ବାଂଲାଦେଶରେ ହିଂସା ବଢୁଥିବା ଯୋଗୁଁ ସ୍ଥିତି ଅଣାୟତ୍ତ ହୋଇଛି । ଏହାରି ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ବେଳେ ଢାକା ଛାଡିଛନ୍ତି । ଶେଖ ହସିନା ଢାକା ଛାଡି ଭାରତକୁ ଫେରୁଛନ୍ତି ବୋଲି ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି । ଇସ୍ତଫା ଦେବା ପୂର୍ବରୁ ଶେଖ୍ ହସିନା ସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଭାରତ ଚାଲି ଆସିଥିବା ଚର୍ଚ୍ଚା ହେଉଛି । ବାଂଲାଦେଶରେ ସ୍ଥିତି ଅଣାୟତ୍ତ ହେବା ଯୋଗୁଁ ପ୍ରଦର୍ଶନକାରୀ ପ୍ରଧାନମନ୍ତ୍ରୀଙ୍କ ଆବାସରେ ପଶିଥିଲେ । ପ୍ରଦର୍ଶନକାରୀ ଅନେକ ମୁଖ୍ୟ ରାସ୍ତା ମଧ୍ୟ ଅବରୋଧ କରିଛନ୍ତି । ବାଂଲାଦେଶରେ କର୍ଫ୍ୟୁ ଜାରି ରହିଛି । ଇଣ୍ଟରନେଟ ବନ୍ଦ ରହିଛି ।
ବାଂଲାଦେଶ ରାଜଧାନୀ ଢାକା ସମେତ ଦେଶର ବିଭିନ୍ନ ସ୍ଥାନରେ ଅଶାନ୍ତି ଓ ହିଂସାକାଣ୍ଡ ଘଟିଛି । ୧୪ ପୋଲିସ କର୍ମଚାରୀଙ୍କ ସମେତ ୧୦୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଶତାଧିକ ଆହତ ହୋଇଛନ୍ତି । ଭାରତ ସରକାର ଆଡଭାଇଜରି ଜାରି କରିଛି । ଭାରତୀୟଙ୍କୁ ଯାତ୍ରା କରିବାକୁ ବାରଣ କରାଯାଇଛି । ଅଳ୍ପ କିଛି ଦିନ ତଳେ ନିଯୁକ୍ତିରେ ସଂରକ୍ଷଣ ବିରୋଧରେ ଛାତ୍ର ଆନ୍ଦୋଳନରେ ୨ଶହରୁ ଅଧିକ ଜୀବନ ଯାଇଥିଲା । ତେବେ ଗତକାଲି ପୁଣି ଅଧିକାଂଶ ଛାତ୍ର ସଂଗଠନ ଏବଂ ପ୍ରମୁଖ ବିରୋଧ ଦଳ BNP ସମର୍ଥିତ ସଂଗଠନ ଗୁଡ଼ିକ ପକ୍ଷରୁ ଅସହଯୋଗ ଆନ୍ଦୋଳନ କରାଯାଇଥିଲା । ଏହି ହିଂସାକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୧୦୦ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୧୪ ଜଣ ପୋଲିସ କର୍ମୀ ରହିଛନ୍ତି ।
ବାଂଲାଦେଶ ଇତିହାସରେ ହସିନା ହେଉଛନ୍ତି ବିଶ୍ୱର ପ୍ରଥମ ନାରୀ ନେତ୍ରୀ, ଯିଏକି ଅଧିକ ସମୟ ଏକ ସରକାରର ମୁଖ୍ୟ ଭାବେ ଦାୟିତ୍ୱ ନିଭାଇଛନ୍ତି । ବାଂଲାଦେଶରେ ହିଂସାର ମୂଳ କାରଣ ହେଉଛି ଲାଗୁ ହୋଇଥିବା ସଂରକ୍ଷଣ ବ୍ୟବସ୍ଥା । ଦେଶରେ ସରକାରୀ ଚାକିରିରେ ୩୦ ପ୍ରତିଶତ ସଂରକ୍ଷଣ ରହିଛି । ୧୯୭୧ ସ୍ୱାଧୀନତା ଆନ୍ଦୋଳନରେ ଯେଉଁମାନେ ସଂଗ୍ରାମୀ ଥିଲେ ସେମାନଙ୍କ ସମ୍ପର୍କୀୟଙ୍କ ପାଇଁ ଏହି ବ୍ୟବସ୍ଥା ରଖାଯାଇଛି, ଯାହାକୁ ପ୍ରତ୍ୟାହାର କରିବା ପାଇଁ ଦାବି କରୁଛନ୍ତି ବିଭିନ୍ନ ଛାତ୍ର ସଂଗଠନ। ଏହି ଦାବି ନେଇ ବିଭିନ୍ନ ଛାତ୍ର ସଂଗଠନ ଆନ୍ଦୋଳନକୁ ଓହ୍ଲାଇଛନ୍ତି।