ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ ନିଜ ପତ୍ନୀ ଓ ଦୁଇ ପୁଅଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । ଏହି ସାକ୍ଷାତ ସମୟରେ ଚୌହାନ ଦୁଇ ପୁଅ କୁନାଲ ଓ କାର୍ତ୍ତିକେୟଙ୍କ ବିବାହ ସମାରୋହରେ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଆମନ୍ତ୍ରିତ କରିଛନ୍ତି ।
ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂ ଚୌହାନ ଲେଖିଛନ୍ତି, ‘ଧର୍ମପତ୍ନୀ ସାଧନା ଓ ଦୁଇ ପୁଅଙ୍କ ସହିତ ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲି । ଆମେ ପ୍ରଧାନମନ୍ତ୍ରୀଙ୍କୁ ପୁଅଙ୍କ ବିବାହରେ ଆସିବା ପାଇଁ ନିମନ୍ତ୍ରଣ ଦେଇଛୁ ଏବଂ ସେ ଆଶୀର୍ବାଦ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହ ମିଶି ମନ ଭାବପ୍ରବଣ ହୋଇଗଲା । ତାଙ୍କ ସହିତ ମିଶି ଦେଶ ଏବଂ ଚାଷୀଙ୍କ ପାଇଁ କାମ କରିବା ଜୀବନର ସବୁଠାରୁ ବଡ଼ ସୌଭାଗ୍ୟ’ ।
କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ବଡ଼ ପୁଅ କାର୍ତ୍ତିକେୟଙ୍କ ନିର୍ବନ୍ଧ ରାଜସ୍ଥାନ ଉଦୟପୁରର ଅମାନତ ବଂସଲଙ୍କ ସହ ହେବାକୁ ଯାଉଛି । ଅକ୍ଟୋବର ୧୭ ଅର୍ଥାତ୍ ଆଜି କାର୍ତ୍ତିକେୟ ଓ ଅମାନତଙ୍କ ନିର୍ବନ୍ଧ ଉତ୍ସବ ଆୟୋଜନ ହୋଇଛି । ଅମାନତଙ୍କ ବାପା ଅନୁପମ ବଂସଲ ଲିବର୍ଟି ଶୁଜ୍ କମ୍ପାନୀର ମାଲିକ । ଅମାନତ ନିକଟରେ ଲଣ୍ଡନର ଅକ୍ସଫୋର୍ଡ ୟୁନିଭର୍ସିଟିରୁ ସାଇକୋଲୋଜିରେ ଏମ୍ଏସ୍ସି ଶେଷ କରିଛନ୍ତି ।
୪ ମାସ ପୂର୍ବରୁ ଚୌହାନଙ୍କ ସାନ ପୁଅ କୁନାଲଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଥିଲା । କୁନାଲଙ୍କ ନିର୍ବନ୍ଧ ଭୋପାଳର ଡାକ୍ତର ଇନ୍ଦ୍ରମଲ ଜୈନଙ୍କ ନାତୁଣୀ ରିଦ୍ଧି ଜୈନଙ୍କ ସହ ସମ୍ପନ୍ନ ହୋଇଛି । କୁନାଲ ଓ ରିଦ୍ଧି ଏକାଠି ପାଠ ପଢୁଥିଲେ ।