ବର୍ଷ ବର୍ଷ ଧରି ଭିଣୋଇ ଜାଗାରେ ପୋଲିସ ଚାକିରି କରୁଥିଲା ଶଳା, କେହି ଜାଣି ବି ପାରିଲେନି; କିନ୍ତୁ ପରେ …

ଭିଣୋଇ ଜାଗାରେ ଚାକିରି କରୁଛି ଶଳା। ବିଶ୍ୱାସ ହେଉନଥିଲେ ବି ଏକଥା ସମ୍ପୂର୍ଣ୍ଣ ସତ। ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶରେ। ଏଠାରେ ବର୍ଷ ବର୍ଷ ଧରି ଭିଣୋଇ ସ୍ଥାନରେ ଶଳା ପୋଲିସ ଚାକିରି କରୁଥିବା ନେଇ ଖବର ସାମ୍ନାକୁ ଆସିଛି। ତେବେ ଏଭଳି ହୋଇଥିବା ନେଇ କାହାର ସନ୍ଦେହ ବି ହୋଇନଥିଲା। ଭିଣୋଇ ଶିକ୍ଷକ ହୋଇଗଲେ ଓ ନିଜ ପୋଲିସ ଚାକିରିକୁ ଶଳାକୁ ଦେଇଦେଇଥିଲେ।

ରିପୋର୍ଟ ମୁତାବକ, ଉଭୟେ ଶଳା ଓ ଭିଣୋଇ ପ୍ରଥମେ ସାଙ୍ଗ ଥିଲେ। ଜଣେ ନିଜର ଶିକ୍ଷକ ଭାବେ ସିଲେକ୍ସନ୍‌ ହେବା ପରେ ଆରଜଣଙ୍କୁ ନିଜ ପୋଲିସ ଚାକିରି ଦେଇ ନିଜେ ସରକାରୀ ସ୍କୁଲରେ ଶିକ୍ଷକତା କଲା। କିଛିଦିନ ପରେ ପୋଲିସରେ ଚାକିରି କରୁଥିବା ସାଙ୍ଗ ନିଜ ଭଉଣୀର ବିବାହ ଉକ୍ତ ସାଙ୍ଗ ସହ କରିଦେଲା। ଏଭଳି ଭାବେ ଉଭୟେ ଶଳା-ଭିଣୋଇ ବନିଗଲେ। ଏହି ଶଳା ଭିଣୋଇଙ୍କ ନାଁ ହେଉଛି ସୁନୀଲ ଓ ଅନୀଲ।

ତେବେ ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୁନୀଲଙ୍କୁ ତାଙ୍କ ବିଷୟରେ ପଚାରିବାରୁ ସେତେବେଳେ ସବୁ ସତ ଧରାପଡ଼ିଥିଲା। ସିନିୟରଙ୍କ ସାମ୍ନାରେ ସୁନୀଲ ସାଙ୍ଗ ଅନୀଲ ବିଷୟରେ ସବୁ ଠିକ୍‌ ଠିକ୍‌ କହିଥିଲେ। କିନ୍ତୁ ଅଧିକାରୀଙ୍କୁ ସନ୍ଦେହ ହେବାରୁ ସେ ଟ୍ରେନିଂ ବେଳେ କେଉଁ ଅଫିସର ଥିଲେ ବୋଲି ପ୍ରଶ୍ନ କରିଥିଲେ। ଏହି ପ୍ରଶ୍ନରେ ସୁନୀଲ ହଡ଼ବଡ଼େଇ ଯାଇ ବାଥରୁମ୍‌ ଯିବା ବାହାନା କରି ସେଠାରୁ ଖସିଆସିଥିଲେ। ପରେ ଉକ୍ତ ଅଧିକାରୀ ଫାଇଲ ଯାଞ୍ଚ କରିବାରୁ ସେଠାରେ ସୁନୀଲଙ୍କ ବଦଳରେ ଆଉ ଜଣକଙ୍କ ଫଟୋ ଦେଖିଥିଲେ।

ଏବେ ଏହି ଦୁଇ ଜଣଙ୍କ ନାଁରେ ପୋଲିସରେ ମାମଲା ରୁଜୁ କରାଯାଇଛି। ଯାଞ୍ଚ ବେଳେ ଜଣାପଡ଼ିଛି ଯେ ଅନୀଲ ଓ ସୁନୀଲ ଦ୍ୱାଦଶ ଶ୍ରେଣୀରୁ ସାଙ୍ଗ। ସେମାନେ ସେବେଠୁ ସରକାରୀ ଚାକିରି କରିବାକୁ ଚାହୁଁଥିଲେ। ସୁନୀଲକୁ ପ୍ରଥମେ ପୋଲିସ ଚାକିରି ମିଳିଥିଲା। ପରେ ସେ ଶିକ୍ଷକତା ପାଇଁ ଏଣ୍ଟ୍ରାନ୍ସ ଦେଇ ପାସ୍‌ କରିଥିଲେ। ଏଥିପାଇଁ ପ୍ରସ୍ତୁତି ଲାଗି ସେ ଅନୀଲକୁ କିଛିଦିନ ତା’ ଜାଗାରେ ଚାକିରି କରିବାକୁ ପଠାଇଥିଲା। କିନ୍ତୁ ସେ ଶିକ୍ଷକ ହେବା ପରେ ବି ଅନୀଲ ଏହି କାମ ଜାରି ରଖିଥିଲା। ଏମିତିକି ସୁନୀଲ ନିଜ ସର୍ଭିସ ରିଭଲବର ମଧ୍ୟ ଅନୀଲକୁ ଦେଇଦେଇଥିଲା। ଉଭୟଙ୍କ ବିରୋଧରେ ଏକାଧିକ ଦଫା ଲାଗି ମାମଲା ରୁଜୁ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.