ବଞ୍ଚିଛନ୍ତି ୯ ବର୍ଷ ହେଲା ମରିଥିବା ସିନା ବୋରା! କଶ୍ମୀରରେ ଖୋଜିବାକୁ ସିବିଆଇକୁ ଚିଠି ଲେଖିଲେ ଅଭିଯୁକ୍ତ ମା’ ଇନ୍ଦ୍ରାଣୀ ମୁଖାର୍ଜୀ

ବହୁ ଚର୍ଚ୍ଚିତ ସିନା ବୋରା ହତ୍ୟାକାଣ୍ଡରେ ନୂଆ ମୋଡ଼। ସିନା ବୋରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀ ଏକ ବଡ଼ ଦାବି କରିଛନ୍ତି। ଇନ୍ଦ୍ରାଣୀ ଦାବି କରିଛନ୍ତି, ତାଙ୍କ ମୃତ ଝିଅ ସିନା ବୋରା ବଞ୍ଚିଛି ଓ କାଶ୍ମୀରରେ ଅଛି। ଏ ନେଇ ଦାବି କରି ସିବିଆଇ ମୁଖ୍ୟଙ୍କୁ ଚିଠି ଲେଖିବା ସତ୍ତ୍ୱେ ଏବେ ଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ଇନ୍ଦ୍ରାଣୀ ଅଦାଲତର ଦ୍ୱାରସ୍ଥ ହେବେ ବୋଲି ମଧ୍ୟ କହିଛନ୍ତି। ତାଙ୍କୁ ନ୍ୟାୟ ନ ମିଳିବା ଯାଏଁ ସେ ଏହି ଲଢ଼େଇ ଜାରି ରଖିବେ ବୋଲି କହିଛନ୍ତି ଇନ୍ଦ୍ରାଣୀ।

ସିବିଆଇକୁ ଲେଖିଥିବା ଚିଠିରେ ଇନ୍ଦ୍ରାଣୀ ମୁଖାର୍ଜୀ ଦାବି କରିଛନ୍ତି ଯେ ନିକଟରେ ସେ ଜେଲରେ ଜଣେ ମହିଳାଙ୍କୁ ଭେଟିଥିଲେ। ସେ ତାଙ୍କୁ କହିଥିଲେ ଯେ ସେ କଶ୍ମୀରରେ ସିନା ବୋରାଙ୍କୁ ଭେଟିଥିଲେ। ଏଣୁ ଇନ୍ଦ୍ରାଣୀ କହିଛନ୍ତି ଯେ ସିବିଆଇ କଶ୍ମୀର ଯାଉ ଆଉ ସିନାଙ୍କୁ ଖୋଜୁ। ସୂଚନାଯୋଗ୍ୟ ଯେ ସିନା ବୋରାଙ୍କ ହତ୍ୟା ୨୦୧୨ ମସିହାରେ ହୋଇଥିଲା। ଏହି ମାମଲାରେ ସିନାଙ୍କ ମା’ ଇନ୍ଦ୍ରାଣୀ ଦୋଷୀ ସାବ୍ୟସ୍ତ ହୋଇ ୨୦୧୫ରୁ ମୁମ୍ବାଇ ବାଇକୁଲା ଜେଲରେ ବନ୍ଦୀ ଜୀବନ ବିତାଉଛନ୍ତି। ଗତ ମାସରେ ବମ୍ବେ ହାଇକୋର୍ଟ ତାଙ୍କ ଜାମିନ୍‌ ନାମଞ୍ଜୁର କରି ଦେଇଥିଲେ। କୁହାଯାଉଛି ଯେ ଇନ୍ଦ୍ରାଣୀ ଏବେ ସୁପ୍ରିମ୍‌କୋର୍ଟ ଯାଇପାରନ୍ତି।

ସିନା ବୋରା ହତ୍ୟାକାଣ୍ଡ କ’ଣ?

  • ଇନ୍ଦ୍ରାଣୀ ମୁଖ୍ୟାର୍ଜୀଙ୍କ ଡ୍ରାଇଭର ଶ୍ୟାମବର ରାୟଙ୍କୁ ବନ୍ଧୁକ ସହ ଗିରଫ କରାଯିବା ପରେ ସିନା ବୋରାଙ୍କ ହତ୍ୟାକାଣ୍ଡର ଖୁଲାସା ହୋଇଥିଲା। ପଚରାଉଚରା ବେଳେ ସେ କହିଥିଲା ଯେ ସେ ଅନ୍ୟ ଏକ ମାମଲାରେ ସାମିଲ ଥିଲା ଓ ସେ ଏହି ହତ୍ୟା ଦେଖିଥିଲା।
  • ଶ୍ୟାମବର ମୁମ୍ବାଇ ପୋଲିସକୁ କହିଥିଲେ ଯେ ୨୦୧୨ରେ ଇନ୍ଦ୍ରାଣୀ ମୁଖାର୍ଜୀ ସିନା ବୋରାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲେ। ଇନ୍ଦ୍ରାଣୀ ସିନାଙ୍କୁ ଭଉଣୀ ବୋଲି କହୁଥିଲେ। କିନ୍ତୁ ଅଧିକ ତଦନ୍ତ ବେଳେ ଜଣାପଡ଼ିଥିଲା ଯେ ସିନା ବୋରା ଇନ୍ଦ୍ରାଣୀଙ୍କ ବଡ଼ ଝିଅ। ସିନା ଇନ୍ଦ୍ରାଣୀଙ୍କୁ ମୁମ୍ବାଇରେ ଘର ଦେବାକୁ ବ୍ଲାକ ମେଲ କରୁଥିଲେ।
  • ତଦନ୍ତ ବେଳେ ସାମ୍ନାକୁ ଆସିଥିଲା ଯେ ଇନ୍ଦ୍ରାଣୀ ମୁଖାର୍ଜୀ ଝିଅ ସିନା ଓ ପୁଅ ମିଖାଇଲକୁ ଛାଡ଼ି ଦେଇଥିଲେ। ସିନାଙ୍କୁ ନିଜ ମା’ ବିଷୟରେ ସେତେବେଳେ ଜଣାପଡ଼ିଥିଲା ଯେତେବେଳେ ସେ ତାଙ୍କ ଫଟୋ ମିଡିଆ ଏକ୍‌ଜିକ୍ୟୁଟିଭ୍‌ ପିଟର ମୁଖାର୍ଜୀଙ୍କ ସହ ଏକ ମାଗାଜିନ୍‌ରେ ଛପିଥିବାର ଦେଖିଥିଲେ।
  • ଏହା ପରେ ସିନା ମୁମ୍ବାଇ ଆସିଥିଲେ। କିନ୍ତୁ ଏଠାରେ ତାଙ୍କ ମା’ ଇନ୍ଦ୍ରାଣୀ ତାଙ୍କୁ ଝିଅ ନୁହେଁ ବରଂ ଭଉଣୀ ବୋଲି କହିଥିଲେ। ସେ ସ୍ୱାମୀ ପିଟରଙ୍କୁ ବି ସମାନ କଥା କହିଥିଲେ। କିନ୍ତୁ ୨୦୧୨ରେ ସିନା ହଠାତ୍‌ ଗାଏବ ହୋଇଯାଇଥିଲେ। ପରେ ରାହୁଲ ମୁଖାର୍ଜୀ (ପିଟର ମୁଖାର୍ଜୀଙ୍କ ପ୍ରଥମ ପତ୍ନୀଙ୍କ ପୁଅ) ସିନାଙ୍କ ବିଷୟରେ ଜାଣିବାକୁ ଚେଷ୍ଟା କରିଥିଲେ। ରାହୁଲ ଓ ସିନା ପରସ୍ପରକୁ ଭଲ ପାଉଥିଲେ। ରାହୁଲ ପରେ କହିଥିଲେ ଯେ ସିନା ବିଦେଶରେ ରହିବାକୁ ଚାହୁଁଥିଲେ।
  • ୨୦୧୫ ମସିହାରେ ମାମଲା ସାମ୍ନାକୁ ଆସିବା ପରେ ତଦନ୍ତ ବେଳେ ଜଣାପଡ଼ିଥିଲା ଯେ ଇନ୍ଦ୍ରାଣୀ ମୁମ୍ବାଇର ବାନ୍ଦ୍ରା ଠାରେ ସିନାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲେ ଓ ତାଙ୍କ ଶବକୁ ରାୟଗଡ଼ ଜିଲ୍ଲାରେ ପୋତି ଦେଇଥିଲେ। ସେବେଠୁ ମାମଲାର ତଦନ୍ତ ଚାଲିଛି।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.