହୋଇପାରେ । କାରଣ, ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଖେଇ ଆସୁଛି ।

ଗଣମାଧ୍ୟମ ପଚାରିଥିବା ପ୍ରଶ୍ନରେ ସେ କହିଥିଲେ, ଏହି ପଦକ୍ଷେପ ପଛର କାରଣ ସେ ଜାଣିନାହାନ୍ତି । କେନ୍ଦ୍ରର ନିଷ୍ପତ୍ତି ଉପରେ ସେ ସନ୍ଦେହ ପ୍ରକଟ କରିଛନ୍ତି ।

ଅଫିସିଆଲ୍‌ ସୂତ୍ର ପୂର୍ବରୁ କହିଥିଲା କି, କେନ୍ଦ୍ରୀୟ ଏଜେନ୍ସି ବିପଦ ଆକଳନ କରି ପାୱାରଙ୍କ ପାଇଁ ଏକ ମଜବୁତ ସୁରକ୍ଷା କଭର ସୁପାରିଶ କରିଥିଲା । ବ୍ଲୁ ବୁକ୍ ସୁରକ୍ଷା ଅନୁଯାୟୀ, ପ୍ରତ୍ୟେକ ଭିଭିଆଇପିଙ୍କୁ Z + ବର୍ଗର ସୁରକ୍ଷା ଦିଆଯାଏ । ସେମାନଙ୍କ ଚାରିପାଖରେ କଡ଼ା ସୁରକ୍ଷା ପହରା ରହିଥାଏ । ୫୮ ଜଣ ସଶସ୍ତ୍ର କର୍ମୀ ଏହି ବର୍ଗର ସୁରକ୍ଷାରେ ନିୟୋଜିତ ରୁହନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like