ସୁନା ଚୋରା ଚାଲାଣ ମାମଲାରେ ଶଶି ଥରୁର୍‌ଙ୍କ ପିଏ ଗିରଫ; କଂଗ୍ରେସ ସାଂସଦ କହିଲେ, କାର୍ଯ୍ୟାନୁଷ୍ଠାନ ହେଉ

ଦିଲ୍ଲୀ ବିମାନବନ୍ଦରରେ ସୁନା ଚୋରା ଚାଲାଣ ମାମଲାରେ କଷ୍ଟମ୍‌ ବିଭାଗ ଦୁଇ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରୁ ଜଣେ ନିଜକୁ କଂଗ୍ରେସ ସାଂସଦ ଶଶି ଥରୁରଙ୍କ ପିଏ (ବ୍ୟକ୍ତିଗତ ସହାୟକ) ବୋଲି କହିଛନ୍ତି । ଉଭୟଙ୍କଠାରୁ କଷ୍ଟମ୍‌ ଅଧିକାରୀମାନେ ପାଖାପାଖି ୫୦୦ ଗ୍ରାମ ସୁନା ଜବତ କରିଛନ୍ତି ।

ଏହି ମାମଲାରେ ଶଶି ଥରୁର ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ ଚୋରା କାରବାରରେ ଧରାପଡିଥିବା ବ୍ୟକ୍ତି ବର୍ତ୍ତମାନ ତାଙ୍କ ପାଖରେ କାମ କରୁନାହାନ୍ତି ।

ନ୍ୟୁଜ୍ ଏଜେନ୍ସି ମୁତାବକ, ମେ’ ୨୯ରେ ଦିଲ୍ଲୀ ବିମାନବନ୍ଦରରେ କଷ୍ଟମ୍‌ ବିଭାଗ ଦୁଇ ଜଣଙ୍କୁ ସନ୍ଦେହରେ ଯାଞ୍ଚ କରିଥିଲା । ଯାଞ୍ଚ ସମୟରେ ସେମାନଙ୍କ ନିକଟରୁ ପ୍ରାୟ ୫୦୦ ଗ୍ରାମ ସୁନା ମିଳିଥିଲା । ଗିରଫ ଦୁଇ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଶିବ କୁମାର ବୋଲି ଜଣାପଡ଼ିଛି । ଶିବ କୁମାର ଦାବି କରିଛନ୍ତି ଯେ ସେ କଂଗ୍ରେସ ନେତା ଶଶି ଥରୁରଙ୍କ ପିଏ । ଅଧିକାରୀମାନେ ଅଭିଯୁକ୍ତଙ୍କୁ ଅଧିକ ପଚରାଉଚରା କରୁଛନ୍ତି ।

ଏହି ପ୍ରସଙ୍ଗରେ କଷ୍ଟମ ବିଭାଗ ମଧ୍ୟ ବିବୃତ୍ତି ଜାରି କରିଛି । ବିଭାଗ କହିଛି ଯେ ସନ୍ଦେହ ହେବାରୁ ଆଇଜିଆଇ ବିମାନବନ୍ଦରରେ ଜଣେ ବ୍ୟକ୍ତିଙ୍କ ବିରୋଧରେ ସୁନା ଚୋରା ଚାଲାଣ ମାମଲା ରୁଜୁ କରାଯାଇଛି । ମେ’ ୨୯ରେ ଟିଜି-୩୨୩ ବିମାନରେ ସେ ବ୍ୟାଙ୍କକ୍‌ରୁ ଦିଲ୍ଲୀରେ ପହଞ୍ଚିଥିଲେ । ଯାଞ୍ଚରେ ଅନ୍ୟ ଜଣଙ୍କର ସମ୍ପୃକ୍ତି ଥିବା ମଧ୍ୟ ଜଣାପଡ଼ିଥିଲା । ସେ ଯାତ୍ରୀଙ୍କୁ ନେବା ପାଇଁ ବିମାନବନ୍ଦର ଆସିଥିଲେ ଏବଂ ଚୋରା କାରବାରରେ ସାହାଯ୍ୟ କରିଥିଲେ ।

ତଦନ୍ତ ପରେ ୫୦୦ ଗ୍ରାମ ଓଜନର ସୁନା ଚେନ୍‌ ଉଦ୍ଧାର କରାଯାଇଥିଲା । ଜଣାପଡିଛି ଯେ ଅଭିଯୁକ୍ତଙ୍କ ପାଖରେ ବୈଧ ଏରୋଡ୍ରୋମ ପ୍ରବେଶ ଅନୁମତି ଥିଲା । ଉଦ୍ଧାର ହୋଇଥିବା ସୁନାର ମୂଲ୍ୟ ହେଉଛି ୩୫.୨୨ ଲକ୍ଷ ଟଙ୍କା ।

ଏହାରି ଭିତରେ କଂଗ୍ରେସ ନେତା ଶଶି ଥରୁର ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ସ୍ପଷ୍ଟୀକରଣ ଦେଇଛନ୍ତି । ସେ କହିଛନ୍ତି, ନିର୍ବାଚନ ପ୍ରଚାର ପାଇଁ ସେ ଧର୍ମଶାଳାରେ ଅଛନ୍ତି । ଏହି ସମୟରେ ତାଙ୍କର ଜଣେ ପୂର୍ବତନ ଷ୍ଟାଫ୍‌ ସଦସ୍ୟଙ୍କ ସହ ଜଡିତ ଏକ ଘଟଣା ବିଷୟରେ ଶୁଣି ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଗିରଫ ବ୍ୟକ୍ତି ତାଙ୍କ ପାଖରେ ଏୟାରପୋର୍ଟ ସୁବିଧା ସହାୟକ ଭାବରେ ପାର୍ଟ ଟାଇମ୍ କାମ କରୁଥିଲେ ।

ଥରୁର କହିଛନ୍ତି ଯେ ‘ସେ ଜଣେ ୭୨ ବର୍ଷୀୟ ଅବସରପ୍ରାପ୍ତ ବ୍ୟକ୍ତି, ଯିଏ ନିୟମିତ ଭାବରେ ଡାଏଲିସିସ୍ କରାନ୍ତି । ତାଙ୍କୁ ଅନୁକମ୍ପାମୂଳକ ପାର୍ଟ ଟାଇମ୍ ନିଯୁକ୍ତି ଦିଆଯାଇଥିଲା । ମୁଁ କୌଣସି ଭୁଲ କାମକୁ ସମର୍ଥନ କରେ ନାହିଁ । ଘଟଣାର ତଦନ୍ତ ନିମନ୍ତେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ମୁଁ ଅଧିକାରୀଙ୍କ ଉଦ୍ୟମକୁ ସମ୍ପୂର୍ଣ୍ଣ ଭାବେ ସମର୍ଥନ କରୁଛି’ ।

You might also like