ବାଂଲାଦେଶରେ ରାଜନୈତିକ ଅସ୍ଥିରତା ପାଇଁ ଆମେରିକା ଦାୟୀ । ଏକ ଗଣମାଧ୍ୟମକୁ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଦେଇଥିବା ଏହି ବୟାନକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା । ଆମେରିକା ବଙ୍ଗୋପ ସାଗରରେ ଥିବା ସେଣ୍ଟ ମାର୍ଟିନ ଦ୍ୱୀପ ଚାହୁଁଥିଲା । ବାଂଲାଦେଶ ସରକାର ଏହି ଦ୍ୱୀପ ଆମେରିକାକୁ ହସ୍ତାନ୍ତର କରି ଦେଇଥିଲେ ଦେଶରେ ରାଜନୈତିକ ଅସ୍ଥିରତା ସୃଷ୍ଟି ହୋଇନଥାନ୍ତା ବୋଲି କହିଛନ୍ତି ହସିନା । ବାଂଲାଦେଶର ମାତ୍ର ୩ ବର୍ଗ କିଲୋମିଟରର ଏକମାତ୍ର ପ୍ରବାଳ ଦ୍ୱୀପକୁ କାହିଁକି ଚାହୁଁଥିଲା ଆମେରିକା ? କଣ ଥିଲା ଆମେରିକାର ସ୍ୱାର୍ଥ? ଏହି ପ୍ରଶ୍ନ ଉପରେ ଏବେ ସମସ୍ତଙ୍କ ନଜର ।
ବାଂଲାଦେଶର କକ୍ସ ବଜାର-ଟନକାଫ ଦ୍ୱୀପ ଠାରୁ ୯ କିଲୋମିଟର ଦକ୍ଷିଣରେ ଥିବା ସେଣ୍ଟ ମାର୍ଟିନ ଦ୍ୱୀପ ୧୯୭୧ ମସିହାରେ ବାଂଲାଦେଶ ଅଧୀନକୁ ଆସିଥିଲା । ଦ୍ୱୀପର ମାଲିକାନାକୁ ନେଇ ବାଂଲାଦେଶ ଓ ମିଆଁମାର ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ବଙ୍ଗୋପସାଗର ଅଞ୍ଚଳରେ ନିଜ ଉପସ୍ଥିତି ଜାହିର କରିବାକୁ ଆମେରିକା ଓ ଚୀନ ମଧ୍ୟ ଆଗ୍ରହୀ ଥିଲେ ।
ଆମେରିକା ସେଣ୍ଟ ମାର୍ଟିନ ଦ୍ୱୀପରେ ମିଲିଟାରି ବେସ ନିର୍ମାଣ କରିବାକୁ ଚାହୁଁଥିବା ନେଇ ଶେଖ ହାସିନା ଗତବର୍ଷ ଜୁନ ମାସରେ ଅଭିଯୋଗ କରିଥିଲେ । ଏଥିପାଇଁ ବାଂଲାଦେଶ ନ୍ଯାସନାଲିଷ୍ଟ ପାର୍ଟି ବା ବିଏନପି ସହିତ ଡିଲ ହୋଇଥିଲା ଅଭିଯୋଗ କରିଥିଲେ ହାସିନା । ଭାରତ ମହାସାଗର ଅଞ୍ଚଳରେ ଦବଦବା ବୃଦ୍ଧି ପାଇଁ ଚୀନ ନିଜର ବେଲ୍ଟ ଆଣ୍ଡ ରୋଡ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟମ ଜାରି ରଖିଥିଲା। ଏହି କାର୍ଯ୍ୟକ୍ରମରେ ବାଂଲାଦେଶ ଚୀନର ଭାଗିଦାର ପାଲଟିଥିଲା । ତେବେ ଭାରତ ମହାସାଗର ଅଞ୍ଚଳରେ ଚୀନର ବଢି ଚାଲିଥିବା ଦବଦବା ଆମେରିକାର ଚିନ୍ତା ବଢାଇ ଦେଇଥିଲା ।