ଦୋକାନରେ ବିକ୍ରି ହେଉଛି ହ୍ଵିସ୍କି ଆଇସକ୍ରିମ୍ । ଯାହାକୁ ଖାଇଲା ପରେ ଘାରୁଛି ନିଶା । ଆଇସକ୍ରିମ୍ ଖାଇ ଲୋକେ ବୁଡି ରହୁଛନ୍ତି ନିଶାରେ । ତେଲେଙ୍ଗାନାର ହାଇଦ୍ରାବାଦରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଯେତେବେଳେ ଏଠାରେ ଏକ ଆଇସ୍କ୍ରିମ୍ ପାର୍ଲର ଉପରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା, ସେତେବେଳେ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଥିଲା। ଆଇସକ୍ରିମରେ କିଛି ମଦ ମିଶ୍ରିତ ହୋଇଥିବା ଯାଞ୍ଚ୍ ଦଳ ସୂଚନା ପାଇଥିଲେ । ଏହା ପରେ ଏହି ଦୋକାନରୁ ବହୁ ପରିମାଣର ଆଇସକ୍ରିମ ଏବଂ ମଦ ଜବତ କରାଯାଇଥିଲା ।
ହାଇଦ୍ରାବାଦ ଆରଟିସି କ୍ରସ୍ ରୋଡରେ ଅବସ୍ଥିତ ଏକ ଆଇସ୍କ୍ରିମ୍ ପାର୍ଲରରେ ଏଭଳି ଘଟଣା ସାମ୍ନାକୁ ଆସିଛି ବୋଲି କୁହାଯାଉଛି । ଅଧିକାରୀମାନେ ଶୁକ୍ରବାର ଆଇସକ୍ରିମ ସହିତ ମିଶ୍ରିତ ହ୍ବିସ୍କି ବିକ୍ରି କରୁଥିବା ଏକ ରାକେଟକୁ ଧରିଛନ୍ତି । ଅଭିଯୋଗ ହୋଇଛି ଯେ ଦୋକାନୀ ମଦ ସହିତ ମିଶ୍ରିତ ଆଇସ୍କ୍ରିମ୍ ବିକ୍ରି କରୁଥିଲେ । ଯାହାକୁ ଖାଇବା ପରେ ଲୋକମାନଙ୍କୁ ନିଶା ଘାରୁଥିଲା । କୁହାଯାଉଛି ଯେ ଦୋକାନୀ ସୋସିଆଲ ମିଡିଆ ମାଧ୍ୟମରେ ହ୍ବିସ୍କି ଆଇସକ୍ରିମକୁ ମଧ୍ୟ ପ୍ରୋତ୍ସାହିତ କରୁଥିଲେ ।
ଅଧିକାରୀମାନେ କହିଛନ୍ତି ସେମାନେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରୁ ଏହି ଆଇସକ୍ରିମ ପାର୍ଲର ବିଷୟରେ ସୂଚନା ପାଇଥିଲେ। ଚଢ଼ାଉ ବେଳେ ୩,୮୫ ଲକ୍ଷ ଟଙ୍କା ମୂଲ୍ୟର ମଦ ଜବତ କରାଯାଇଥିଲା । ଏହି ଚଢ଼ାଉ ସମୟରେ ଅବକାରୀ ବିଭାଗ ଦଳ ୧୧.୫ କିଲୋଗ୍ରାମ ଆଇସ୍କ୍ରିମ୍ ଜବତ କରିଥିଲେ । ପ୍ରଥମେ ତ ଅଧିକାରୀଙ୍କୁ ବିଶ୍ୱାସ ହେଉନଥିଲା, ହେଲେ ଆଖିରେ ଦେଖିବା ପରେ ଆଉ ଯାଞ୍ଚ ପରେ ସବୁ ଗୁମର ଖୋଲି ଯାଇଥିଲା ଆଇସକ୍ରିମ ପାର୍ଲରର ।
ଅନୁସନ୍ଧାନ ଅନୁଯାୟୀ, ପ୍ରତ୍ୟେକ କିଲୋଗ୍ରାମ ଆଇସକ୍ରିମରେ ୬୦ ମିଲି ହ୍ବିସ୍କି ମିଶ୍ରଣ କରୁଥିଲେ । ଅଧିକାରୀଙ୍କ କହିବାନୁସାରେ, ଆଇସକ୍ରିମ ପାର୍ଲର ଗ୍ରାହକମାନଙ୍କୁ ହ୍ବିସ୍କି-ଲେସଡ୍ ଆଇସକ୍ରିମ୍ ପରିବେଷଣ କରୁଥିଲେ। ଯାହା ଖୁବ୍ ଚର୍ଚ୍ଚାରେ ରହିଥିଲା ।