ପରଭେଜ ମୁସରଫଙ୍କୁ ଶଶି ଥରୁର କହିଲେ ଶାନ୍ତି ଦୂତ, କଂଗ୍ରେସ ଉପରେ ଖପ୍ପା ହେଲା ବିଜେପି

ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବ ରାଷ୍ଟ୍ରପତି ପରଭେଜ ମୁସରଫଙ୍କ ମୃତ୍ୟୁରେ କଂଗ୍ରେସ ନେତା ଶଶି ଥରୁର ଦୁଃଖ ପ୍ରକାଶ କରିଛନ୍ତି । ଖାଲି ସେତିକି ନୁହେଁ ସେ ତାଙ୍କ ଟ୍ଵିଟିରେ ପରଭେଜଙ୍କୁ ‘ଶାନ୍ତିର ଦୂତ’ ବୋଲି କହିବା ସହ ସେ ବ୍ୟକ୍ତିତ୍ୱରେ ଜଣେ ସ୍ମାର୍ଟ, ସ୍ପଷ୍ଟ ଓ ଆକର୍ଷକ ଥିଲେ ବୋଲି କହିଛନ୍ତି । ଯାହାକୁ ନେଇ ବିଜେପି କ୍ଷୋଭୋ ପ୍ରକାଶ କରିଛି ।

ଶଶି ଥରୁର ତାଙ୍କର ଟ୍ଵିଟରେ ‘ପୂର୍ବ ପାକିସ୍ତାନ ରାଷ୍ଟ୍ରପତି ପରଭେଜ ମୁସରଫ ଏକ ଅସାଧାରଣ ରୋଗରେ ମୃତ୍ୟୁ ବରଣ କଲେ । ସେ ଭାରତର ଜଣେ କଟ୍ଟର ଶତ୍ରୁ ଥିଲେ, ହେଲେ ୨୦୦୨-୨୦୦୭ ରେ ଶାନ୍ତି ପାଇଁ ଜଣେ ଦୃଢ଼ ବ୍ୟକ୍ତିତ୍ୱ ଭାବେ ଠିଆ ହୋଇଥିଲେ । ସେ ସମୟରେ ତାଙ୍କ ସହ ମୋର ଯୁକ୍ତରାଷ୍ଟ୍ରରେ ପ୍ରତି ବର୍ଷ ଦେଖା ହେଉଥିଲା । ମୁଁ ତାଙ୍କ ରଣନୀତି,ଭାବନାରେ ସ୍ପଷ୍ଟ ଦେଖିବାକୁ ପାଇଥିଲି ବୋଲି ଲେଖିଥିଲେ ।’

ଏହି ଟ୍ଵିଟକୁ ଦେଖିବା ପରେ ଶଶି ଥରୁରଙ୍କୁ ବିଜେପିର କ୍ରୋଧର ସାମନା କରିବାକୁ ପଡିଛି । ବିଜେପିର ପ୍ରବକ୍ତା ଶହଜାଦ ପୁନାଓ୍ଵାଲା ଶଶି ଥରୁରଙ୍କୁ ପାକିସ୍ତାନର ହିତୈଶୀ ବୋଲି କହିଛନ୍ତି । ପୁନାଓ୍ଵାଲା ଟ୍ଵିଟ କରି କହିଛନ୍ତି,‘ପରଭେଜ କାରଗିଲ ଯୁଦ୍ଧର ଆର୍କିିଟେକ୍ଟ ଥିଲେ, ତାନାଶାହ ଓ ଜଘନ୍ୟ ଅପରାଧର ଅଭିଯୁକ୍ତ ଥିଲେ । ସେ ଆହୁରି କହିଥିଲେ, ଯିଏ ତାଲିବାନ ଏବଂ ଓସମା ବିନ ଲାଦେନକୁ ଭାଇ ଓ ନାୟକ କହୁଥିଲେ, ଯିଏ ନିଜର ମୃତ ସୈନିକଙ୍କ ଶବ ଫେରସ୍ତ ନେବାକୁ ମନା କରିଥିଲେ, କଂଗ୍ରେସ ଦ୍ୱାରା ତାଙ୍କର ସ୍ୱାଗତ କରାଯାଉଛି । କଂଗ୍ରେସର ପାକିସ୍ତାନ ପ୍ରୀତି ଦେଖି ଆଶ୍ଚର୍ଯ୍ୟ ଲାଗୁଛି ।

ଏକଦା ମୁସରଫ ରାହୁଲ ଗାନ୍ଧୀଙ୍କୁ ମହତ ବ୍ୟକ୍ତିତ୍ୱ ବୋଲି କହି ପ୍ରଶଂସା କରିଥିଲେ । ସେଥିପାଇଁ ବୋଧହୁଏ ମୁସରଫଙ୍କ ପ୍ରତି କଂଗ୍ରେସର ପ୍ରେମ ଜାଗ୍ରତ ହେଲା । ୩୭୦ ରୁ ଆରମ୍ଭ କରି ସର୍ଜିକାଲ ଷ୍ଟ୍ରାଇକ ଓ ବାଲାକୋଟକୁ ନେଇ ସନ୍ଦେହ କରୁଥିବା କଂଗ୍ରେସ ମୁସରଫଙ୍କ ଜୟକାର କରୁଛି । ପ୍ରକାଶଯୋଗ୍ୟ ଯେ ରବିବାର ଦୁବାଇର ଏକ ହସପିଟାଲରେ ପରଭେଜ ମୁସରଫଙ୍କ ମୃତ୍ୟୁ ହୋଇଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.