ପ୍ରବଳ ବର୍ଷା ଯୋଗୁ ହିମାଚଳ ପ୍ରଦେଶରେ ବିପଦ ସୃଷ୍ଟି ହୋଇଛି । ରାଜ୍ୟର ଅନେକ ଜିଲ୍ଲାରେ ବାଦଲ ଫଟା ବର୍ଷା ହେବା ଯୋଗୁ ୮ ଜଣଙ୍କର ମୃତ୍ୟୁ ଘଟିଛି । ୫୦ ରୁ ଅଧିକ ଲୋକ ନିଖୋଜ ହୋଇଛନ୍ତି । ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ଏନେଇ ସ୍ଥାନୀୟ ପ୍ରଶାସନ ମଧ୍ୟ ସତର୍କ ରହିଛନ୍ତି । ପ୍ରବଳ ବର୍ଷା ପରେ ଉଚ୍ଚ ସ୍ଥାନମାନଙ୍କରେ ଭୂସ୍ଖଳନ ହେବାକୁ ଲାଗିଛି । ଏପରି ଭାବେ ପ୍ରବଳ ବର୍ଷାରେ ବାହାରକୁ ନ ଯିବାକୁ ପର୍ଯ୍ୟଟକମାନଙ୍କୁ ପରାମର୍ଶ ଦିଆଯାଇଛି ।
ଏନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗର ସ୍ୱତନ୍ତ୍ର ସଚିବ ଡିସି ରାଣା କହିଛନ୍ତି, ଯେ ଶିମଲା ଜିଲ୍ଲାର ସମଜେ ଅଞ୍ଚଳରେ, ରାମପୁର ଅଞ୍ଚଳରେ, କୁଲୁର ବାଗିପୁଲ ଅଞ୍ଚଳରେ ଏବଂ ମଣ୍ଡିର ପଦ୍ଦାର ଅଞ୍ଚଳରେ ବାଦଲ ଫଟା ବର୍ଷା ଯୋଗୁ ବ୍ୟାପକ କ୍ଷତି ହୋଇଛି । ଏଥିରେ ୫୩ ଜଣ ନିଖୋଜ ହୋଇଛନ୍ତି ଏବଂ ୮ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ୬୦ ରୁ ଅଧିକ ଘର ଧୋଇ ହୋଇଯାଇଛି । ବନ୍ୟା ଯୋଗୁଁ ଅନେକ ଗାଁ ପ୍ରଭାବିତ ହୋଇଛି । NDRF ଏବଂ SDRF ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଛନ୍ତି ।
ବୁଧବାର ରାତିରେ ହିମାଚଳର ତିନୋଟି ଜିଲ୍ଲା, କୁଲୁ, ମଣ୍ଡି ଏବଂ ଶିମଲାରେ ବାଦଲ ଫଟା ବର୍ଷା ହେବା ପରେ ମଣ୍ଡିର ରାଜବାନ୍ ଗାଁରୁ ଦୁଇଟି ଏବଂ କୁଲୁର ନିରମଣ୍ଡରୁ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି । କୁଲୁରେ ଥିବା ଶ୍ରୀଖଣ୍ଡ ମହାଦେବଙ୍କ ପାଖାପାଖି ୩୦୦ ଲୋକ ସୁରକ୍ଷିତ ଅଛନ୍ତି ଏବଂ ମଲାଣାରେ ପ୍ରାୟ ୨୫ ପର୍ଯ୍ୟଟକଙ୍କୁ ସ୍ଥାନୀୟ ଲୋକ ଦେଖାଶୁଣ କରୁଛନ୍ତି ।
ଏହାକୁ ନେଇ ଅଧିକାରୀ କହିଛନ୍ତି ଯେ ସେନା, ଏନଡିଆରଏଫ, ଭାରତ ତିବ୍ଦତୀୟ ସୀମା ପୋଲିସ, ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବାହିନୀ, ପୋଲିସ ଏବଂ ହୋମଗାର୍ଡ କର୍ମଚାରୀଙ୍କ ଦ୍ୱାରା ଡ୍ରୋନ ସହାୟତାରେ ଏହି ଉଦ୍ଧାର କାର୍ଯ୍ୟ କରାଯାଉଛି । ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କ ସହ ଶିକ୍ଷା ମନ୍ତ୍ରୀ ରୋହିତ ଠାକୁର ଶିମଲା ଏବଂ କୁଲୁ ଜିଲ୍ଲା ସୀମାରେ ଅବସ୍ଥିତ ଥିବା ଲୋକଙ୍କ ପରିସ୍ଥିତିର ଅନୁଧ୍ୟାନ କରିବା ସହ ପୀଡିତଙ୍କ ସହ କଥା ହୋଇଛନ୍ତି ।
ସିଏମ୍ ସୁଖୁ କହିଛନ୍ତି ଯେ ଲୋକଙ୍କୁ ବଞ୍ଚାଇବା ହେଉଛି ରାଜ୍ୟର ପ୍ରଥମ ପ୍ରାଥମିକତା । ନିଖୋଜମାନଙ୍କ ମଧ୍ୟରେ ୧୭ ରୁ ୧୮ ବର୍ଷର ଝିଅ ଏବଂ ୮ ରୁ ୯ ବର୍ଷର ଶିଶୁ ଅଛନ୍ତି । ମୁଖ୍ୟମନ୍ତ୍ରୀ ପୀଡିତଙ୍କ ପାଇଁ ତୁରନ୍ତ ୫୦୦୦୦ ଟଙ୍କା ରିଲିଫ ଘୋଷଣା କରିବା ସହ ଆସନ୍ତା ତିନିମାସ ପାଇଁ ଭଡା ପାଇଁ ମାସକୁ ୫୦୦୦ ଟଙ୍କା ପ୍ରଦାନ କରାଯିବ ବୋଲି ମଧ୍ୟ କହିଛନ୍ତି । ଏହା ବ୍ୟତୀତ ରନ୍ଧନ ଗ୍ୟାସ୍, ଖାଦ୍ୟ ଏବଂ ଅନ୍ୟାନ୍ୟ ଜରୁରୀ ଜିନିଷ ମଧ୍ୟ ଯୋଗାଇ ଦିଆଯିବ ।