ରୁଷ୍‌ ବର୍ବରତାର ନୂଆ ଅଧ୍ୟାୟ, ୟୁକ୍ରେନରେ ସାରା ଆକାଶରୁ ଖସୁଛି ମିସାଇଲ

ନୂଆଦିଲ୍ଲୀ : ରୁଷ୍‌ ବର୍ବରତାର ନୂଆ ଅଧ୍ୟାୟ। ୟୁକ୍ରେନରେ ସାରା ଆକାଶରୁ ଖସୁଛି ମିସାଇଲ । ଯୁଆଡ଼େ ଚାହିଁଲେ ହୁହୁ ହୋଇ ଜଳୁଛି ନିଆଁ । କେବଳ ପୂର୍ବ କି ଦକ୍ଷିଣ ନୁହେଁ । ପଶ୍ଚିମ ଓ ଉତ୍ତର ୟୁକ୍ରେନ୍‌ରେ ବି ଧ୍ୱଂସର ଲୀଳା ଚାଲିଛି । କାଲିଠାରୁ ରୁଷ୍‌ ସେନାର ମିସାଇଲ ଆକ୍ରମଣରେ ଥରୁଛି ୟୁକ୍ରେନ୍। ଚାରିଆଡ଼େ ବିସ୍ଫୋରଣର ଶବ୍ଦ। ପୁଣି ଥରେ ସୂର୍ଯ୍ୟମୁଖୀର ଦେଶ ପାଲଟିଛି ମୃତ୍ୟୁର ଉପତ୍ୟାକା । ବଙ୍କର ଭିତରେ ଅନିଶ୍ଚିତ ଜୀବନ । ମୃତ୍ୟୁର ଭୟ । ନୂଆ ଜେନେରାଲ ନିଯୁକ୍ତି ପରେ ଅଧିକ କ୍ରୁର ହୋଇ ଉଠିଛି କ୍ରେମଲିନ୍‌ ।

ଆଜି ବି ତୁହାକୁ ତୁହା ବର୍ଷିଛି କ୍ଷେପଣାସ୍ତ୍ର। ଜାପୋରଝିଆ ଉପରେ ଖସିଛି ୧୨ଟି S 300 ମିସାଇଲ। ଗତକାଲିର ଆକ୍ରମଣରେ ମୃତ୍ୟୁ ସଂଖ୍ୟା ପ୍ରାୟ ୨୦ ହେଲାଣି। ଶତାଧିକ ଆହତ। ଅନ୍ଧାରରେ ବୁଡ଼ି ରହିଛି ୟୁକ୍ରେନ୍‌ । ବିଦ୍ୟୁତ୍‌ ଭିତ୍ତିଭୂମିକୁ ଟାର୍ଗେଟ୍‌ କରିଛି ମସ୍କୋ । ତେବେ ୮୪ ମିସାଇଲରୁ ୪୩ଟି ଖସାଇ ଦେଇ ଆହୁରି ବଡ଼ ବିପର୍ଯ୍ୟୟକୁ ଅଟାକାଇଥିଲା କିଭ୍‌ ସେନା। ଜେଲେନ୍‌ସ୍କି କହିଛନ୍ତି ଲୋକଙ୍କୁ ଟାର୍ଗେଟ୍‌ ଏବଂ ଶକ୍ତି ବ୍ୟବସ୍ଥାକୁ ଧ୍ୱଂସ କରିବା ଥିଲା ରୁଷ୍ର ଟାର୍ଗେଟ୍‌ । ବ୍ୟାଟେଲ ଗ୍ରାଉଣ୍ଡରେ ହାରୁଥିବାରୁ ଆତଙ୍କର ସାହାରା ନେଉଛନ୍ତି ଦଖଲକାରୀ । ଯୁଦ୍ଧ କ୍ଷେତ୍ରରେ ଶତ୍ରୁକୁ ଆହୁରି ଯନ୍ତ୍ରଣା ଜର୍ଜରିତ କରିବାକୁ କିଭ୍‌ ସେନାକୁ ଆହ୍ଵାନ ଦେଇଛନ୍ତି ଜେଲେନ୍‌ସ୍କି।

ରୁଷ୍ର ଭୟଙ୍କର ଆକ୍ରମଣ ପରେ ଜେଲେନ୍‌ସ୍କିଙ୍କ ସହ ଟେଲିଫୋନ୍‌ରେ କଥା ହୋଇଛନ୍ତି ବାଇଡେନ୍‌ । ଏୟାର ଡିଫେନ୍ସ ସଂଖ୍ୟା ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୋଲି ବାଇଡେନ୍‌ଙ୍କୁ କହିଛନ୍ତି ଜେଲେନ୍‌ସ୍କି । ୟୁକ୍ରେନ୍‌କୁ ଅତ୍ୟାଧୁନିକ ଏୟାର ଡିଫେନ୍ସ ସିଷ୍ଟମ୍‌ ଯୋଗାଇ ଦିଆଯିବ ବୋଲି ପ୍ରୋମିଜ୍‌ କରିଛନ୍ତି ବାଇଡେନ୍‌ । ୟୁକ୍ରେନ୍‌ ସମର୍ଥନରେ G-7 ସଦସ୍ୟ ରାଷ୍ଟ୍ରଙ୍କ ଜରୁରୀ ବୈଠକ ମଧ୍ୟ ବସୁଛି । ୟୁକ୍ରେନ୍‌କୁ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତିବଦ୍ଧ ହେବେ G-7 ନେତା । ବୈଠକରେ ଯୋଗ ଦେଉଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନ୍‌ସ୍କି ।

ସେପଟେ ମିସାଇଲ ମାଡ଼ ପରେ ଜାତିସଂଘ ସାଧାରଣ ଅଧିବେଶନରେ ମୁହାଁମୁହିଁ ହୋଇଛନ୍ତି ୟୁକ୍ରେନ୍‌ ଓ ରୁଷ ରାଷ୍ଟ୍ରଦୂତ । ନିଜ ପରିବାର ଉପରେ କିଭଳି ମିସାଇଲ ଆକ୍ରମଣ ହୋଇଛି ସେହି କଥା କହି ନିଜର ଅଭିଭାଷଣ ଆରମ୍ଭ କରିଥିଲେ ୟୁକ୍ରେନ୍‌ ରାଷ୍ଟ୍ରଦୂତ । ରୁଷ୍‌ ଆତଙ୍କବାଦୀ ରାଷ୍ଟ୍ର ବୋଲି ପୁଣି ଥରେ ନିଜକୁ ପ୍ରମାଣ କରିଥିବା କହିଥିଲେ ୟୁକ୍ରେନ୍‌ ରାଷ୍ଟ୍ରଦୂତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.